ଜାଣି ରଖନ୍ତୁ ମୋଦିଜୀ, ଶାହାଜୀ ଭାରତରେ ଆମେ ଆପଣଙ୍କୁ ତାଲିବାନ ହେବାକୁ ଦେବୁନି : ମମତା ବାନାର୍ଜୀ

Published By : Prameya-News7 Bureau | September 22, 2021 IST

ଭବାନୀପୁର ୨୨।୯:  ଉପନିର୍ବାଚନ ଲାଗି ତୃଣମୂଳ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ବୁଧବାର ଭବାନୀପୁରରେ ଆୟୋଜିତ ଜନସମାବେଶକୁ ସମ୍ବୋଧିତ କରି ମମତା ବିଜେପି, ପ୍ରଧାନମନ୍ତ୍ରୀ ଓ ଅମିତ ଶାହାଙ୍କ ଉପରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ନାମ ନେଇ ମୋଦିଜୀ ଓ ଶାହାଜୀ ଜାଣି ରଖନ୍ତୁ ଭାରତରେ ଆମେ ଆପଣଙ୍କୁ ତାଲିବାନଙ୍କ ଭଳି ହେବାକୁ ଦେବୁନି ବୋଲି କହିଛନ୍ତି ମମତା।

ଗାନ୍ଧିଜୀ, ନେତାଜୀ, ବିବେକାନନ୍ଦ, ସର୍ଦ୍ଦାର ପଟେଲ ଙ୍କ ଦେଶ ଭାରତ।  ଗୁରୁ ନାନକ, ଗୌତମ ବୁଦ୍ଧ, ଜୈନ ଓ ମହମ୍ମଦ ସବୁ ଧର୍ମର ଅନୁଗାମୀମାନେ ଏହି ଦେଶରେ ଏକଠୀ ରହୁଛନ୍ତି ଓ ଆଗକୁ ବି ଏକହୋଇ ରହିବେ । ଭାରତକୁ ଆମେ ଧର୍ମ ନାମରେ ଆଉ ଭାଗଭାଗ ହେବାକୁ ଦେବୁନି ବୋଲି ମମତା କହିଛନ୍ତି। ଭବାନୀପୁର ସିଟ୍‌ରେ ବିଜେପିର ପ୍ରିୟଙ୍କା ଟିବରେୱାଲ ମମତାଙ୍କ ସହ ମୁହାଁମୁହିଁ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ଏଣୁ ମମତା ବିଜେପିକୁ ଏଭଳି ଆକ୍ଷେପ କରିଛନ୍ତି।

ସେ କହିଛନ୍ତି ଯେ ଆମେ କୁଆଡେ ରାଜ୍ୟରେ ଦୂର୍ଗାପୂଜା, ଲକ୍ଷ୍ମୀପୁଜା ଆଦିକୁ ଅନୁମତି ଦେଉନା ବୋଲି ବିଜେପି ଅଭିଯୋଗ କରୁଛି। ତେବେ ସମସ୍ତେ ଜାଣି ରଖନ୍ତୁ ବିଜେପି ଏକ ମିଛୁଆଙ୍କ ଦଳ। ଏମାନେ ମିଛ କହି ଲୋକଙ୍କୁ ଭ୍ରମିତ କରୁଛନ୍ତି। ଯଦି ସେମାନେ ଧାରା ୧୪୪ ଲାଗୁ କରି ରଖିବେ ଏଥିରେ ପୂଜା କେମିତି ହେବ ବୋଲି ମମତା ଓଲଟି ପ୍ରଶ୍ନ କରିଛନ୍ତି। ଭବାନୀପୁର ବିଧାନସଭା ଆସନ ନିମନ୍ତେ ସେପ୍ଟେମ୍ବର ୩୦ ତାରିଖ ଦିନ ଭୋଟ ଗ୍ରହଣ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.