ଦୋହଲିଲାଣି ମମତାଙ୍କ ଗଡ, ଲଗାତର ଝଟକା ଦେଉଛନ୍ତି ଦଳୀୟ ନେତା, ସ୍ଥିତି ସୁଧାରିବାକୁ ଜରୁରୀ ବୈଠକ ଡାକିଲେ ଦିଦି
18/12/2020 at 10:59 AM

କୋଲକାତା,୧୮/୧୨: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଗଡ ଧିରେଧିରେ ଭୁଶୁଡିବାରେ ଲାଗିଲାଣି । କାରଣ ବିଜେପି ମମତାଙ୍କ ଗଡ ଭାଙ୍ଗିବାକୁ ଜୋରଦାର କସରତ ଆରମ୍ଭ କରିଦେଇଛି । ବିଜେପିର ଜାତୀୟସ୍ତରର ନେତା ପଶ୍ଚିମବଙ୍ଗରେ ଡେରା ପକାଉଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କ ଫୋକସରେ ରହିଛି ପଶ୍ଚିମବଙ୍ଗ । ଆଉ ଗୋଟିଏ ବର୍ଷ ପରେ ଏଠାରେ ବିଧାନସଭା ନିର୍ବାଚନ ଥିବା ବେଳେ ଏବେଠୁ ବଳ କଷାକଷି ହେଲେଣି ବିଜେପି ଓ ଟିଏମସି ।
ରାଜନୈତିକ ଗୋଟିଚାଳନାରେ ସିଦ୍ଧହସ୍ତ ମମତାଙ୍କ ଉପରୁ ଏବେ ଦଳର ଅନେକ ନେତା ଆସ୍ଥା ହରାଇଲେଣି । ଗୋଟିଏ ପରେ ଗୋଟିଏ ବିଧାୟକ ତଥା ରାଜ୍ୟ ରାଜନୀତିରେ ଦବଦବା ରଖୁଥିବା ଛାମୁଆ ନେତା ଏବେ ବିଜେପି ମୁହାଁ । ମମତାଙ୍କ ଘନିଷ୍ଠ ଶୁଭେନ୍ଦୁ ଅଧିକାରୀ ଦଳ ଛାଡିଥିବା ବେଳେ ଗୁରୁବାର ଜିତେନ୍ଦ୍ର ତିଓ୍ୱାରୀ ମଧ୍ୟ ଦଳରୁ ନିଜକୁ ଅଲଗା କରିଛନ୍ତି । ଦଳର ଅପରି ଅବସ୍ଥାକୁ ଦେଖି ଶୁକ୍ରବାର ମମତା ବାନାର୍ଜୀ ଜରୁରୀ ବୈଠକ ଡାକିଛନ୍ତି ।
ଜାତୀୟ ଗଣମାଧ୍ୟମର ସୂଚନାନୁସାରେ, ଟିଏମସି ନେତ୍ରୀ ମମତା ବୈଠକରେ ଦଳର ଆଗାମୀ ରଣନୀତି ବାବଦରେ ଆଲୋଚନା କରିବେ । ଦଳକୁ କିପରି ସୁଦୃଢ କରାଯିବ ସେନେଇ ମଧ୍ୟ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ ।
କୁହାଯାଉଛି ଯେ, ମମତାଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିବା ଶୁଭେନ୍ଦୁ ଅଧିକାରୀ ଏବେ ଟିଏମସି ବିରୋଧରେ ପ୍ରଚାର ଆରମ୍ଭ କରିଦେଇଛନ୍ତି ।ସେ ସମସ୍ତ ଅସନ୍ତୁଷ୍ଟ ନେତାଙ୍କୁ ଏକାଠି କରୁଛନ୍ତି । ଗୁରୁବାର ସେ ସାଂସଦ ସୁନିତ ମଣ୍ଡଲ ଓ ଜିତେନ୍ଦ୍ର ତିଓ୍ୱାରୀଙ୍କ ସହ ଅନେକ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ । କଣ ପାଇଁ ଏହି ବୈଠକ ବସିଥିଲା ସେନେଇ କିଛି ଖବର ମିଳିନାହିଁ ।
ଶୁକ୍ରବାର ମମତା ଡାକିଥିବା ବୈଠକ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ୧୯ ଓ ୨୦ ଡିସେମ୍ବରରେ ଅମିତ ଶାହ ପଶ୍ଚିମବଙ୍ଗ ଗସ୍ତ କରିବେ ବୋଲି କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତରେ ଶୁଭେନ୍ଦୁ ପଦ୍ମ ଧରିବେ ବୋଲି କୁହାଯାଉଛି । ରାଜ୍ୟର ୫୦ରୁ ଅଧିକ ଆସନରେ ଶୁଭେନ୍ଦୁଙ୍କର ଭଲ ଦବଦବା ରହିଛି ।
ଶାହ ୨ଦିନ କୋଲକାତାରେ ରହିବେ । ଏଠାରେ ସେ ତିନୋଟି ରାଲି କରିବାର କାର୍ଯ୍ୟକ୍ରମ ରହିଛି । ଏସବୁ ଉପରେ ନଜର ଦେଇ ଶୁକ୍ରବାର ମମତାଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକ ଅନେକ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।