Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାରମ୍ପରିକ ଆସନକୁ ଫେରିବେ ମମତା, ନନ୍ଦିଗ୍ରାମରୁ ପରାଜୟ ପରେ ଲଢ଼ିବେ ଉପନିର୍ବାଚନ

21/05/2021 at 3:45 PM

କୋଲକାତା ୨୧/୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ନିଜର ପାରମ୍ପରିକ ସିଟ୍‌ ଭବାନୀପୁର ସିଟ୍‌ରୁ ନିର୍ବାଚନ ଲଢ଼ି ବିଧାନସଭା ପହଞ୍ଚିବାକୁ ପ୍ରସ୍ତୁତ ହେଉଛନ୍ତି। ମମତାଙ୍କ ରାସ୍ତା ସଫା କରିବାକୁ ଏବେ ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟ ଭବନୀପୁରରୁ ସିଟ୍‌ରୁ ଇସ୍ତଫା ଦେଇଛନ୍ତି। ଶୋଭନଦେବଙ୍କ ଇସ୍ତଫା ବିଧାନସଭା ବାଚସ୍ପତି ବିମାନ ବାନାର୍ଜୀ ଗ୍ରହଣ କରିଛନ୍ତି।

ବାନାର୍ଜୀ କହିଛନ୍ତି,‘ମୁଁ ତାଙ୍କୁ ପଚାରିଛି ସେ ନିଜେ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବାକୁ ତାଙ୍କ ଉପରେ କେହି ଚାପ ପକାଇନାହାନ୍ତି। ମୁଁ ସନ୍ତୁଷ୍ଟ ଅଛି ଏବଂ ତାଙ୍କର ଇସ୍ତଫା ଗ୍ରହଣ କରିଛି।’ ଏବେ ଉପନିର୍ବାଚନରେ ବିଜୟୀ ହୋଇ ବିଧାନସଭା ପହଞ୍ଚିବେ ମମତା ବାନାର୍ଜୀ। ମମତା ବାନାର୍ଜୀ ଭବାନୀପୁର ସିଟ୍‌ରୁ ନିର୍ବାଚନ ଲଢ଼ିଆସିଛନ୍ତି। କିନ୍ତୁ ଏଥର ସେ ନନ୍ଦିଗ୍ରାମ ଆସନରୁ ଲଢ଼ିବା ପାଇଁ ସ୍ଥିର କରିଥିଲେ। ନନ୍ଦିଗ୍ରାମରୁ ତାଙ୍କୁ ନିଜର ପୂର୍ବତନ ଖାସ ସହଯୋଗୀ ଏବଂ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପାଖରୁ ପରାଜୟ ସ୍ବୀକାର କରିବାକୁ ପଡ଼ିଥିଲା।

ନନ୍ଦିଗ୍ରମାରୁ ହାରିବା ପରେ ମଧ୍ୟ ମମତା ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏବେ ତାଙ୍କୁ ୬ ମାସ ମଧ୍ୟରେ ନିର୍ବାଚନ ଜିତି ବିଧାନସଭାର ସଦସ୍ୟତା ହାସଲ କରିବାକୁ ପଡ଼ିବ। ମମତା ପାଇଁ ବିଧାୟକ ପଦରୁ ଇସ୍ତଫାକୁ ନେଇ ଶୋଭନଦେବ କହିଛନ୍ତି ଏହା ଦଳର ନିଷ୍ପତ୍ତି । ବେଙ୍ଗଲର କୃଷି ମନ୍ତ୍ରୀ ଶୋଭନଦେବ ଚଟ୍ଟୋପଧ୍ୟାୟ କହିଛନ୍ତି, ‘ମୁଁ ଆଜି ଭବାନୀପୁର ବିଧାୟକ ପଦରୁ ଇସ୍ତଫା ଦେବାକୁ ଯାଉଛି। ଏହା ଦଳ ସହ ମୋର ବି ନିଷ୍ପତ୍ତି। ମୁଁ ଏହି ନିଷ୍ପତ୍ତିରେ ଖୁସି ଅଛି।’ ସେପଟେ ବିଶେଷ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଶୋଭନଦେବ ଖରଦାହ ସିଟ୍‌ରୁ ନିର୍ବାଚନ ଲଢ଼ିପାରନ୍ତି। ଏହି ସିଟ୍‌ରେ ଟିଏମସି ନେତା କାଜଲ ସିହ୍ନାଙ୍କ ମୃତ୍ୟୁ ପରେ ନିର୍ବାଚନ ହୋଇପାରି ନଥିଲା।

   Related Posts