ମମତାଙ୍କ ମନ୍ତ୍ରିମଣ୍ଡଳ: ନିଜ ପାଖରେ ରଖିଲେ ୬ ମନ୍ତ୍ରାଳୟ, ୨୦ ନୂଆ ଚେହେରା ସାମିଲ

Published By : Prameya-News7 Bureau | May 10, 2021 IST

କୋଲକାତା ୧୦/୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ୟାବିନେଟ ଗଠନ ପରେ ମନ୍ତ୍ରାଳୟ ବଣ୍ଟନ କରିଛନ୍ତି। ମମତା ନିଜ ପାଖରେ ୬ ମନ୍ତ୍ରାଳୟ ରଖିଥିବା ବେଳେ ୪୩ ସଦସ୍ୟ ବିଶିଷ୍ଟ କ୍ୟାବିନେଟ୍‌ରେ ୨୦ ନୂଆ ଚେହେରା ସାମିଲ ହୋଇଛନ୍ତି। ଏହାରି ଭିତରେ ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ବିରୋଧୀ  ଦଳ ନେତା ଚୟନ କରିଛି। ତୃଣମୂଳ କଂଗ୍ରେସ ୨୧୩ ସିଟ୍‌ ସହ ତୃତୀୟ ଥର ପାଇଁ ସରକାର କରିଥିବା ବେଳେ ସୁପ୍ରିମୋ ନିଜର ପୂର୍ବ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କ ପାଖରୁ ନନ୍ଦିଗ୍ରାମ ସିଟ୍‌ରୁ ହାରିଯାଇଛନ୍ତି।

ମମତା ବାନାର୍ଜୀ କହିଛନ୍ତି, ‘ଆମେ କ୍ୟାବିନେଟ୍‌ରେ ୨୦ ନୂଆ ମନ୍ତ୍ରୀଙ୍କୁ ସାମିଲ କରିଛୁ। ନୂଆ ମହିଳା ମନ୍ତ୍ରୀ ରହିଛନ୍ତି। ୭ ସଂଖ୍ୟାଲଘୁ ସଂପ୍ରଦାୟରୁ ଏବଂ ଏସସି-ଏସଟି ସମୁଦାୟରୁ ୪ ଜଣ ଲେଖାଏଁ ମନ୍ତ୍ରୀ ପଦ ପାଇଛନ୍ତି।’ କିନ୍ତୁ ଖୋଦ ମୁଖ୍ୟମନ୍ତ୍ରୀ ମମତା ନିଜ ପାଖରେ ଗୃହ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଭୂମି ଓ ଭୂମି ସୁଧାର, ସୂଚନା ଓ ସାଂସ୍କୃତିକ ମନ୍ତ୍ରାଳୟ ଭଳି ଗରୁତ୍ବପୂର୍ଣ୍ଣ ମନ୍ତ୍ରାଳୟ ରଖିଛନ୍ତି। ମନ୍ତ୍ରାଳୟ ଦାୟିତ୍ବ ଦିଆଯିବା ପରେ ବାନାର୍ଜୀ କ୍ୟାବିନେଟ ବୈଠକ କରିଛନ୍ତି।

ଏହା ସହ ତାଙ୍କ ସରକାର କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍‌କୁ ପ୍ରାଥମିକତା ଦେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସଂକେତ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଆମେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ବିନା ଅନ୍ୟ କଟକଣା ଲଗାଇଛୁ। ଯଦି ସମ୍ପୁର୍ଣ୍ଣ ଲକ୍‌ଡାଉନ୍‌ ଲଗାଯାଏ ତେବେ ଜୀବନ ଜୀବିକା ଉପରେ ପ୍ରଭାବ ପଡ଼ିବ। ଅନେକ ଗରିବ ଲୋକ ​‌ଦୈନିକ ରୋଜଗାର ଉପରେ ନିର୍ଭର କରୁଛନ୍ତି।’ ମନ୍ତ୍ରୀମାନଙ୍କ ସୂଚୀରେ ୨୪ କ୍ୟାବିନେଟ୍‌ ପାହ୍ୟାର ହୋଇଥିବା ବେଳେ ୧୦ ଜଣ ସ୍ବତନ୍ତ୍ର ପ୍ରଭାରୀ ଏବଂ ରାଜ୍ୟମନ୍ତ୍ରୀ ଏବଂ ୯ ଜଣ ଅନ୍ୟ ରାଜ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଅମିତ ମିତ୍ରାଙ୍କୁ ପୁଣି ଥରେ ଅର୍ଥମନ୍ତ୍ରୀ ଦାୟୀତ୍ବ ଅପର୍ଣ କରାଯାଇଛି। ସ୍ବାସ୍ଥ୍ୟବସ୍ଥା ଖରାପ ଯୋଗୁ ମିତ୍ରା ନିର୍ବାଚନ ଲଢ଼ିପାରିନଥିଲେ। ମନ୍ତ୍ରିମଣ୍ଡଳର ନୂଆ ଚେହେରା ଭାବେ ପୂର୍ବତନ ଆଇପିଏସ୍‌ ଅଧିକାରୀ ହୁମାୟୁଁ କବିର ଏବଂ ପୂର୍ବତନ କ୍ରିକେଟର ମନୋଜ ତିଓ୍ବାରୀ ସାମିଲ ହୋଇଛନ୍ତି। ଟିଏମସି ଟଲିଉଡ୍‌ ଇଣ୍ଡଷ୍ଟ୍ରିରୁ ଅନେକ ଅଭିନେତ୍ରୀଙ୍କୁ ମଇଦାନକୁ ଓହ୍ଲାଇଥିଲା। ପ୍ରାୟ ସମସ୍ତେ ଜିତିଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ କ୍ୟାବିନେଟ୍‌ରେ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.