ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଶୋଭନ ଦେବ ଚଟ୍ଟୋପଧ୍ୟାୟଙ୍କୁ ନିଜ ଭବାନୀପୁର ଆସନ ଛାଡି ଦେଲେ ମମତା, ଜାଣନ୍ତୁ ସେ କିଏ ?
6/03/2021 at 9:48 PM

କୋଲକାତା ୬।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଜାରି ହୋଇସାରିଛି ଶାସକ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ତାଲିକା। ଏଥିରେ ଦଳର ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ପାରମ୍ପରିକ ଆସନ ଭବାନୀପୁର ଛାଡି ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଛନ୍ତି। ଏଠାରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ମମତାଙ୍କ ଟକ୍କର ହେବ। ତେବେ ମମତା ତାଙ୍କ ପାରମ୍ପରିକ ଆସନ କାହାକୁ ଛାଡିଛନ୍ତି ଆସନ୍ତୁ ଜାଣିବା।

ଭବାନୀପୁର ମମତାଙ୍କ ନିର୍ବାଚନମଣ୍ଡଳି ନୁହେଁ ଏହା ତାଙ୍କ ଆବାସୀୟ ଅଞ୍ଚଳ ମଧ୍ୟ। ଏଠାରୁ ମମତା ଏପର୍ଯ୍ୟନ୍ତ କେବେବି ହାରି ନାହାନ୍ତି। ତେବେ ମମତା ନନ୍ଦିଗ୍ରାମରୁ ପ୍ରାର୍ଥୀ ହେବା ବିଜେପିକୁ ବିଚଳିତ କରିଥିବା ବେଳେ ବରିଷ୍ଠ ନେତାମାନେ ନାନା ବୟାନବାଜୀ ଆରମ୍ଭ କରିଦେଇଛନ୍ତି।

ତେବେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତାଲିକାରେ ମମତା ତାଙ୍କ ନିଜସ୍ୱ ଭବାନୀପୁର ଆସନରେ ଦଳର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗରେ ଜେଣ୍ଟଲମ୍ୟାନ ଭାବେ ଜଣାଶୁଣା ଶୋଭନ ଦେବ ଚଟ୍ଟୋପଧ୍ୟାୟଙ୍କୁ ପ୍ରାର୍ଥୀ କରିଛନ୍ତି। ଶୋଭନ ଦେବ କେବଳ ଲୋକପ୍ରୀୟ ନେତା ନୁହନ୍ତି ଦଳର ବେଦାଗ ଛବି ମଧ୍ୟ । ଶୋଭନଙ୍କ ନାମ ନା ଶାରଦା ସ୍କାମରେ ଅଛି ନା ନାରଦା ସ୍କାମରେ। ଜଣେ ସଚ୍ଚୋଟ ବଙ୍ଗୀୟ ବ୍ରାହ୍ମଣ ଭାବେ ଶୋଭନ ବେଶ ଜଣାଶୁଣା ଓ ଲୋକପ୍ରୀୟ ମଧ୍ୟ।

ମମତା ଏହି ଆସନରୁ ଲଗାତାର ୨ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଥର ମମତା ୨୦୧୧ ମସିହାରେ ୫୦ ହଜାରରୁ ଅଧିକ ମତରେ ଏଠାରୁ ନିର୍ବାଚିତ ହୋଇଥିଲେ। ତାଙ୍କୁ ୭୭ ପ୍ରତିଶତରୁ ବି ଅଧିକ ଭୋଟ ମିଳିଥିଲା। ତେବେ ଦ୍ୱିତୀୟବାର ୨୦୧୬ ନିର୍ବାଚନରେ ଯଦିଓ ମମତା ଏଠାରୁ ବିଜୟୀ ହୋଇଥିଲେ ତେବେ ତାଙ୍କ ଭୋଟ ପ୍ରତିଶତ ହ୍ରାସ ହୋଇଥିଲା। ଯେଉଁଥି ପାଇଁ ବରିଷ୍ଠ ବିଜେପି ନେତାମାନେ ଦିଦି ତାଙ୍କ ସମ୍ମାନ ବଞ୍ଚାଇବାକୁ ନନ୍ଦିଗ୍ରାମ ମୁହାଁ ହୋଇଥିବା କହିଛନ୍ତି।

