ରାଗି ଗଲେ ଦିଦି: ମଞ୍ଚରେ ଭାଷଣ ଦେବାକୁ ମନା କଲେ, କହିଲେ- ଡାକି ଅପମାନ କରିବା ଠିକ୍‌ ନୁହେଁ

Published By : Prameya-News7 Bureau | January 23, 2021 IST

କୋଲକାତା ୨୩/୦୧: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ଅବସରରେ କୋଲକାତାର ଭିକ୍ଟୋରିଆ ମେମୋରିଆଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଗ ପଞ୍ଚମରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ମଞ୍ଚରେ ଭାଷଣ ଦେବାକୁ ମନା କରିଦେଇଛନ୍ତି ମମତା। ମଞ୍ଚରେ ଭାଷଣ ଦେବାକୁ ମମତା ବାନାର୍ଜୀ ପହଞ୍ଚିଥିବା ବେଳେ ନାରାବାଜି ଆରମ୍ଭ ହୋଇଥିଲା। କାହାକୁ ଡାକି ଏଭଳି ଅପମାନ କରିବା ଠିକ୍‌ ନୁହେଁ କହିବା ସହ ଭାଷଣ ଦେବାକୁ ମନା କରିଦେଇଛନ୍ତି ମମତା ବାନାର୍ଜୀ।

ମିଳିଥିବା ସୂଚନା ଅନୁସାରେ ଭାଷଣ ଦେବାକୁ ମମତା ବାନାର୍ଜୀ ମଞ୍ଚରେ ପହଞ୍ଚିବା ପରେ ‘ଜୟ ଶ୍ରୀରାମ’ ଓ ‘ମୋଦି’ ନାରା ଲଗାଇଥିଲେ ଉପସ୍ଥିତ ଜନତା। ଏହାକୁ ନେଇ ରାଗିଗଲେ ଦିଦି। ଏହା କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହେଁ। ଏହା ଏକ ସରକାରୀ କାର୍ଯ୍ୟକ୍ରମ। ତେଣୁ କାର୍ଯ୍ୟକ୍ରମକୁ ଡାକି ଏଭଳି ଅପମାନ କରିବା ଠିକ୍‌ ନୁହେଁ ବୋଲି ମମତା କହିବା ସହ ଭାଷଣ ଦେବାକୁ ମନା କରି ଫେରିଆସିଛନ୍ତି । କିନ୍ତୁ ଫେରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଓ ଆୟୋଜକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମମତା ବାନାର୍ଜୀ।

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ଅବସରରେ ବେଙ୍ଗଲରେ ଦିଦି ଓ ମୋଦି ଏକାଠି ହୋଇଛନ୍ତି। ଏହା ସହ ବଙ୍ଗେଲ ରାଜନୀତିରେ ହଟଚମଟ ଜାରି ରହିଛି । ପରାକ୍ରମ ଦିବସ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତା ଗସ୍ତ କରିଛନ୍ତି । ପ୍ରଥମେ କୋଲକାତାର ନ୍ୟାସନାଲ ଲାଇବ୍ରେରୀ ପହଞ୍ଚି ଅନେକ କଳାକାର ଏବଂ ଜନପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ନେତାଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଝିଅ ଅନିତା ବୋଷ କହିଛନ୍ତି, ‘୧୨୪ ବର୍ଷ ପୂର୍ବେ ଭାରତର ସୁପୁତ୍ର ତଥା ମୋର ପିତା ସୁବାଷ ଚନ୍ଦ୍ର ବୋଷ କଟକରେ ଜନ୍ମଗ୍ରହଣ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରମାନେ ୧୨୫ ତମ ଜନ୍ମ ଜୟନ୍ତୀରେ ତାଙ୍କୁ ସମ୍ମାନୀତ କରିବା ପାଇଁ ପଦକ୍ଷେପ ନେଇଥିବାରୁ ଧନ୍ୟବାଦ ଜଣାଉଛି’ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.