ମୋଦିଙ୍କୁ ଦିଦିଙ୍କ ଚ୍ୟାଲେଞ୍ଜ : ‘୨୦ ନୁହେଁ ୧୨୦ ରାଲି କରୁ ବିଜେପି, ତଥାପି ଜିତିବୁ ଆମେ’

Published By : Prameya-News7 Bureau | March 05, 2021 IST

କୋଲକାତା ୦୫/୦୩ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥୀ ତାଲିକା ଘୋଷଣା କରିଛି ତୃଣମୂଳ କଂଗ୍ରେସ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ନନ୍ଦିଗ୍ରାମରୁ ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି । ମୋଟ ୨୯୧ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି ଟିଏମ୍‌ସି । ଏହା ସହିତ ସହଯୋଗୀ ଦଳଙ୍କ ପାଇଁ ମଧ୍ୟ ୩ଟି ସିଟ୍‌ ଛାଡିଛନ୍ତି ମମତା ବାନର୍ଜୀ ।

ପ୍ରେସ୍‌ କନଫରେନ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ମମତା ବାନାର୍ଜୀ । ଏହା ସହିତ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମୋଦିଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଦିଦି । ବିଧାନସଭା ନିର୍ବାଚନ ପାଇଁ ୨୦ଟି ସ୍ଥାନରେ ରାଲି କରିବାକୁ ଯୋଜନା କରିଛି ବିଜେପି । ତେବେ ଏହାକୁ ଟାର୍ଗେଟ୍‌ କରି ଦିଦି କହିଛନ୍ତି, ‘୨୦ ରାଲି ଛାଡି ୧୨୦ ରାଲି କଷଳ ମଧ୍ୟ, ନିର୍ବାଚନରେ ଶେଷ ଯାଏଁ ଲଢେଇ ଜାରି ରଖିବୁ। ନିର୍ବାଚନ ଜିତିବା ପାଇଁ ପ୍ରବଳ ଟଙ୍କା ଖର୍ଚ୍ଚ କରୁଛି ବିଜେପି । ’

ଚଳିତ ଥର ମମତା ବାନାର୍ଜୀ ନନ୍ଦିଗ୍ରାମରୁ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି । ପ୍ରତିଥର ସେ ଭବାନୀପୁରରୁ ନିର୍ବାଚନ ଲଢିଆସୁଥିଲେ । କିନ୍ତୁ ଏଥର ସେ କେବଳ ନନ୍ଦିଗ୍ରାମରୁ ନିର୍ବାଚନ ଲଢିବା ପାଇଁ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଟିଏମ୍‌ସିରୁ ଯାଇ ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀ, ମମତା ବାନାର୍ଜୀଙ୍କୁ ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀ ହେବାକୁ ଚ୍ୟାଲେଞ୍ଜ୍‌ କରିଥିଲେ । ତେବେ ଶୁଭେନ୍ଦୁଙ୍କ ଏହି ଚ୍ୟାଲେଞ୍ଜଙ୍କୁ ଗ୍ରହଣ କରିଛନ୍ତି ଦିଦି । ନିଜେ ନନ୍ଦିଗ୍ରାମ ଆସନରୁ ଲଢିବା ନେଇ ଘୋଷଣା କରିଛନ୍ତି ମମତା ବାନାର୍ଜୀ ।

ମୋଟ ୨୯୪ ଆସନ ମଧ୍ୟରୁ ୨୯୧ ପ୍ରାର୍ଥୀଙ୍କ ତାଲିକା ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନର୍ଜୀ । ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ୫୦ ଜଣ ମହିଳାଙ୍କୁ ସ୍ଥାନ‌ ଦିଆଯାଇଛି । ମୁସଲିମ୍‌ ପ୍ରାର୍ଥୀଙ୍କୁ ମଧ୍ୟ ପ୍ରାଧାନ୍ୟ ଦେଇଛନ୍ତି ଟିଏମ୍‌ସି ସୁପ୍ରିମୋ । ମୋଟ ୨୯୧ ପ୍ରାର୍ଥୀଙ୍କ ମଧ୍ୟରୁ ୪୨ ଜଣ ମୁସିଲିମ୍‌ଙ୍କ ନାଁ ଘୋଷଣା କରାଯାଇଛି । ଏହା ସହିତ ୭୯ ଏସ୍‌ସି ପ୍ରାର୍ଥୀ ଏବଂ ୧୭ ଏସ୍‌ଟି ପ୍ରାର୍ଥୀଙ୍କୁ ଟିକେଟ୍‌ ମିଳିଛି । କେବଳ ସେତିକି ନୁହେଁ ଚଳିତ ଥର ଗାୟକ, କ୍ରିକେଟର, ଅଭିନେତାଙ୍କୁ ମଧ୍ୟ ନିର୍ବାଚନ ମୈଦାନକୁ ଆଣିଛି ଦଳ । କ୍ରିକେଟର ମନୋଜ ତିଓ୍ବାରୀଙ୍କୁ ଶିବପୁର ଆସନରୁ ଲଢିବାକୁ ଘୋଷଣା କରାଯାଇଛି । ସେହିପରି ଅଭିନେତ୍ରୀ କାଞ୍ଚନ ମଲିକଙ୍କୁ ଉତ୍ତରପଡା ଆସନରୁ ପ୍ରାର୍ଥୀ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.