ଲକ୍ଷ୍ମୀପୁର ହିଂସା ଘଟଣାରେ ବିଜେପିକୁ ଘେରିଲେ ମମତା ବାନାର୍ଜୀ : କହିଲେ, ‘ଏହା ରାମ ରାଜ୍ୟ ନୁହେଁ କିଲିଂ ରାଜ୍ୟ’

Published By : Prameya-News7 Bureau | October 04, 2021 IST

କୋଲକାତା ୦୪/୧୦ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଉତ୍ତର ପ୍ରଦେଶ ଲକ୍ଷ୍ମୀପୁରର ଖିରୀରେ ଘଟିଥିବା ହିଂସାକୁ ନେଇ ସିଧାସଳଖ ବିଜେପିକୁ ଘେରିଛନ୍ତି । ଗତକାଲି କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କ ଗାଡି ଧକ୍କାରେ ୪ ଜଣ ଚାଷୀ, ଜଣେ ସ୍ଥାନୀୟ ସାମ୍ବାଦିକଙ୍କ ସମେତ ୮ ଜଣଙ୍କର ଜୀବନ ଯାଇଥିଲା । ଘଟଣାକୁ ଦୃଢ ନିନ୍ଦା କରିବା ସହିତ ଦିଦି କହିଛନ୍ତି, ‘ବିଜେପି ସରକାର ଲୋକତନ୍ତ୍ର ବିଶ୍ବାସ କରେ ନାହିଁ ଏବଂ କେବଳ ନିରଙ୍କୁଶତା ଚାହେଁ ।’  

ମମତା ବାନାର୍ଜୀ କହିଛନ୍ତି, ‘ଏହା ଖୁବ ଦୁଃଖ ଦାୟକ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ । ଏହି ଘଟଣାର ନିନ୍ଦା କରିବା ପାଇଁ ଭାଷା ନାହିଁ । ବିଜେପି ସରକାର ଲୋକତନ୍ତ୍ରରେ ବିଶ୍ବାସ କରେନାହିଁ, କେବଳ ନିରଙ୍କୁଶତା ଚାହେଁ । କଣ ଏହା ରାମ ରାଜ୍ୟ? ନା, ଏହା ରାମ ରାଜ୍ୟ ନୁହେଁ ବରଂ କିଲିଂ ରାଜ୍ୟ ।’

ସୂଚନାଯୋଗ୍ୟ, ଲକ୍ଷ୍ମୀପୁର ଘଟଣାକୁ ନେଇ ବିପକ୍ଷ ଦଳମାନେ ଲଗାତାର ଭାବେ ସରକାରଙ୍କୁ ଟାର୍ଗେଟ୍‌ କରିବାରେ ଲାଗିଛନ୍ତି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କ ସମେତ ଅନେକ ନେତା ଲକ୍ଷ୍ମୀପୁର ଖିରୀ ଯାଉଥିବା ବେଳେ ପୋଲିସ ତାଙ୍କୁ ଅଟକାଇବା ସହ ହେପାଜତକୁ ନେଇଥିଲା । କେବଳ ସେତିକି ନୁହେଁ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ମଧ୍ୟ ଲକ୍ଷ୍ନୌ ସ୍ଥିତ ତାଙ୍କ ବାସଭବନ ବାହାରୁ ହେପାଜତକୁ ନେଇଯାଇଥିଲା ପୋଲିସ । କାରଣ ସେ ଲକ୍ଷ୍ମୀପୁର ଯିବାକୁ ଅନୁମତି ନଥିବା ବେଳେ ଯିବାକୁ ଚାହୁଁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.