ଭବାନୀପୁରରେ ବିଜୟୀ ପରେ ଜନସାଧାରଣଙ୍କୁ ଧନ୍ୟବାନ ଜଣାଇଲେ ଦିଦି, କେନ୍ଦ୍ରକୁ କଲେ ଟାର୍ଗେଟ୍‌

Published By : Prameya-News7 Bureau | October 03, 2021 IST

କୋଲକାତା ୦୩/୧୦ : ଦକ୍ଷିଣ କୋଲକାତାର ଭବାନୀପୁର ବିଧାନସଭା ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିପୁଳ ବିଜୟ ହାସଲ କରିଛନ୍ତି । ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେଓ୍ବାଲଙ୍କ ଠାରୁ ୫୮ ହଜାର ୩୮୯ ଭୋଟରେ ଜିତିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିଦି ମୋଟ ୮୪,୭୦୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେଓ୍ବାଲ ପାଇଛନ୍ତି ୨୬, ୩୨୦ ଭୋଟ ।

ବିଜୟୀ ହେବା ପରେ ଭବାନୀପୁର ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦିଦି । ମମତା କହିଛନ୍ତି, ‘ଭବାନୀପୁରର ଜନସାଧାରଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ମୋତେ ୧ ଲକ୍ଷ ୧୫ ହଜାର ଭୋଟ ମିଳିଛି । ଭାବନୀପୁରର କୌଣସି ବି ଓ୍ବାର୍ଡରେ ମୁଁ ପରାଜିତ ହୋଇନାହିଁ । ଭବାନୀପୁର​‌ରେ ମୋଟ ୪୬ ପ୍ରତିଶତ ଅଣ ବଙ୍ଗାଳୀ ଥିବା ବେଳେ ସମସ୍ତେ ଆମକୁ ଭୋଟ ଦେଇଛନ୍ତି ।’

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଆଜି ସମଗ୍ର ପଶ୍ଚିମବଙ୍ଗର ନଜର ଭବାନୀପୁର ଉପରେ ଥିଲା । ଭବାନୀପୁର ଆସନରେ ବିଜୟୀ ହେବାପରେ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ଦିଦି । କହିଛନ୍ତି, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ମୋ ଦଳ ବିରୁଦ୍ଧରେ ଷଡଯନ୍ତ୍ର ରଚାଯାଇଥିଲା । ନିର୍ବାଚନ ବେଳେ ମୋ ଗୋଡରେ ଆଘାତ ଲାଗିଥିଲା । କିନ୍ତୁ ଜନସାଧାରଣ ସହଯୋଗ କରିଥିଲେ ।

ସୂଚନାଯୋଗ୍ୟ, ଗତ ନିର୍ବାଚନରେ ନନ୍ଦୀଗ୍ରାମ ଆସନରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାଜିତ ହୋଇଥିଲେ ଦିଦି । ପୂର୍ବରୁ ୨ ଥର ଭବାନୀପୁରରୁ ନିର୍ବାଚନ ଲଢି ବିଜୟୀ ହୋଇଥିବା ଦିଦି ଗତ ନିର୍ବାଚନରେ କିନ୍ତୁ ଟକ୍କର ଦେବାପାଇଁ ଶୁଭେନ୍ଦୁ ଅଧିକାରୀଙ୍କ ଗଡ ନନ୍ଦୀଗ୍ରାମରୁ ଲଢିଥିଲେ ଏବଂ ପରାଜିତ ହୋଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.