PM କିଷାନ ନିଧି ପ୍ରସଙ୍ଗରେ ମୁହଁ ଖୋଲିଲେ ମମତା, କହିଲେ ଅଧା ସତ କହୁଛନ୍ତି ମୋଦି ! ମୋ ଠୁ ଜାଣନ୍ତୁ ପୁରା ସତ କ’ଣ?
25/12/2020 at 9:12 PM

କୋଲକାତା ୨୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶର ୯ କୋଟି ଚାଷୀଙ୍କ ଲାଗି କିଷାନ ସମ୍ମାନ ନିଧି କ୍ୟାସ୍ ଟ୍ରାନ୍ସଫର କରିଛନ୍ତି। ଏହି ଅବସରରେ ସେ ପଶ୍ଚିମବଙ୍ଗର ୭୦ ଲକ୍ଷ ଚାଷୀଙ୍କ ଲାଗି ଦୁଃଖ ବ୍ୟକ୍ତ କରିବା ସହ ହୀନ ରାଜନୀତି ଯୋଗୁ ଚାଷୀ ସରକାରଙ୍କ ସୁବିଧାରୁ ବଞ୍ଚିତ ହେଉଥିବା କହିଛନ୍ତି। ଯାହାର ଜବାବ ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
ପ୍ରଧାନମନ୍ତ୍ରୀ କେବେ ହେଲେ ପୁରା ସତ କହନ୍ତିନି ବୋଲି କହିଛନ୍ତି ମମତା । ଫଳରେ ଲୋକେ ଭ୍ରମିତ ହେଉଛନ୍ତି। ବାସ୍ତବତା ହେଉଛି କେନ୍ଦ୍ର ସରକାର ପଶ୍ଚିମବଙ୍ଗକୁ ଏପର୍ଯ୍ୟନ୍ତ କୌଣସି ପ୍ରକାରର ସହାୟତା କରୁ ନାହାନ୍ତି। ସହାୟତା ଦୂରର କଥା କେନ୍ଦ୍ର ରାଜ୍ୟର ଜିଏସଟି ବାବଦ ଭାଗ ସମେତ ୮୫ ହଜାର କୋଟି ଟଙ୍କା ବାକି ମଧ୍ୟ ପୈଠ କରୁ ନାହାନ୍ତି। ଏଥିରେ ରାଜ୍ୟର ଚାଷୀଙ୍କ ଲାଗି ପ୍ରଧାନମନ୍ତ୍ରୀଙ୍କ କାନ୍ଦଣା କେବଳ କୁମ୍ଭୀର କାନ୍ଦଣା ବୋଲି କହିଛନ୍ତି ମମତା।
କେନ୍ଦ୍ର ସରକାରଙ୍କ କିଷାନ ନିଧି ଯୋଜନାର ଲାଭ ପଶ୍ଚିମବଙ୍ଗର ଚାଷୀ ପାଉ ନଥିବାରୁ ଆନ୍ଦୋଳନ କାହିଁକି କରୁ ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ। ତେବେ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଚାଲିଛି, ପ୍ରଧାନମନ୍ତ୍ରୀ କରୁଛନ୍ତି କଣ ବୋଲି ମମତା ପ୍ରଶ୍ନ କରିଛନ୍ତି। ମମତା କହିଛନ୍ତି ଯେ କେନ୍ଦ୍ରରୁ ରାଜ୍ୟକୁ ୮୫ ହଜାର କୋଟି ଟଙ୍କା ମିଳିବାକୁ ଅଛି। ଏଥିରେ ରାଜ୍ୟର ଜିଏସଟି ଅଂଶଦାନ ବାବଦକୁ ୮ ହଜାର କୋଟି ଟଙ୍କା ମଧ୍ୟ କେନ୍ଦ୍ର ସରକାର ବାକି ରଖିଛନ୍ତି। ଏଥିରେ ରାଜ୍ୟର ଚାଷୀଙ୍କ ଲାଗି କୁମ୍ଭୀର କାନ୍ଦଣା କାନ୍ଦିବା ଏକ ବାହାନା ମାତ୍ର ବୋଲି କହିଛନ୍ତି।