ମମତାଙ୍କ ଘୋଷଣା: ପଶ୍ଚିମବଙ୍ଗରେ ଜୁନ ୧ରୁ ଖୋଲିବ ସବୁ ଧାର୍ମିକ ସ୍ଥଳ, ୮ରୁ ସବୁ କର୍ମଚାରୀ କାମକୁ ଫେରିବେ
29/05/2020 at 5:04 PM

କୋଲକାତା ୨୯।୦୫: କରୋନା ସଙ୍କଟକୁ ନେଇ ଦେଶରେ ଲକ୍ଡାଉନ୍ର ଚତୁର୍ଥ ପର୍ଯ୍ୟାୟ ଜାରି ରହିଛି। ଏହାର ଅବଧି ମେ ୩୧ରେ ଶେଷ ହେବାକୁ ଯାଉଛି। ଏହା ମଧ୍ୟରେ ଶୁକ୍ରବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ରାଜ୍ୟରେ ଧାର୍ମିକ ସ୍ଥଳ ଜୁନ ୧ରୁ ଖୋଲି ଦିଆଯିବ। ମାତ୍ର ଏଥିପାଇଁ କିଛି ଜରୁରୀ ନିୟମ ମଧ୍ୟ ପାଳନ କରିବାକୁ ପଡିବ। ମମତା ଘୋଷଣା କରିଛନ୍ତି, ଜୁନ୍ ୧ରୁ ସମସ୍ତ ଧାର୍ମିକ ସ୍ଥଳ ସକାଳ ୧୦ଟାରୁ ଖୋଲାଯିବ।
ମମତା ବାନାର୍ଜୀ କହିଛନ୍ତି, ଯଦି କରୋନାର ଗତି ଏମିତି ଚାଲେ ତେବେ ମନ୍ଦରି ଓ ମସଜିଦ ବନ୍ଦ ରଖାଯିବାର ଅର୍ଥ କଣ। ଏହ ସହିତ ସେ ସ୍ପଷ୍ଟ କରିଛନ୍ତି, କାହାରିକୁ ବି ଧାର୍ମିକ ସ୍ଥଳରେ ରୁଣ୍ଡ ହେବାକୁ ଅନୁମତି ଦିଆଯିବ ନାହିଁ। ଗୋଟିଏ ସମୟରେ କେବଳ ୧୦ ଜଣ ଲୋକଙ୍କୁ ଏକତ୍ର ହେବାକୁ ଅନୁମତି ମିଳିବ। ଏହ ସହିତ ସେ କହିଛନ୍ତି ଯେ, ଧାର୍ମିକ ସ୍ଥଳରେ ସାନିଟାଇଜ୍ର ପୂରା ବ୍ୟବସ୍ଥା ପ୍ରତି ସମୟରେ ରହିବ।
ନିଜର ସାମ୍ବାଦିକ ସମ୍ମିଳନୀରେ ମମତା ଆଉ ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି, ଜୁନ ୮ରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କର୍ମଚାରୀ ନିଜ ନିଜର କାମରେ ଯୋଗ ଦେବେ। ଏହା ସହିତ ଜୁନ ୧ରୁ ରାଜ୍ୟରେ ଝୋଟ୍ ଇଣ୍ଡଷ୍ଟ୍ରୀ ଖୋଲି ଦିଆଯିବ।
ମମତା ବାନାର୍ଜୀ କହିଛନ୍ତି, ପଶ୍ଚିମବଙ୍ଗ କରୋନା ଓ ବାତ୍ୟା ପରି ଦୁଇଟି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ତେଣୁ ଏମିତି ସ୍ଥିତିରେ ଲୋକଙ୍କୁ ନିଜର ଲକ୍ଷଣ ଲୁଚାଇବା ଉଚିତ୍ ନୁହେଁ। ମମତା ବାନାର୍ଜୀ ଅପିଲ୍ କରିଛନ୍ତି, ଯଦି କାହାରିଠାରେ କରୋନା ଲକ୍ଷଣ ଦେଖିବାକୁ ମିଳେ ତେବେ ତୁରନ୍ତ ଡାକ୍ତରଙ୍କୁ ଭେଟନ୍ତୁ। ସେ ଏହା ମଧ୍ୟ କହିଛନ୍ତି ସମସ୍ତ ଜ୍ଵର କରୋନା ନୁହେଁ। ତେଣୁ ଲୋକଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ।
ମମତା ବାନାର୍ଜୀ ସାମ୍ବାଦିକ ସମ୍ମିଳନୀରେ ଘରୋଇ ଡାକ୍ତରଙ୍କୁ ଅପିଲ୍ କରିଛନ୍ତି ଯେ, ସେମାନେ ରୋଗୀଙ୍କ ଚିକିତ୍ସା କରିବା ଆରମ୍ଭ କରନ୍ତୁ। ଏଥିପାଇଁ ପୂରା ସୁରକ୍ଷା ଦିଗ ପ୍ରତି ଧ୍ୟାନ ଦିଅନ୍ତୁ। ରୋଗ ଧର୍ମ ଆଧାରରେ ଭେଦଭାବ କରେ ନାହିଁ। ଏଥିପାଇଁ ସାମାଜିକ ଦୂରତା ପାଳନ କରନ୍ତୁ ବୋଲି ମମତା କହିଛନ୍ତି।