ବିଜେପି 'ଭାରତ ଜଲାଓ ପାର୍ଟି', ବିଜେପିର ନୂଆ ନାଁ ଦେଲେ ଦିଦି, କହିଲେ- 'ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ କିଛି ଧର୍ମାନ୍ଧ ମୋତେ ଅପମାନିତ ଓ ନେତାଜୀଙ୍କୁ ଅସମ୍ମାନ କଲେ'

Published By : Prameya-News7 Bureau | January 26, 2021 IST

କୋଲକାତା, ୨୬/୦୧: ପଶ୍ଚିମବଙ୍ଗରେ ଭିକ୍ଟୋରିଆ ମେମୋରିଆଲରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇଥିଲେ । ତେବେ ମମତା ବାନାର୍ଜୀ ଭାଷଣ ଦେବା ପୂର୍ବରୁ ସେଠାରେ ଉପସ୍ଥିତ ବିଜେପି କର୍ମୀ ଜୟ ଶ୍ରୀରାମ ନାରା ଦେଇଥିଲେ । ଫଳରେ ସେ ରାଗି ଯାଇ ଭାଷଣ ଦେଇ ନଥିଲେ । ଏହି ଘଟଣାରେ ମୁହଁ ଖୋଲିଛନ୍ତି ମମତା । କାର୍ଯ୍ୟକ୍ରମରେ କିଛି ଧର୍ମାନ୍ଧ ଉପସ୍ଥିତ ଥିବା ସେ କହିବା ସହ ବିଜେପିର ନାଁ ପରିବର୍ତ୍ତନ କରି ଭାରତ ଜଲାଓ ପାର୍ଟି ବୋଲି କହିଛନ୍ତି ।

ମମତା କହିଛନ୍ତି ଯେ, ଏପରି କରି ବିଜେପି କର୍ମୀମାନେ ପଶ୍ଚିମବଙ୍ଗକୁ ଲଜ୍ଜିତ କରିଛନ୍ତି । ଏହା ନେତାଜୀଙ୍କ ପ୍ରତି ଅପମାନ । ସେମାନେ ପ୍ରଧାନମନ୍ତ୍ରୀଙ୍କ ଆଗରେ ମୋତେ ଚିଡାଇବା ପାଇଁ ଚାହିଁଥିଲେ । ଏହା ଆମର ସଂସ୍କୃତି ନୁହେଁ । ଏହା ମର୍ଯ୍ୟାଦାହାନୀ କଲା ଭଳି ଘଟଣା ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଯଦି କେହି ଅତିଥି ଭାବେ ଘରକୁ ନିମନ୍ତ୍ରଣ କରିବା ପରେ ଚାପୁଡା ମାରିଥାଏ ଓ ବାହାରିଯିବାକୁ କହିଥାଏ ଖରାପ ଲାଗିଥାଏ । ଏହା ଆମର ସଂସ୍କୃତି ନୁହେଁ । କିଛି ଧର୍ମାନ୍ଧ ତାଙ୍କୁ ନେତାଜୀ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଚିଡାଇଲେ । ଏହା କରିବାକୁ ସେମାନଙ୍କର ସାହସ କିପରି ହେଲା ବୋଲି ମମତା ପ୍ରଶ୍ନ କରିଛନ୍ତି । ଯଦି ସେମାନେ ନେତାଜୀଙ୍କ ପାଇଁ ନାରା ଦେଇଥାନ୍ତେ ତେବେ ଖୁସି ଲାଗିଥାନ୍ତା ବୋଲି ମମତା କହିଛନ୍ତି ।

ମମତା ଆହୁରି କହିଛନ୍ତି ଯେ, ସେ ବନ୍ଧୁକ ମୁନରେ ରାଜନୀତି କରିବା ପସନ୍ଦ କରନ୍ତି ନାହିଁ । ଭିକ୍ଟୋରିଆ ମେମାରିଆଲ ବାହାରେ ବିଜେପି ନେତାମାନେ ଏକତ୍ର ହୋଇ ନାରାବାଜି କରୁଥିଲେ । ଏହା ରବୀନ୍ଦ୍ରନାଥ ଟାଗୋର,  ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ଓ ବିର୍ସା ମୁଣ୍ଡାଙ୍କ ପ୍ରତି ଅପମାନ ଭଳି । ବିଜେପି ନେତାମାନେ ରବୀନ୍ଦ୍ରନାଥ ଶାନ୍ତିନିକେତନରେ ଜନ୍ମ ଲାଭ କରିଥିବା କହୁଛନ୍ତି । କିନ୍ତୁ ସେ ଜରାଶଙ୍ଖରେ ଜନ୍ମ ହୋଇଥିଲେ । ସେମାନେ ସହରରେ ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଛନ୍ତି । ଏପରିକି ବିର୍ସା ମୁଣ୍ଡାଙ୍କୁ ଉଚ୍ଚିତ ସମ୍ମାନ ଜଣାଇ ନାହାଁନ୍ତି । ଏହାସହ ସେ ପଶ୍ଚମବଙ୍ଗରେ ବିଜେପିର ପତିଆରା ବୃଦ୍ଧି ପାଇଁ କଂଗ୍ରେସ ଓ ସିପିଏମକୁ ଦାୟୀ କରିଛନ୍ତି । ଏହି ୩ଜଣଙ୍କୁ ମମତା ଭାଇ ବୋଲି କଗିବା ସହ ବିଜେପି ଦେଶରେ ଦଳିତ ବିରୋଧୀ ବୋଲି ସେ କହିଛନ୍ତି । ଏହାସହ ସେ ପଶ୍ଚିମବଙ୍ଗବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତି ବୋଲି କହିବା ସହ ବାହାର ଲୋକଙ୍କ ଭଳି ନିର୍ବାଚନ ବେଳେ ଆସିବା ଓ ଚାଲିଯିବାରେ ବିଶ୍ୱାସ କରନ୍ତି ନାହିଁ ବୋଲି ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.