ମରିବାର ୫ ଘଣ୍ଟା ପରେ ପୁଣି ଜୀବିତ ହେଲେ ବ୍ୟକ୍ତି, ବଖାଣିଲେ ପରଲୋକର ଘଟଣା

Published By : Prameya-News7 Bureau | November 03, 2019 IST

ଅଲିଗଡ: ଉତ୍ତରପ୍ରଦେଶ ଅଲିଗଡ ଜିଲ୍ଲା ଅରୌଲୀ ଅନ୍ତର୍ଗତ କିରଥଲ ଗାଁରେ ଘଟିଛି ଅଭାବନୀୟ ଘଟଣା। ଜନୈକ ବ୍ୟକ୍ତି ମୃତ୍ୟୁର ୫ ଘଣ୍ଟା ପରେ ପୁଣି ଜୀବିତ ହୋଇଥିବା ବେଳେ ପରଲୋକ ସମ୍ପର୍କରେ ଯାହା କହିଛନ୍ତି ତାହା ସେଠାରେ ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଗାଁର ରାମ କିଶୋର କିଛି ଦିନ ହେଲା ଅସୁସ୍ଥ ଥିଲେ। ଚିକିତ୍ସା କରାଯାଉଥିଲେ ହେଁ ତାଙ୍କ ଉପରେ କିଛି ପ୍ରଭାବ ପଡୁନଥିବା ବେଳେ ତାଙ୍କର ପରଲୋକ ହୋଇଥିଲା।

ରାମ କିଶୋରଙ୍କ ମୃତ୍ୟୁ ଖବର ଗାଁରେ ପ୍ରଚାରିତ ହେବା ପରେ ଲୋକେ ଶେଷ ଦର୍ଶନ ଲାଗି ତାଙ୍କ ଘରକୁ  ଆସିଥିଲେ। ବନ୍ଧୁବାନ୍ଧବଙ୍କୁ ମଧ୍ୟ ଖବର ଦିଆଯାଇଥିଲେ। ସମସ୍ତେ ପହଞ୍ଚିବା ପରେ ତାଙ୍କୁ ଶ୍ମଶାନକୁ ନେବା ଲାଗି ରିତିନୀତି ଆରମ୍ଭ ହୋଇଥିଲା। ଶବକୁ ଗାଧୋଇ କୋକେଇକୁ ନେବା ବେଳେ ଶରୀରରେ ହଲଚଲ ଦେଖା ଦେଇଥିଲା। କିଛି ସମୟ ପରେ ସେ କୋକେଇରେ ଉଠି ବସିଥିଲେ। ଏଭଳି ଘଟଣା ଦେଖି ଘରେ ଉପସ୍ଥିତ ଲୋକେ ଆତଙ୍କିତ ହୋଇପଡିଥିଲେ। ତେବେ ଲୋକେ ରାମ କିଶୋର ଜୀବିତ ବୋଲି ସ୍ପଷ୍ଟ ହୋଇଥିଲେ।

ତେବେ ରାମକିଶୋର ମୃତ୍ୟୁ ନିଦ୍ରାରୁ ଉଠି ବସିବା ପରେ ଯାହା କହିଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ଅଚେତ ଥିବା  ୫ ଘଣ୍ଟାର ବିବରଣୀ ତ ଦେଇ ପାରୁନାହାଁନ୍ତି ତେବେ ଯାହା କହୁଛନ୍ତି ତାହା ଅନେକଙ୍କୁ ବିସ୍ମିତ କରିଛି। ତାଙ୍କୁ କିଛି ଲୋକେ ଏକ ବୈଠକ ସ୍ଥାନକୁ ଧରି ନେଇଥିଲେ।  ଯେଉଁଠାରେ ଜଣେ ମହାତ୍ମା ଜଣଜଣ କରି ଲୋକଙ୍କୁ ବିଭିନ୍ନ ପ୍ରଶ୍ନ ପଚାରୁଥିଲେ। ତେବେ ତାଙ୍କୁ କାହିଁକି ନେଇ ଆସିଲ ବୋଲି ଲୋକଙ୍କୁ ମହାତ୍ମା ପଚାରିବା ସହ ଏହାର ଆହୁରି ସମୟ ବଞ୍ଚିବାର ଅଛି ବୋଲି କହିଥିଲେ । ତେବେ ମହାତ୍ମା ତାଙ୍କୁ କିଛି ପଚରା ପଚରି କରିଥିବା ବେଳେ ଅଚାନକ ଧକ୍କା ଲାଗିଥିଲା ଓ ସେ ଉଠିବା ବେଳକୁ ତାଙ୍କୁ କୋକେଇରେ ରଖାଯାଇଥିବା ଦେଖିଥିଲେ ବୋଲି କହିଛନ୍ତି। ତେବେ ରାମକିଶୋରଙ୍କ କଥାରୁ ପରଲୋକ ଥିବା ନେଇ ଲୋକେ ସ୍ପଷ୍ଟ ହୋଇଥିବା ବେଳେ ଅନେକ ଏବେବି ଘଟଣାକୁ ବିଶ୍ୱାସ କରିପାରୁନାହାନ୍ତି। ଯାହା ହେଉ ମଷାଣୀକୁ ଯାଉଥିବା ରାମ କିଶୋର ଏବେ ଘରେ ସୁସ୍ଥ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.