ବିଜେପିକୁ ପ୍ରେମ କରୁଥିବା ବିଦ୍ରୋହୀ ନେତାଙ୍କୁ ଦିଦିଙ୍କ କଡା ଚେତାବନୀ-‘ସ୍ୱଇଚ୍ଛାରେ ଛାଡିପାରିବେ ଟିଏମ୍ସି’
5/12/2020 at 11:44 AM

କୋଲକାତା ୦୫/୧୨ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ନିର୍ବାଚନ ପାଖେଇ ଆସିଲା ବେଳକୁ ରାଜନୀତି ସରଗରମ ହେବାକୁ ଲାଗିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଗାତାର ବିରୋଧୀ ବିଜେପି ଟାର୍ଗେଟ କରୁଛନ୍ତି। ମମତା ବିରୋଧୀ ନେତାଙ୍କୁ ଟାର୍ଗେଟ କରି ଚେତାବନୀ ଦେଉଛନ୍ତି। ସେ ଦଳ ବିରୋଧୀ ଗତିବିଧିରେ ସାମିଲ ନେତାଙ୍କୁ ଦଳ ଛାଡିବାକୁ ଖୋଲାଖୋଲି ଭାବେ କହିଦେଇଛନ୍ତି। ନିକଟରେ ମମତା ସରକାରଙ୍କ ମନ୍ତ୍ରୀ ଓ ନେତା ଚାପା ସ୍ୱରରେ ବିଦ୍ରୋହୀ ଛବି ଦେଖାଇଛନ୍ତି। ଫଳରେ ଏହିଭଳି ନେତା ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି।
ମମତା ଶୁକ୍ରବାର ଦିନ ଦଳ ବିରୋଧୀ ଗତିବିଧି ବିରୋଧରେ କଡା ଚେତାବନୀ ଦେଇ କହିଛନ୍ତି ଯେ ବିରୋଧୀଙ୍କ ସମ୍ପର୍କରେ ଥିବା ତୃଣମୂଳ ନେତା ଦଳ ଛାଡିପାରିବେ। ସେ କାହାର ନାଁ ନେଇନାହାନ୍ତି, କିନ୍ତୁ ସୂତ୍ର ଅନୁଯାୟୀ ଦଳ ବିରୋଧରେ ମନ୍ତବ୍ୟ ଦେଇଥିବା କିଛି ବିଧାୟକ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ଆଡକୁ ମମତା ଇସାରା କରିଛନ୍ତି ଯିଏ ନିକଟରେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଜଣେ ନେତା ଦଳରୁ ବାହାରି ଯାଉଛନ୍ତି ତାହେଲେ ସେ ଆହୁରି ଲକ୍ଷ ଲକ୍ଷ ନେତା ଛିଡା କରିପାରିବେ।
ଶୁଭେନ୍ଦୁ ଅଧିକାରୀଙ୍କ ପିତା ଓ ପୁରବା ମେଦିନୀପୁର ଟିଏମସି ପ୍ରମୁଖ ଓ କାଁଥି ସାଂସଦ ଶିଶିର ଅଧିକାରୀଙ୍କ ସହ ମଧ୍ୟ କଥାବାର୍ତ୍ତା କରିଛନ୍ତି ଏବଂ ଦଳ ବିରୋଧୀ ଗତିବିଧି ଉପରେ ଲଗାମ୍ ଲଗାଇବାକୁ ଏବଂ ଦଳରେ ବିରୋଧ ସମାପ୍ତ କରିବାକୁ କହିଛନ୍ତି। ସେ କହିଛନ୍ତି ଦଳ ବିରୋଧୀ ଗତିବିଧିକୁ କ୍ଷମା ଦିଆଯିବନି କି ବରଦାସ୍ତ କରାଯିବନି। ବିରୋଧୀ ଦଳ ସମ୍ପର୍କରେ ଥିବା ନେତା ଦଳ ଛାଡିବା ପାଇଁ ସ୍ୱତନ୍ତ୍ର ବୋଲି ସେ କହିଛନ୍ତି।
ମମତା ବାନାର୍ଜୀ ନୂଆ କୃଷକ ଆଇନ ବିରୋଧରେ ଉତ୍ତର ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ଏବଂ ଟିଏମସିର କୃଷକ ଶାଖାକୁ କହିଛନ୍ତି ଯେ ଡିସେମ୍ବର ୮ ତାରିଖରେ ସେ ମଧ୍ୟ କୋଲକାତା ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମା ସମ୍ମୁଖରେ ତିନି ଦିନିଆ ଧାରଣା ପ୍ରଦର୍ଶନ କରନ୍ତୁ।