ତେବେ ବାସ୍ତବ କଥା ହେଲା ଦକ୍ଷିଣ କୋଲକାତାର ଏହି ଅଞ୍ଚଳ ସ୍ଥାନୀୟ ଅପେକ୍ଷା ବାହାର ଲୋକଙ୍କ ଭୋଟ ଅଧିକ। ଏଥିରେ ଦିଦିଙ୍କ ଭାବନୀପୁର ସିଟ୍ ବଞ୍ଚାଇବାକୁ ବିଦ୍ୟୁତ ମନ୍ତ୍ରୀ ଶୋଭନ ଦେବ ହିଁ ସମର୍ଥ ହୋଇପାରିବେ ବୋଲି ଦଳ ଆଶା କରୁଛି। ଏହା ଛଡା ରାଜ୍ୟରେ ତୃଣମୂଳ କଂଗ୍ରେସ ସ୍ଥାପନା ପରଠାରୁ ଶୋଭନ ଦେବ ଦିଦିଙ୍କ ସହ ଥିବା ବେଳେ ତାଙ୍କର ଅତ୍ୟନ୍ତ ବିଶ୍ୱସ୍ଥ ମଧ୍ୟ। ଦୁର୍ନୀତିଠରୁ ଅନେକ ଦୂରରେ ଥିବା ଶୋଭନ ଦିଦିଙ୍କ ଆସନର ସମ୍ମାନ ରକ୍ଷା କରିପାରିବେ ବୋଲି ଦଳ ଆଶା କରିଛି।

ତୃଣମୂଳରୁ ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫା ଦଳ ଲାଗି ସବୁଠୁ ବଡ଼ ଝଟକା ଥିଲା। ବିଜେପିର ନିଜର ନେତା ନଥିବାରୁ ନିର୍ବାଚନ ଲାଗି ଶୁଭେନ୍ଦୁଙ୍କୁ ଦଳରୁ ଉଠେଇ ନେଇଛି। ଏଣୁ ଶୁଭେନ୍ଦୁ ସମେତ ବିଜେପିକୁ ବାର୍ତ୍ତା ଦେବା ଲାଗି ମମତା ନିଜେ ନନ୍ଦିଗ୍ରାମକୁ ମନୋନୀତ କରିଛନ୍ତି। ଏଠାରେ ଶୁଭେନ୍ଦୁ ଓ ତାଙ୍କ ପରିବାରଙ୍କ ମୁକାବିଲା ଲାଗି ମମତାଙ୍କ ବ୍ୟତୀତ ଦଳ ଅନ୍ୟ ନେତାଙ୍କ ଉପରେ ଭରସା କରିପାରୁନି। ଶୁଭେନ୍ଦୁଙ୍କ ପୂର୍ବରୁ ତାଙ୍କ ପିତା ଏହି ଆସନରୁ ନିର୍ବାଚିତ ହେଉଥିଲେ। ଏଣୁ ଏହା ଶୁଭେନ୍ଦୁଙ୍କ ପାରିବାରିକ ଆସନ ହୋଇ ସାରିଥିବାରୁ ମମତା ପରମ୍ପରା ଭାଙ୍ଗିବା ସହ ତୃଣମୂଳ କେବଳ ସହର ନୁହେଁ ଗାଁରେ ମଧ୍ୟ ନିଜ ସଙ୍ଗଠନ ମଜଭୁତ ରଖିଥିବା ପ୍ରମାଣ ଲାଗି ନିଜେ ରଣାଙ୍ଗନକୁ ଲମ୍ପ ପ୍ରଦାନ କରିଛନ୍ତି।