ମମତାଙ୍କ ବିବାଦୀୟ ବୟାନ: କହିଲେ- ‘ଦେଶରେ ମୋଦୀ ବଡ଼ ଦଙ୍ଗାବାଜ୍‌, ଗୁଣ୍ଡା ବେଙ୍ଗଲରେ ଶାସନ କରିପାରିବେ ନାହିଁ’

Published By : Prameya-News7 Bureau | February 24, 2021 IST

କୋଲକାତା ୨୪/୦୨: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ରାଜ୍ୟରେ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇସାରିଛି। ଟିଏମସି ପୁଣି ଥରେ ଶାସନକୁ ଫେରିବା ପାଇଁ କସରତ କରୁଥିବା ବେଳେ ବିଜେପି କିନ୍ତୁ ବେଙ୍ଗଲ ସମୀକରଣ ବଦଳାଇବାକୁ ପ୍ରୟାସ ଚଳାଇଛି। ଏହାରି ଭିତରେ ବୁଧବାର ହୁଗଳିର ଡନଲପ୍‌ରେ ଏକ ବିଶାଳ ରାଲିକୁ ସମ୍ବୋଧନ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ଉପରେ ବିବାଦୀୟ ଟିପ୍ପଣୀ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାବଣ, ରାକ୍ଷସ ଏବଂ ଗୁଣ୍ଡା ବୋଲି କହିଛନ୍ତି ମମତା।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଡନଲପ୍‌ରେ ରାଲିକୁ ସମ୍ବୋଧନ କରିଥିଲେ। ମମତା ବାନାର୍ଜୀ ଜନସଭାକୁ ସମ୍ବୋଧନ କରିବା ବେଳେ କହିଛନ୍ତି, ‘ସବୁ ବେଳେ ଆପଣ କହୁଛନ୍ତି ତୃଣମୂଳ କଂଗ୍ରେସ ଟୋଲାବାଜ, କିନ୍ତୁ ଆଜି ମୁଁ କହୁଛି ଆପଣ ଦଙ୍ଗାବାଜ ଏବଂ ଦଗାବାଜ। ବେଙ୍ଗଲ ଉପରେ ବେଙ୍ଗଲୀ ଶାସନ କରିବ। ବେଙ୍ଗଲ ଉପରେ ଗୁଜୁରାଟୀ ଶାସନ କରିପାରିବ ନାହିଁ। ମୋଦୀ ବେଙ୍ଗଲରେ ରାଜ କରିପାରିବେନି। ବେଙ୍ଗଲରେ ଗୁଣ୍ଡା ଏବଂ ବଦମାସ ରାଜ ଚଳିବ ନାହିଁ।’

ମମତା ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି, ଭାରତୀୟ ଜନତା ପାର୍ଟି ମହିଳାଙ୍କୁ ସମ୍ମାନ କରେ ନାହିଁ। ସେଥିପାଇଁ ରୁଜିରାଙ୍କୁ କୋଇଲା ମାମଲାରେ ଫସାଇବା ସହ ତାଙ୍କୁ ଟାର୍ଗେଟ କରାଯାଉଛି। ଏହି ସମୟରେ ମମତା ମିଡିଆକୁ ବି ଟର୍ଗେଟ କରିଛନ୍ତି। ଟିଏମସି ସରକାର ଅନେକ ବିକାଶ ଯୋଜନା ଆଣିଛି। ମୋଦୀ କଣ କରିଛନ୍ତି ।ସେ ମଡିଆ ମାଲିକଙ୍କୁ ଧମକ ଦେଇଛନ୍ତି । ତେଣୁ ମିଡିଆ ଯାହା ଦେଖଉଛି ତାହା ଉପରେ ବିଶ୍ବାସ କରନ୍ତୁ ନାହିଁ କାରଣ ସେଗୁଡ଼ିକ ମିଥ୍ୟା ବୋଲି ମମତା ଉପସ୍ଥିତ ଜନତାଙ୍କୁ କହିଛନ୍ତି।

ସେ ଆହୁରି କହିଛନ୍ତି, ‘ଆମକୁ ସିବିଆଇ ଭୟ ଦେଖାଯାଉଛି। କିନ୍ତୁ ଗିରଫ କରି ଦେଖନ୍ତୁ ତ। କେତେ​‌ ଲୋକଙ୍କୁ ଗିରଫ କରିବେ। ୨୦ ଲକ୍ଷ ଲୋକଙ୍କୁ ଗିରଫ କରିବାକୁ ପଡ଼ିବ। ମୋତେ ଏଠାରେ ଚାପିବାକୁ ଚେଷ୍ଟା କଲେ ଦିଲ୍ଲୀରେ ଗଛ ହୋଇ ଉଠିବି। ଘାଇଲା ବାଗୁଣୀ ଭୟଙ୍କର ହୋଇଥାଏ। ଖେଳ ଜାରି ରହିଛି।’  ଯଦି ଆପଣମାନେ ବେଙ୍ଗଲରେ ତାଙ୍କୁ ହରାଇଦେବେ ତେବେ ସେମାନେ ଭାରତରୁ ଉଭେଇ ଯିବେ ବୋଲି ଲୋକମାନଙ୍କୁ କହିଛନ୍ତି ମମତା ବାନାର୍ଜୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.