ଟିଏମସି ଘୋଷଣା କଲା ପ୍ରାର୍ଥୀ ତାଲିକା, ୪୧ ପ୍ରତିଶତ ମହିଳା ପାଇଲେ ଟିକେଟ, ୧୦ ସାଂସଦ ପଡିଲେ ବାଦ
12/03/2019 at 4:57 PM

ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ଆଜି ୪୧ଟିି ଆସନ ପାଇଁ ପ୍ରର୍ଥୀ ତାଲିକା ଘୋଶଣା କରିଛି । ଏଥିରେ ୪୧ ପ୍ରତିଶତ ମହିଳାଙ୍କୁ ପ୍ରର୍ଥୀ କରି ମମତା ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ନବୀନ ପଟ୍ଟନାୟକ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବା ପାଇଁ ଘୋଷଣା କରି ବାହାବା ସାଉଁଟୁଥିବାବେଳେ ମମତା ଇତିହାସ ସୃଷ୍ଟି କରିଛନ୍ତି ।

ଅନ୍ୟପକ୍ଷରେ ମମତା ୧୦ଜଣ ସାଂସଦଙ୍କୁ ଏଥର ଟିକେଟ ଦେଇନାହାଁନ୍ତି । ଟିକେଟ ପାଇନଥିବା ସାଂସଦମାନେ ଦଳର ସାଂଗଠନିକ କାମ କରିବେ ବୋଲି ମମତା କହିଛନ୍ତି । ଚଳିତ ଥର ତୃଣମୂଳ କଂଗ୍ରେସ ପଶ୍ଚିମବଂଗ ବ୍ୟତୀତ ଆସାମରେ ୬ଟି, ବିହାରରେ ୨ଟି , ଝାଡଖଣ୍ଡରେ ୩ଟି, ଆଣ୍ଡାମାନରେ ଗୋଟିଏ ଏବଂ ଓଡିଶାର ୨ଟି ଆସନରେ ନିର୍ବାଚନ ଲଢିବାପାଇଁ ନିଷ୍ପତ୍ତି ନେଇଛି ।

ଲୋକପ୍ରିୟ ଅଭିନେତ୍ରୀ ମୁନମୁନ ସେନ ଓ ଶତାବ୍ଦୀ ରାୟଙ୍କୁ ମଧ୍ୟ ଦିଦି ଏଥର ପ୍ରର୍ଥୀ କରିଛନ୍ତି । ଶତାବ୍ଦୀ ରାୟ ବୀରଭୂମରୁ ପ୍ରାର୍ଥୀ ହୋଇଥିବା ବେଳେ ମୁନମୁନ ସେନ ଆସାନସୋଲରୁ ପ୍ରର୍ଥୀ ହୋଇଛନ୍ତି । ଏପଟେ ଟିକେଟ ନମିଳିବା ଆଶଂକା ଯୋଗୁଁ ଟିଏମସି ସାଂସଦ ଅନୁପମ ହାଜରା ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି ।
