ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ କରିବେ ଭର୍ଚୁଆଲ ରାଲି

Published By : Prameya-News7 Bureau | January 18, 2022 IST

ଲକ୍ଷ୍ନୌ ୧୮।୦୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଏବେ ସମାଜବାଦୀ ପାର୍ଟିକୁ ମିଳିଛି ତୃଣମୂଳ କଂଗ୍ରେସର ସମର୍ଥନ। ଟିଏମସି ପ୍ରମୁଖ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥର ୟୁପି ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପାଇଁ ପ୍ରଚାର କରିବେ। ଆସନ୍ତା ଫେବୃଆରୀ ୮ରେ ମମତା ବାନାର୍ଜୀ ରାଜଧାନୀ ଲକ୍ଷ୍ନୌରେ ସପାର ଏକ ଭର୍ଚୁଆଲ ରାଲିକୁ ସମ୍ବୋଧିତ କରିବେ। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ମଧ୍ୟ ଅନଲାଇନ୍ ପ୍ରଚାର କରିବେ।

ଏହା ପୂର୍ବରୁ ଟିଏମସି ଏବଂ ସପା ପ୍ରମୁଖଙ୍କ ଏକ ସଙ୍ଗେ ସାର୍ବଜନୀନ ରାଲି କରିବାକୁ ଆଶା କରାଯାଉଥିଲା। ମାତ୍ର କରୋନା ମହାମାରୀ କାରଣରୁ ନିର୍ବାଚନ ଆୟୋଗ ରାଲି ଏବଂ ଶୋଭାଯାତ୍ରା ଉପରେ ରୋକ୍ ଲଗାଇଛନ୍ତି। ନିର୍ବାଚନ ଆୟୋଗ ରୋଡ୍ ଶୋ ଏବଂ ରାଲି ପରି ରାଜନୈତିକ କାର୍ଯ୍ୟକଳାପ ଉପରେ ଜାନୁଆରୀ ୨୨ ପର୍ଯ୍ୟନ୍ତ ରୋକ୍ ଲଗାଇଛନ୍ତି। ଆୟୋଗ ଜାନୁଆରୀ ୨୨ରେ ପୁଣି ସ୍ଥିତିର ସମୀକ୍ଷା କରିବେ ଏବଂ ନୂଆ ଗାଇଡ୍‌ଲାଇନ୍ ଜାରି କରିବେ।

ଏଥର ବିଧାନସଭା ନିର୍ବାଚନରେ ବିଜେପି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ କଡା ଟକ୍କର ହେବ  ବୋଲି ଆଶା କରାଯାଉଛି। ଅଖିଳେଶ ରାଜ୍ୟରେ ଛୋଟ ଛୋଟ ଦଳକୁ ନେଇ ମେଣ୍ଟ କରି ବିଜେପିକୁ କ୍ଷମତାଚ୍ୟୁତ୍ କରିବାକୁ ଅଣ୍ଟା ଭିଡିଛନ୍ତି। ଅନ୍ୟପଟେ ବିଜେପି ନିଜର କ୍ଷମତା ବଜାୟ ରଖିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଳାଇଛି। ଅନେକ ସର୍ଭେରେ ଉଭୟ ଦଳ ମଧ୍ୟରେ ପ୍ରତିଦ୍ଵନ୍ଦ୍ଵିତା ହେଉଥିବା ଦେଖିବାକୁ ମିଳୁଛି। ଏବେ ମମତା ବାନାର୍ଜୀଙ୍କ ସମର୍ଥନରେ ସପାକୁ କେତେ ଫାଇଦା ମିଳିବ ତାହା ମାର୍ଚ୍ଚ ୧୦ ତାରିଖ ଭୋଟ୍ ଗଣତି ଦିନ ଜଣା ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.