ମାଟିତଳୁ ମିଳିଥିବା ସୁନା ଚେନ୍, ପାଉଁଜି ଓ ବ୍ୟାଗ୍ ମମିତାଙ୍କର, ଥାନାରେ ଚିହ୍ନଟ କଲେ ବଡବାପା

Published By : Prameya-News7 Bureau | October 19, 2021 IST

କଳାହାଣ୍ଡି ୧୯।୧୦: ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ନୁଆ ମୋଡ । ମହାଲିଙ୍ଗ୍ ଷ୍ଟାଡିୟମ୍ ମାଟି ତଳୁ ଉଦ୍ଧାର ହୋଇଥିବା ସୁନା ଚେନ୍ ଓ ପାଉଁଜି ମମିତାଙ୍କର । ମହାଲିଙ୍ଗ କେଗାଁ ଥାନାରେ ଚିହ୍ନଟ କଲେ ମମିତାଙ୍କ ବଡବାପା କୌଶିକ ମେହେର । ମମିତା ମେହେରଙ୍କୁ ହତ୍ୟା ପରେ ପୋଡି ଦେଇ ମାଟି ତଳେ ପୋତି ଦିଆଯାଇଥିବା ସନ୍ଦେହ । ତେବେ ଏହା ପଛରେ ରହିଛି ଅନେକ ଗୁଢ ରହସ୍ୟ । ଯାହା ଫେରାର ଥିବା ସ୍କୁଲ ସଭାପତି ଗୋବିନ୍ଦ ସାହୁ ଗିରଫ ପରେ ହେବ ଖୁଲାସା ।

ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜର ୧୨ ଦିନ ପରେ ମିଳିଛି ଚାଞ୍ଚଲ୍ୟକର ତଥ୍ୟ ।  ପୋଲିସ ଉପସ୍ଥିତିରେ ମହାଲିଙ୍ଗ ସ୍ଥିତ ସରକାରୀ ସ୍କୁଲର ନିର୍ମାଣଧୀନ ଖେଳ ପଡିଆରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ଯାଞ୍ଚ କରିଥିଲା ।  ପ୍ରାୟ ୫ ଫୁଟ ମାଟି ତଳୁ ପୋଡା ହାଡ, ରୂପା ପାଉଁଜି, ଭ୍ୟାନିଟି ବ୍ୟାଗ ଜବତ କରିଛି ସାଇଣ୍ଟିଫିକ୍ ଟିମ୍ । ସେସବୁ ମମିତାଙ୍କର ବୋଲି ପରିବାରଲୋକ ଚିହ୍ନଟ କରିଛନ୍ତି । ଆବଶ୍ୟକ ପଡିଲେ ଜବତ ହାଡର ଡିଏନଏ ଟେଷ୍ଟ ମଧ୍ୟ କରାଯିବ ।

ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଗତ ୮ ତାରିଖଠାରୁ ନିଖୋଜ ଥିଲେ । ପରିବାରଲୋକ ୧୨ ତାରିଖରେ ବଲାଙ୍ଗୀର ଜିଲ୍ଲା ସିନ୍ଦକେଲା ଥାନାରେ ମାମଲା ରୁଜୁ କଲେ ।  ୧୪ ତାରିଖ ଦିନ ପୋଲିସ ସ୍କୁଲର ପରିଚାଳନା ସଭାପତି ଗୋବିନ୍ଦ ସାହୁଙ୍କୁ ଅଟକ ରଖିଥିଲା । ହେଲେ ହଠାତ ୧୬ ତାରିଖ ଗୋବିନ୍ଦ ସାହୁ ଟିଟିଲାଗଡ ପୋଲିସ ହେପାଜତରୁ ଫେରାର ପରେ ତନାଘନା ଆରମ୍ଭ ହୋଇଥିଲା ।  ଗତ ୧୮ ତାରିଖରେ ଖୋଦ ବଲାଙ୍ଗୀର ଓ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ତଦନ୍ତ ଭାର ନେଇଥିଲେ । କଳାହାଣ୍ଡିରେ ତିନି ଗୋଟି ପୋଲିସ ଟିମ୍ ଚଢାଉ କରିଥିଲା ।ୟ  ମହାଲିଙ୍ଗ ସ୍ଥିତ ଖେଳ ପଡିଆର ରାତ୍ରୀ ଜଗୁଆଳି ଗୁପ୍ତେ ତାଣ୍ଡି ୧୨ ତାରିଖ ରାତିରେ ଖେଳ ପଡିଆରେ କିଛି କାମ ହୋଇଥିବା ସୂଚନା ଦେଇଥିଲେ । ତାଙ୍କ ସୂଚନା ଆଧାରରେ ଜେସିବି ଡ୍ରାଇଭର ପୁଷ୍କର ଭୋଇଙ୍କୁ ସିନ୍ଦକେଲା ଥାନାରେ ଜେରା କରାଯାଇଥିଲା । ଏବଂ ଜେସିବି ଡ୍ରାଇଭରଙ୍କ ବୟାନ ଆଧାରରେ ପୋଲିସ ଖେଳପଡିଆ ମାଟି ତଳୁ ମର୍ଡର ମିଷ୍ଟ୍ରିର ସନ୍ଧାନ ମିଳିଥିଲା । ଯଦିଓ ପୋଲିସ କୌଣସି ଅଧିକୃତ ବୟାନ ଜାରି କରିନାହିଁ । ବରଂ ଫେରାର ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ମୋଷ୍ଟ ଓ୍ବାଣ୍ଟେଡ ଘୋଷଣା କରି ୨୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ।

ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲା ସିନ୍ଦକେଲାଠାରେ ମହାଲିଙ୍ଗ କଲେଜର ଯୁକ୍ତ ୨ ଅଧ୍ୟକ୍ଷ ରଣଜିତ ସାହୁ, ଜେସିବି ଡ୍ରାଇଭର ପୁଷ୍କର ଭୋଇ, ରାତ୍ରୀ ଜଗୁଆଳି ଗୁପ୍ତେ ତାଣ୍ଡିଙ୍କୁ ସାମ୍ନାସାମ୍ନି ପଚରା ଉଚୁରା କରାଯିବ । ସେହିପରି ପରିବାରକୁ ସୂଚନା ଦେଇଥିବା କଲେଜ ପୂର୍ବତନ ଯୁକ୍ତ ୩ ଛାତ୍ରୀଙ୍କୁ ମଧ୍ୟ ଜେରା କରିବ । ପୂର୍ବରୁ ଭାଇରାଲ ହୋଇଥିବା ଅନେକ ଅଡିଓରେ କଲେଜରେ ଯୌନ ଶୋଷଣ ହିଁ ମମିତା ଅପହରଣର ମୁଖ୍ୟ କାରଣ ବୋଲି ଅଭିଯୋଗ ହେଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.