ଶୁଭେନ୍ଦୁଙ୍କ ଗଡରେ ଗର୍ଜିଲେ ମମତା : ନନ୍ଦୀଗ୍ରାମରୁ ଲଢିବେ ବିଧାନସଭା ନିର୍ବାଚନ, ବିଜେପିକୁ କଲେ ଟାର୍ଗେଟ୍
18/01/2021 at 3:12 PM

କୋଲକାତା ୧୮/୦୧ : ପଶ୍ଚିମବଙ୍ଗରେ ରାଜନୈତିକ ବାତାବରଣ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି । ଏହାରି ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ବିଧାନସଭା ନିର୍ବାଚନ ଲଢିବା ନେଇ ଘୋଷଣା କରିଛନ୍ତି । ଭାରତୀୟ ଜନତା ପାର୍ଟି ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ରାଜନୈତିକ ଯୁଦ୍ଧ ବଢିବାରେ ଲାଗିଛି । ଏହା ପୂର୍ବରୁ ମମତା ବାନାର୍ଜୀ ଭବାନୀପୁର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିଆସୁଥିଲେ ।
ଆଉ ମାତ୍ର କିଛି ଦିନ ପରେ ପଶ୍ମିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଦୁଇ ପ୍ରତିଦ୍ବନ୍ଦୀ ବିଜେପି ଏବଂ ସତ୍ତାରେ ଥିବା ଟିଏମସି ମଧ୍ୟରେ ଜୋରଦାର ରାଜନୀତି ଆରମ୍ଭ ହୋଇଗଲାଣି । ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦୀଗ୍ରାମରୁ ନିର୍ବାଚନ ଳଢିବା ନେଇ ଘୋଷଣା କରିବା ପରେ ବେଙ୍ଗଲରେ ରାଜନୀତି ସରଗରମ ହୋଇଯାଇଛି ।
ନନ୍ଦୀଗ୍ରାମରେ ଏକ ଜନସଭାକୁ ସାମ୍ବୋଧିତ କରିବା ଅବସରରେ ମମତା ମାନାର୍ଜୀ ନନ୍ଦୀଗ୍ରାମରୁ ନିର୍ବାଚନ ଲଢିବା ପାଇଁ ଇଚ୍ଛୁକ ଥିବା କହିଥିଲେ । ଏହା ପରେ ସେ ରାଜ୍ୟ ୟୁନିଟ୍ର ଅଧ୍ୟକ୍ଷଙ୍କୁ ନନ୍ଦୀଗ୍ରାମରୁ ନିର୍ବାଚନ ଲଢିବା ନେଇ ଅନୁମତି ମାଗିଥିଲେ ଏବଂ ସେହିଠାରେ ହିଁ ଏହା ଫଇସଲା ହୋଇଯାଇଥିଲା ଯେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେହିଠାରୁ ନିର୍ବାଚନ ଲଢିବେ ।
ଜନତାଙ୍କୁ ଉଦବୋଧନ ଦେବା ସମୟରେ ମମତା ବାନାର୍ଜୀ ଦୃଢତାର ସହ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ୨୦୦ରୁ ଅଧିକ ସିଟ୍ରେ ବାଜିମାତ୍ କରିବ । ଏହା ସହ ଟିଏମସିରୁ ଯାଇ ବିଜେପିରେ ମିଶିଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ମମତା ବାନାର୍ଜୀ । ମମତା କହିଛନ୍ତି, ନନ୍ଦୀଗ୍ରାମରେ ଆନ୍ଦୋଳନ କିଏ କରିଥିଲା ତାହା କହିବା ତାଙ୍କୁ ଜ୍ଞାନ ଦେବା ଆବଶ୍ୟକ ନାହିଁ । ଏହା ସହ ସେ କହିଛନ୍ତି, କେନ୍ଦ୍ର ସରକାର ତୁରନ୍ତ ନୂଆ ୩ଟି କୃଷି ବିଲ୍କୁ ରଦ୍ଦ କରିବା ଉଚିତ ।
ବିଗତ ଦିନରେ ଅନେକ ଟିଏମସି ନେତା ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଏହାକୁ ନେଇ ମଧ୍ୟ ମମତା ବାନାର୍ଜୀ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ବିଜେପି ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ କରୁଛି । ସେଥିପାଇଁ ଅନେକ ନେତା ଦଳ ଛାଡି ବିଜେପିରେ ଯୋଗ ଦେଉଛନ୍ତି ।