୫ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମମତା ବାନାର୍ଜୀ, ନନ୍ଦୀଗ୍ରାମ ହାରିବା ସତ୍ତ୍ୱେ କିପରି ମୁଖ୍ୟମନ୍ତ୍ରୀ ହେବେ ଦିଦି ?

Published By : Prameya-News7 Bureau | May 03, 2021 IST

କୋଲକାତା ୦୩/୦୫ : ଆସନ୍ତା ମେ ୫ ତାରିଖରେ ୩ୟ ଇନିଂସ ଆରମ୍ଭ କରିବେ ମମତା ବାନାର୍ଜୀ । ସର୍ବସମ୍ମତି କ୍ରମେ ତୃଣମୂଳ କଂଗ୍ରେସ ନେତା ଘୋଷିତ ହେବା ପରେ ମେ ୫ ତାରିଖରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦିଦି ।

ମୋଟ ୨୧୧ଟି ଆସନ ଜିତି ପୂର୍ଣ୍ଣ ବହୁମତ ପାଇବା ପରେ ଦିଦି ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାନେଇ ସ୍ପଷ୍ଟ ଅନୁମାନ କରାଯାଉଥିଲା । ଶେଷରେ ସେୟା ହିଁ ହୋଇଛି । ଦଳର ବରିଷ୍ଠ ନେତା ଏବଂ ନବ ନିର୍ବାଚିତ ବିଧାୟକଙ୍କମାନଙ୍କ ସର୍ବସମ୍ମତି କ୍ରମେ ମମତା ବାନାର୍ଜୀଙ୍କୁ ବିଧାୟକ ଦଳ ନେତା ଘୋଷିତ କରାଯାଇଛି ।

ନନ୍ଦୀଗ୍ରାମରୁ ହାରିବା ପରେ ମଧ୍ୟ କିପରି ମୁଖ୍ୟମନ୍ତ୍ରୀ ହେବେ ମମତା ବାନାର୍ଜୀ ?

ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଦଳର ବିପୁଳ ବିଜୟ ହୋଇଛି । କିନ୍ତୁ ନନ୍ଦୀଗ୍ରାମ ଆସନରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରିଯାଇଛନ୍ତି ମମତା ବାନାର୍ଜୀ । ଏହା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ କିପରି ଶପଥ ନେବେ ଦିଦି ? ଏହାର ଉତ୍ତର ହେୁଛି ହଁ…

ଭାରତୀୟ ସମ୍ବିଧାନର ଧାରା ୧୬୪ (୪) ଅନୁଯାୟୀ, ‘ବିଧାନସଭାକୁ ନିର୍ବାଚିତ ହୋଇନଥିବା ଜଣେ ସଦସ୍ୟ ୬ ମାସ ପାଇଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିପାରିବେ । ଏହି ୬ ମାସ ମଧ୍ୟରେ ତାଙ୍କୁ ଉପ ନିର୍ବାଚନରେ ବଜୟୀ ହେବାକୁ ପଡିବ । ଯଦି ସେ ଉପ ନିର୍ବାଚନରେ ମଧ୍ୟ ପରାଜିତ ହୁଅନ୍ତି ତେବେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ବାଧ୍ୟ ହେବେ ।’

ପୂର୍ବରୁ ମଧ୍ୟ ଏପରି ଉଦାହରଣ ରହିଛି । ୨୦୧୧ ମସିହାରେ ଦିଦିଙ୍କ ପାର୍ଟି ପ୍ରଥମେ କ୍ଷମତାକୁ ଆସିଥିଲା । ସେତେବେ​‌ଳେ ମମତା ବାନାର୍ଜୀ ଲୋକସଭା ସଦସ୍ୟ ଥିଲେ । କିନ୍ତୁ ଭାରତୀୟ ସମ୍ବିଧାନର ଧାରା ୧୬୪ (୪) ଅନୁଯାୟୀ ସେ ମୁଖମନ୍ତ୍ରୀ ଭାବେ ଶପଥ ନେଇଥିଲେ ଏବଂ ପରେ ୬ ମାସ ମଧ୍ୟରେ ଉପ ନିର୍ବାଚନରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

୨୦୧୭ ମସିହାରେ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କିନ୍ତୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇନଥିଲେ । ଉତ୍ତର ପ୍ରଦେଶରେ ବିଧାନ ପରିଷଦ ଥିବାରୁ ସେହି ବଳରେ ସେ ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ ।

ସେହିପରି ୨୦୦୯ ମସିହାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ୍‌ ନିର୍ବାଚନରେ ପ୍ରତିଦ୍ବନ୍ଦିତା ନକରି ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ଉପ ନିର୍ବାଚନରେ ମଧ୍ୟ ସେ ପରାଜିତ ହୋଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଝାଡଖଣ୍ଡରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.