କୋଲକାତା ୧୯।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଦ୍ରୋହୀ ନେତାଙ୍କୁ ନେଇ ମୁହଁ ଖୋଲିଛନ୍ତି। କହିଛନ୍ତି ଭଲ ହେଇଛି ଏଭଳି ନେତା ଆପେ ଆପେ ଦଳରୁ ବାହାରି ଯାଇଛନ୍ତି। ମମତାଙ୍କ ତୃଣମୂଳ କଂଗ୍ରେସରୁ ନନ୍ଦିଗ୍ରାମ ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ସହ ବନଶ୍ରୀ ମାଇତୀ, ଶୀଳଭଦ୍ର ଦତ୍ତ ଓ ଆଉ କିଛି ନେତା ଶନିବାର ବିଜେପିରେ ଯୋଗ ଦେଇଛନ୍ତି। ଦଳରୁ ନେତାଙ୍କ ପଳାୟନ ପରେ ମମତା ତାଙ୍କ ବାସଭବନରେ କିଛି ବଛାବଛା ନେତାଙ୍କୁ ନେଇ ଦଳର ସ୍ଥିତି ସମୀକ୍ଷା କରିବା ଅବସରରେ ଏପରି କହିଛନ୍ତି।
ବୈଠକ ନେଇ ପାର୍ଟି ସୂତ୍ରରୁ ମିଳିଥିବା ସୂଚନାରୁ ବିଦ୍ରୋହୀ ନେତାଙ୍କୁ ନେଇ ଚିନ୍ତିତ ନ ହେବା ଲାଗି ମମତା ପରାମର୍ଶ ଦେଇଥିବା ଜଣାପଡିଛି। ଦଳରେ ସେଭଳି ନେତାଙ୍କ ଆବଶ୍ୟକତା ନଥିଲା କି ନାହିଁ। ରାଜ୍ୟବାସୀ ଜାଣନ୍ତି ସେମାନଙ୍କୁ କାହାର ସରକାର ଦରକାର କାହାକୁ ବିଧାୟକ ଜିତାଇବେ ବୋଲି କହିଛନ୍ତି ମମତା। ଅଧିକାରୀଙ୍କ ସମର୍ଥକ ବିଧାୟକମାନେ ଦଳ ଛାଡିଛନ୍ତି ଓ ଛାଡିବାକୁ ଘୋଷଣା କରିଛନ୍ତି। ତେବେ ଏଥିରେ କେବଳ ତୃଣମୂଳ କଂଗ୍ରେସ ନେତା ବିଧାୟକ ନୁହନ୍ତି ବିରୋଧୀ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟିର ତାପସୀ ମଣ୍ଡଳ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।
ତୃଣମୂଳ କଂଗ୍ରେସର ବନଶ୍ରୀ ମାଇତୀ କନ୍ଥୀ ଉତ୍ତର ନିର୍ବାଚନ ମଣ୍ଡଳୀରୁ ଦୁଇଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଇ-ମେଲ ଯୋଗେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କର ଇସ୍ତଫାପତ୍ର ପଠାଇଦେଇଥିବା କହିଛନ୍ତି। ଏଥିରେ ସେ ଦଳର ପ୍ରାଥମିକ ସଦସ୍ୟତା ମଧ୍ୟ ତ୍ୟାଗ କରିଥିବା କହିଛନ୍ତି। ବନଶ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଜଣେ ପ୍ରମୁଖ ସମର୍ଥକ ଥିଲେ। ତେବେ ମାକପା ବିଧାୟକ ଦଳ ନେତା ତାପସୀ ମଣ୍ଡଳଙ୍କ ଦଳତ୍ୟାଗକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଅନେକ ସମୟରୁ ବିଜେପିରେ ଯୋଗଦେବା ଲାଗି ଚାହୁଁଥିଲେ ବୋଲି କହିଛନ୍ତି ସୂଜାନ ଚକ୍ରବର୍ତ୍ତୀ।