ମମତାଙ୍କ ଆଡକୁ ମୁହାଁଇଲେଣି ଦଳ ଛାଡିଥିବା ନେତା, ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନକୁ ବିରୋଧ କଲେ ରାଜୀବ ବାନାର୍ଜୀ, କହିଲେ-'ଲୋକେ ଗ୍ରହଣ କରିବେନି'

Published By : Prameya-News7 Bureau | June 09, 2021 IST

କୋଲକାତା, ୦୯/୦୬:  ପଶ୍ଚିମବଙ୍ଗ ନିର୍ବାଚନ ଶେଷ ହୋଇଛି । ଫଳାଫଳ ମଧ୍ୟ ପ୍ରକାଶ ପାଇଛି । ମମତା ବାନାର୍ଜୀଙ୍କ ନେତୃତ୍ୱରେ ଟିଏମସି ବିପୁଳ ଆସନରେ ବିଜୟ ଲାଭ କରି ସରକାର ଗଢିଛି । ବିଜେପିକୁ ମାତ୍ର ୭୭ଟି ଆସନରେ ସନ୍ତୁଷ୍ଟ ରହିବାକୁ ପଡିଛି ।ଏହାମଧ୍ୟରେ ଅନେକ ନେତା ବିଜେପି ଛାଡି ଟିଏମସିରେ ସାମିଲ ହେବାକୁ ଗୋଡ କାଢି ବସିଛନ୍ତି । ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ପୂର୍ବରୁ ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିବା ନେତା ଘର ବାହୁଡା ପାଇଁ ପାଗ ଭିଡିଲେଣି । ଏହାମଧ୍ୟରେ  ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିବା ପୂର୍ବତନ ମନ୍ତ୍ରୀ ରାଜୀବ ବାନାର୍ଜୀ ମଧ୍ୟ ଘର ବାହୁଡା କରିବାକୁ ସଙ୍କେତ ଦେଲେଣି ।

ନିକଟରେ ରାଜୀବ କହିଥିଲେ ଯେ, ଟିଏମସି ଲୋକଙ୍କ ଭୋଟରେ ବିଜୟୀ ହୋଇଛି । ସରକାରକୁ ବିରୋଧ କରିବା ପାଇଁ ବିଭିନ୍ନ ଧମକ ଓ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କୁହାଯାଉଛି ।ଏହାକୁ ସାଧାରଣ ଲୋକେ ପସନ୍ଦ କରିବେ ନାହିଁ । ହାଓ୍ୱଡା ଦୋମଜୁର ଆସନରୁ ପରାସ୍ତ ହୋଇଥିବା ରାଜୀବ ଟ୍ୱିଟ୍ କରି କହିଛନ୍ତି ଯେ, ଆମକୁ ରାଜନୀତିରୁ ଉପରକୁ ଉଠିବା ପାଇଁ ପଡିବ । ବଙ୍ଗବାସୀଙ୍କ ସହ ରହିବାକୁ ହେବ । ଲୋକମାନେ କୋଭିଡ୍ ଓ ୟସ୍ ଦ୍ୱାରା ପ୍ରଭାବିତ ହୋଇଛନ୍ତି ।

ନିର୍ବାଚନ ପରବର୍ତ୍ତୀ ହିଂସାକୁ ବିଜେପି ବିରୋଧ କରି ଆସୁଛି । ଏହା ବିରୋଧରେ କେନ୍ଦ୍ର ସରକାର ଦୃଢ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରୁଛି । ତେବେ ମମତା ସରକାରରେ ପୂର୍ବରୁ ମନ୍ତ୍ରୀ ଥିବା ରାଜୀବ ବିଜେପିଠୁ ଦୂରତା ଅବଲମ୍ବନ କରୁଛନ୍ତି । ଏପରିକି ସେ ମଙ୍ଗଳବାର ବିଜେପିର ବୈଠକରେ ମଧ୍ୟ ସାମିଲ ହୋଇନଥିଲେ ।

ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ବୈଠକ ଡାକିଥିଲେ । ମମତାଙ୍କ ସହ ସାମିଲ ଥିବା କିଛି ବ୍ୟକ୍ତି ବିଜେପି ନେତାଙ୍କୁ ଆକ୍ରମଣ କରୁଥିବା ସେ କହିଥିଲେ । ଏପରିକି ଘରୁ ତଡିଦେଉଛନ୍ତି । ଏଥିପାଇଁ ସେ ରାଷ୍ଟ୍ରପତି ଶାସନ ରାଜ୍ୟରେ ଲାଗୁ କରିବାକୁ ଦାବି କରିଥିଲେ ।

ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ମମତାଙ୍କ ହାତ ଛାଡି ବିଜେପିରେ ସାମିଲ ଅନେକ ନେତା ପୁଣି ଦିଦିଙ୍କ ଶିବିର ଆଡେ ଢଳିଲେଣି । ପୂର୍ବତନ ବିଧାୟକ ସୋନାଲି ଗୁହା ଓ ଦିପେନ୍ଦୁ ବିଶ୍ୱାସ ଦିଦିଙ୍କୁ ଚିଠି ମଧ୍ୟ ଲେଖିଥିଲେ । କିଛି ଅନ୍ୟ ନେତା ମଧ୍ୟ ଘର ବାହୁଡା ପାଇଁ ଗୋଡ ଟେକି ବସିଛନ୍ତି । ଏପରିକି ରାଜୀବ ନିଜେ ଟିଏମସି ନେତା ମୁକୁଲ ରୟଙ୍କ ପତ୍ନୀଙ୍କୁ ସାକ୍ଷାତ କରିବା ପରେ ସେ ମଧ୍ୟ ଟିଏମସିକୁ ପୁଣି ଫେରିବା ନେଇ ଚର୍ଚ୍ଚା ଜୋର୍ ଧରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.