ମମତା “ଦୁର୍ଗା’ ଓ ଅନୁବ୍ରତ “ଅସୁର”! ସୋସିଆଲ ମିଡିଆରେ ଆପତ୍ତିଜନକ ଫଟୋ ପୋଷ୍ଟ କରି ବନ୍ଧା ହେଲେ ଯୁବକ

Published By : Prameya-News7 Bureau | September 18, 2021 IST

କୋଲକାତା ୧୮/୦୯: ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦୁର୍ଗା ଏବଂ ବୀରଭୂମ ଜିଲ୍ଲା ତୃଣମୂଳ କଂଗ୍ରେସ ସଭାପତି ଅନୁବ୍ରତ ମଣ୍ଡଳଙ୍କୁ ମହିଷାସୁର ଭାବେ ଚିତ୍ରଣ କରିବା ଯୁବକଙ୍କୁ ପଡିଲା ମହଙ୍ଗା। ଏପରି ଆପତ୍ତିଜନକ ପୋଷ୍ଟ କରିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି। ଯୁବକଙ୍କ ନାମ ବର୍ନା ମଣ୍ଡଳ।

ସୂଚନା ଅନୁଯାୟୀ, ବର୍ନାଙ୍କ ଘର ସିଉଡି ପୁଲିସ ଷ୍ଟେସନ ଅନ୍ତର୍ଗତ ଦମଦମା ପଞ୍ଚାୟତର ପତଣ୍ଡା ଗ୍ରାମରେ। ଯୁବକ ଜଣକ ବୁଧବାର ଫେସବୁକରେ ଏହି ଆପତ୍ତିଜନକ ପୋଷ୍ଟ କରିଥିଲେ । ଏହା ପରେ ତୃଣମୂଳ କଂଗ୍ରେସ ସିଉଡି ପୁଲିସ ଷ୍ଟେସନରେ ଅଭିଯାଗ କରିଥିଲା। ଅଭିଯୋଗ ଆଧାରରେ ପୁଲିସ ତାଙ୍କୁ ଗିରଫ କରିଛି। ଯୁବକ କୌଣସି ରାଜନୈତିକ ଦଳରେ ସଂପୃକ୍ତ କି ନାହିଁ ସେନେଇ ପୁଲିସ ତଦନ୍ତ ଚଳାଇଛି।

ସିଉଡି ବ୍ଲକ ତୃଣମୂଳ କଂଗ୍ରେସ ସଭାପତି ନୁରୁଲ ଇସଲାମ କହିଛନ୍ତି ଯେ ସୋସିଆଲ ମିଡିଆରେ ଏଭଳି ଆପତ୍ତିଜନକ ଚିତ୍ର ଦେଖିବା ପରେ ଆମେ ପୁଲିସ ନିକଟରେ ଅଭିଯାଗ କରିଥିଲୁ । ଗିରଫ ଯୁବକ ଜଣକ ବିଜେପିର ଆଇଟି ସେଲ୍‌ ସହିତ ଜଡିତ ଅଛନ୍ତି । ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟରେ ଯୁବକ ଜଣକ ଏପରି କରିଥିବା ନୁରୁଲ ଇସଲାମ କହିଛନ୍ତି।

ଏହି ଘଟଣା ପରେ ବୀରଭୂମ ବିଜେପି ଜିଲ୍ଲା ଉପ ସଭାପତି ଉତ୍ତମ ରଜାକ କହିଛନ୍ତି ଯେ, ଯୁବକ ଜଣକ ଟିଏମସିର ସମର୍ଥକ । ବିଜେପି ଏପରି କାର୍ଯ୍ୟ କଦାପି କରିପାରିବ ନାହିଁ । ହେଲେ ଏହି ଘଟଣା ପାଇଁ ଟିଏମସି ବିଜେପିକୁ ଦାୟୀ କରିଛି । ଜିଲ୍ଲା ଅଧୀକ୍ଷକ ନାଗେନ୍ଦ୍ର ତ୍ରିପାଠୀ କହିଛନ୍ତି ଯେ ବର୍ନାଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.