ବାପ-ଝିଅଙ୍କୁ ମାରି ଦେଲେ ବିରୁଡି: ଗୋଡେଇ ଗୋଡେଇ ବିନ୍ଧିଲେ ୭୦ ବିରୁଡି, ଝିଅ ମୃତ୍ୟୁର ୩ ଦିନ ପରେ ଆଖି ବୁଜିଲେ ବାପା

Published By : Prameya-News7 Bureau | July 24, 2020 IST

ଚେନ୍ନାଇ ୨୪।୦୭: ବିରୁଡି ଆକ୍ରମଣରେ ଆଖି ବୁଜିଲେ ବାପା-ଝିଅ। ଏମିତି ଏକ ଦୁଃଖଦ ଘଟଣା ତାମିଲନାଡୁର ମଇଲାଦୁଥୁରାଇ ଜିଲ୍ଲାରେ ଘଟିଛି। ବାପାର ବୟସ ୪୨ ହୋଇଥିବା ବେଳେ ଝିଅର ବୟସ ୩ ବର୍ଷ। ତିନି ସପ୍ତାହ ଚିକିତ୍ସା ପରେ ଜୁଲାଇ ୨୦ରେ କୁନି ଝିଅର ମୃତ୍ୟୁ ଘଟିଥିବା ବେଳେ ତିନି ଦିନ ପରେ ବାପାର ମୃତ୍ୟୁ ଘଟିଛି।

ମଇଲାଦୁଥୁରାଇ ଜିଲ୍ଲାର ମନାଲମେଡୁ ପୁଲିସ ଅନୁଯାୟୀ ବାପା-ଝିଅ ମୋଟର ପମ୍ପ ଧରି ନିଜର ଜମିକୁ ଯାଉଥିଲେ। ସେହି ସମୟରେ ନଡିଆ ଗଛରୁ ତାଙ୍କ ଉପରେ କିଛି ପଡିବା ସେମାନେ ଜାଣି ପାରିଲେ। ହେଲେ କିଛି ସେକେଣ୍ଡ ଭିତରେ ପାଖାପାଖି ୭୫ ବିରୁଡି ବାପା-ଝିଅଙ୍କୁ ଘେରି ଯାଇ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ। ଏହି ସମୟରେ ନିକଟରେ ଥିବା ଜଣେ ବ୍ୟକ୍ତି ସେମାନଙ୍କୁ ବଞ୍ଚାଇବାକୁ ଆସିଥିଲେ। ସେ ମଧ୍ୟ ବିରୁଡି ଆକ୍ରମଣରେ ଆହତ ହୋଇଛନ୍ତି।

ଏହି ବିରୁଡିକୁ ତାମିଲନାଡୁରେ କଥାଣ୍ଡୁ କୁହାଯାଏ। ଗୋଟିଏ ଦୁଇଟି ବିରୁଡି ଆକ୍ରମଣରେ ଆପଣ ବଞ୍ଚି ଯାଇ ପାରିବେ ମାତ୍ର ୭୦ ବିରୁଡି ଏକ ସଙ୍ଗେ ଆକ୍ରମଣ କଲେ ବ୍ୟକ୍ତି ଗୁରୁତର ଆହତ ହୋଇଥାନ୍ତି। ଦୁର୍ଭାଗ୍ୟବଶତଃ ବିରୁଡି ଆକ୍ରମଣରେ ବାପା-ଝିଅଙ୍କ ମୃତ୍ୟୁ ଘଟିଥିବା ମନାଲମେଡୁ ଥାନା କହିଛି।

ପୁଲିସ୍ କହିଛି ବିରୁଡି ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଝିଅ ଇନିସ୍କାକୁ ଗୋଟିଏ ଦିନରୁ ଅଧିକ ଦିନ ବଞ୍ଚାଯାଇ ପାରିନଥିଲା। ବାପା ଆନନ୍ଦକୁମାରଙ୍କ ଅବସ୍ଥା ଅଧିକ  ଜଟିଳ ହେବାରୁ ତାଙ୍କୁ ଥିରୁଭାରୁର ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତଥାପି ତାଙ୍କୁ ମଧ୍ୟ ବଞ୍ଚାଯାଇପାରିନଥିବା ପୁଲିସ କହିଛି। ଏହି ପରି ଆନନ୍ଦ ପତ୍ନୀ ସାଙ୍ଗଭି ଓ ସାନ ଝିଅକୁ ଛାଡି ଚାଲିଗଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.