ନଡ୍ଡାଙ୍କ ପଟୁଆର ଉପରେ ଆକ୍ରମଣ ମାମଲା: ମମତା କହିଲେ ନାଟକ, ରିପୋର୍ଟ ତଲବ କଲେ ଶାହ
10/12/2020 at 10:43 PM

ନୂଆଦିଲ୍ଲୀ/କୋଲକାତା ୧୦।୧୨: ପଶ୍ଚିମବଙ୍ଗରେ ବିଜେପି ଜାତୀୟ ସଭାପତିଙ୍କ ପଟୁଆର ଉପରକୁ ତୃଣୂମୂଳ କଂଗ୍ରେସ କର୍ମୀଙ୍କ ଟେକାପଥର ମାଡ଼ ଘଟଣା କ୍ରମଶଃ ଜଟିଳ ରାଜନୈତିକ ରୂପ ନେବାରେ ଲାଗିଲାଣି । ଅଭିଯୋଗକୁ ତୃଣମୂଳ ନେତ୍ରୀ ମମତା ବାନାର୍ଜୀ ନାଟକ ବୋଲି କହିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମାମଲାରେ ରାଜ୍ୟପାଳଙ୍କୁ ରିପୋର୍ଟ ମାଗିଛନ୍ତି।
ଟେକାପଥର ମାଡକୁ ନଡ୍ଡା ଅଭୂତପୂର୍ବ କହିଛନ୍ତି। ରାଜ୍ୟର ଆଇନ ବ୍ୟବସ୍ଥାକୁ ନେଇ ଅଙ୍ଗୁଳି ଉଠାଇଛନ୍ତି। ସେପଟେ ମମତା ବାନାର୍ଜୀ ବିଜେପିର ଏହା ନିୟମିତ ଅଭିଯୋଗ ବୋଲି କହିଛନ୍ତି। ସେମାନେ ହାତ ହତିଆର ସହ ପଟୁଆର ବାହର କରୁଛନ୍ତି ଓ ନିଜନିଜ ମଧ୍ୟରେ ମାରପିଟ ହୋଇ ତୃଣଣୂଳ ବିରୋଧକୁ ଦୋଷ ଦେଉଛନ୍ତି ବୋଲି କହିଛନ୍ତି।
ଏହା ଛଡା ବିଜେପି ବରିଷ୍ଠ ନେତାମାନେ ବିଏସଏଫ, ସିଆରପିଏଫ, ସିଆଇଏସଏଫ ଓ ସେନା ଗହଣରେ ବୁଲୁଛନ୍ତି। ଏଥିରେ ବି ସେମାନେ ଆକ୍ରମଣ ଅଭିଯୋଗ କରୁଛନ୍ତି କିପରି ବୋଲି ମମତା ପ୍ରଶ୍ନ କରିଛନ୍ତି। ତେବେ ଘଟଣାକୁ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ ଓ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ପ୍ରମୁଖ ନିନ୍ଦା କରିଛନ୍ତି। ବିଜେପି ଜାତୀୟ ସଭାପତିଙ୍କ ପଟୁଆର ଉପରକୁ ଏପରି ଆକ୍ରମଣର ଗୁରୁତ୍ୱକୁ ଦେଖି ମାମଲାର ସମ୍ପୂର୍ଣ୍ଣ ଯାଞ୍ଚ ହେବା ଦରକାର ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ।

ଏ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି। ଯେଉଁଥିରେ ମମତା ବାନାର୍ଜୀଙ୍କ ତୃଣମୂଳ ସରକାରରେ ବେଙ୍ଗଲ ଅତ୍ୟାଚାର ଓ ଅରାଜକତାର ଯୁଗକୁ ଚାଲିଯାଇଥିବାର ଶାହ ଉଲ୍ଲେଖ କରିଛନ୍ତି। ରାଜ୍ୟରେ ରାଜନୈତିକ ହିଂସା ସଂସ୍ଥାଗତ ହୋଇସାରିଥିବା ସେ ଲେଖିଥିବା ବେଳେ ଏହା ଗଣତନ୍ତ୍ରରେ ବିଶ୍ୱାସ ରଖୁଥିବା ପ୍ରତ୍ୟେକଙ୍କ ଲାଗି ଚିନ୍ତାଜନକ ବୋଲି କହିଛନ୍ତି।

ସେହିପରି ରାଜ୍ୟପାଳ ଜଗଦ୍ଦୀପ ଧନଖଡ ମଧ୍ୟ ଏକ ଟ୍ୱିଟ୍ କରିଛନ୍ତି। ଏଭଳି ଘଟଣା ଲାଗି ସେ ପୂର୍ବରୁ ପୋଲିସକୁ ସତର୍କ କରାଇଥିବା ଉଲ୍ଲେଖ କରିଛନ୍ତି। ନଡ୍ଡା ଗୁରୁବାର ପୂର୍ବାହ୍ନରେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ସମ୍ମିଳନୀରେ ଯୋଗଦେବା ଲାଗି ଡଜାୟମଣ୍ଡ ହାରବର ଯିବା ରାସ୍ତାରେ ଆକ୍ରମଣର ଶିକାର ହୋଇଥିଲେ। ଲୋକଙ୍କ ଟେକାପଥର ମାଡରେ କୈଲାଶ ବିଜୟ ବର୍ଗିୟଙ୍କ ସମେତ ଅନେକ ବିଜେପି ନେତା ଆହତ ମଧ୍ୟ ହୋଇଛନ୍ତି। ଜାଗାଜାଗରେ ବିଜେପି ନେତାଙ୍କ ଉପରେ ତୃଣମୂଳ ପତାକା ଧରି ଲୋକେ ଆକ୍ରମଣ କରିଥିଲେ। ତେବେ ଆକ୍ରମଣକାରୀ ବାସ୍ତବରେ ତୃଣମୂଳ କର୍ମୀ କି ନୁହଁ ତାହା ସ୍ପଷ୍ଟ ହୋଇନଥିବା ବେଳେ ସୁରକ୍ଷା କର୍ମୀଙ୍କ ଗଣରେ ସେମାନେ ଆକ୍ରମଣ କରୁଥିବା ଭିଡିଓ ଚିତ୍ରରୁ ଦେଖାଯାଇଛି।