ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ

Published By : Prameya-News7 Bureau | March 05, 2021 IST

କୋଲକାତା ୦୫/୦୩ : ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା​ ଘୋଷଣା କରିଛି ତୃଣମୂଳ କଂଗ୍ରେସ ପାର୍ଟି । ୨୯୧ ପ୍ରାର୍ଥୀଙ୍କ ତାଲିକା ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନର୍ଜୀ । ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ୫୦ ଜଣ ମହିଳାଙ୍କୁ ସ୍ଥାନ‌ ଦିଆଯାଇଛି । କେବଳ ସେତିକି ନୁହେଁ ଚଳିତ ଥର ମୁସଲିମ୍‌ ପ୍ରାର୍ଥୀଙ୍କୁ ମଧ୍ୟ ପ୍ରାଧାନ୍ୟ ଦେଇଛନ୍ତି ଟିଏମ୍‌ସି ସୁପ୍ରିମୋ । ମୋଟ ୨୯୧ ପ୍ରାର୍ଥୀଙ୍କ ମଧ୍ୟରୁ ୪୨ ଜଣ ମୁସିଲିମ୍‌ଙ୍କ ନାଁ ଘୋଷଣା କରାଯାଇଛି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେଉଁ ଆସନରୁ ଲଢିବେ ସେ ନେଇ କଳ୍ପନା ଜଳ୍ପନା ଜାରି ରହିଥିଲା । ତେବେ ଏହା ଉପରୁ ପର୍ଦ୍ଦା ହଟାଇଛନ୍ତି ଦିଦି । ଟିଏମ୍‌ସି ସୁପ୍ରିମୋ ଚଳିତ ଥର ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀ ହେବେ । ଏ ନେଇ ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଟିଏମ୍‌ସିରୁ ଯାଇ ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀ, ମମତା ବାନାର୍ଜୀଙ୍କୁ ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀ ହେବାକୁ ଚ୍ୟାଲେଞ୍ଜ୍‌ କରିଥିଲେ । ତେବେ ଶୁଭେନ୍ଦୁଙ୍କ ଏହି ଚ୍ୟାଲେଞ୍ଜଙ୍କୁ ଗ୍ରହଣ କରିଛନ୍ତି ଦିଦି । ନିଜେ ନନ୍ଦିଗ୍ରାମ ଆସନରୁ ଲଢିବା ନେଇ ଘୋଷଣା କରିଛନ୍ତି ମମତା ବାନାର୍ଜୀ ।

ଟିଏମ୍‌ସି ସହିତ ମେଣ୍ଟ କରିଥିବା ସହଯୋଗୀଙ୍କ ପାଇଁ ୩ଟି ଆସନ ଛାଡିଛି ଦଳ । ପଶ୍ଚିମବଙ୍ଗରେ ମୋଟ ୮ଟି ପର୍ଯ୍ୟାୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ରାଜନୈତିକ ମାହୋଲ ମଧ୍ୟ ସରଗରମ ହୋଇଗଲାଣି ।  ବିରୋଧି ବିଜେପି ପକ୍ଷରୁ ପ୍ରାର୍ଥୀ ତାଲିକା​‌ ଘୋଷଣା କରାଯାଇନାହିଁ । ତେବେ ଖୁବଶୀଘ୍ର ବିଜେପି ପକ୍ଷରୁ ମଧ୍ୟ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇପାରେ । ଏହା ସହିତ କଂଗ୍ରେସ-ବାମପନ୍ଥୀ ମେଣ୍ଟ ମଧ୍ୟ ଖୁବଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା କରିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.