ଖେଲା ହୋବେ! ବେଙ୍ଗଲ ମନ୍ତ୍ରକୁ ଦିଲ୍ଲୀରେ ପହଞ୍ଚାଇଲେ ମମତା

Published By : Prameya-News7 Bureau | July 27, 2021 IST

ନୂଆଦିଲ୍ଲୀ ୨୭।୭ : ‘ଖେଲା ହବେ’ ଅର୍ଥାତ ଖେଳ ହେବ ! ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ କାଳର ଏହି ସ୍ଲୋଗାନ ଏବେ ଜାତୀୟ ରାଜନୀତି ମଞ୍ଚକୁ ପହଞ୍ଚିଯାଇଛି। ପଶ୍ଚିମବଙ୍ଗରେ ଆକ୍ରମକ ବିଜେପିର ନିର୍ବାଚନୀ କଳକୌଶଳ ଓ ଆହ୍ୱାନକୁ ଅକାମୀ କରିବା ପରେ ମମତା ଏବେ ଦେଶକୁ ଜିତିବା ଲାଗି ବାହାରିଛନ୍ତି। ଏହିକ୍ରମରେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ମୁକାବିଲା ଲାଗି ନୂଆ ମେଣ୍ଟ ଗଠନ ଓ ପୁରୁଣା ବିରୋଧୀଙ୍କୁ ଜବାବ ଦେବା ଲାଗି ମମତା ବାନାର୍ଜୀ ଏବେ ଜାତୀୟ ରାଜଧାନୀରେ ପହଞ୍ଚିଛନ୍ତି।

ପଶ୍ଚିମବଙ୍ଗରେ ଲଗାତାର ତୃତୀୟବାର କ୍ଷମତା ହାସଲ କରିବା ପରେ ମମତା ପ୍ରଥମଥର ୫ ଦିବସୀୟ ଗସ୍ତରେ ଦିଲ୍ଲୀ ଆସିଛନ୍ତି। ଏଠାରେ ସେ ଉତ୍ତରପ୍ରଦେଶରେ ପ୍ରମୁଖ ବିରୋଧୀ ଦଳ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, କଂଗ୍ରେସର ସୋନିଆ ଗାନ୍ଧି, ଆନନ୍ଦ ଶର୍ମା, କମଲ ନାଥ ଓ ଅଭିଷେକ ମନୁ ସିଂଘବୀ, ଏନସିପି ନେତା ଶରଦ ପାୱାର, ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରୀୱାଲଙ୍କ ସମେତ ବିଭିନ୍ନ ବିରୋଧୀ ଦଳ ନେତାଙ୍କୁ ଭେଟିବାର ଯୋଜନାରେ ଅଛନ୍ତି। ଏଥିରେ କମଲ ନାଥ ମମତାଙ୍କ ସହ ସାକ୍ଷାତ ଆଲୋଚନା କରିଥିବା ବେଳେ ବାକି ନେତାଙ୍କ ଶହ ତାଙ୍କର ଖୁବ୍ ଶୀଘ୍ର ଭେଟ ହେବ ବୋଲି ଜଣାପଡିଛି।

{"id":486697,"sizeSlug":"large","linkDestination":"none"}

ଦିଲ୍ଲୀରେ ଏବେ ସଂସଦର ମୌସୁମୀ ଅଧିବେଶନ, ପ୍ରାୟ ସବୁ ଦଳର ନେତା ଓ ସାଂସଦ ଏବେ ରାଜଧାନୀରେ ଅଛନ୍ତି। ଏଠାରେ ବେଶ ସହଜରେ ଏବେ ସବୁ ଦଳର ନେତା ଓ ସାଂସଦଙ୍କୁ ଉପଲବ୍ଧ କରାଯାଇପାରେ। ଏଣୁ ଏକ ରଣନୀତି ଭାବେ ମମତା ତାଙ୍କର ଏହି ଗସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିବା ବେଳେ ୨୦୨୨ ବିଧାନସଭା ନିର୍ବାଚନ ଓ ପରବର୍ତ୍ତୀ ସାଧାରଣ ନିର୍ବାଚନ ଲାଗି ରୋଡ ମ୍ୟାପ୍‌ ପ୍ରସ୍ତୁତି ଲାଗିପଡିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ଦଳ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ନେତୃତ୍ୱାଧୀନ ବିଜେପିକୁ କେନ୍ଦ୍ର କ୍ଷମତାରୁ ବେଦଖଲ କରିବାକୁ ହେଲେ ବିରୋଧୀ ଦଳଙ୍କୁ ଏକଜୁଟ ହେବାକୁ ପଡିବ ବୋଲି ମମତା ଅନେକ ଥର କହିଛନ୍ତି। ଗତ ମେ ୫ ତାରିଖରେ  ବେଙ୍ଗଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳେ ବିଜେପିକୁ କେନ୍ଦ୍ର କ୍ଷମତାରୁ ତଡିବା ଲାଗି ବିଖିପ୍ତ ବିରୋଧୀଙ୍କୁ ଏକଜୁଟ କରିବାକୁ ମମତା  ପୋଲ ଭଳି କାମ କରିବେ ବୋଲି ମଧ୍ୟ ଘୋଷଣା କରିଥିଲେ।   

 ତେବେ ମିଳିତ ବିରୋଧୀ ଦଳଙ୍କୁ ଏକ କରିବା ମମତାଙ୍କର ଏହା ପ୍ରଥମ ଉଦ୍ୟମ ନୁହେଁ। ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ମମତା ଥରେ ଉଦ୍ୟମ କରିସାରିଥିଲେ। ହେଲେ ସେତେବେଳେ ନିର୍ବାଚନ ଖୁବ୍ ନିକଟରେ ଥିବା ବେଳେ ଦଳମାନଙ୍କ ମଧ୍ୟରେ ନିର୍ବାଚନୀ ତାଳମେଳ  ରହିପାରିନଥିଲା। ଫଳରେ  ବିରଧୀଙ୍କ ବିକ୍ଷିପ୍ତ ସ୍ଥିତି କେନ୍ଦ୍ର ଶାସନରେ ବିଜେପିକୁ ପୁଣି ଏକ ମଉକା ଦେଇଥିଲା।

{"id":486698,"width":838,"height":472,"sizeSlug":"large","linkDestination":"none"}

ଏବେକା ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ସାଧାରଣ ନିର୍ବାଚନ ଲାଗି ଯଥେଷ୍ଟ ସମୟ ଥିବା ବେଳେ ମେଣ୍ଟ ଲାଗି ସମାନ ବିଚାରଧାରର ରାଜନୈତିକ ଦଳଙ୍କ ନିକଟରେ ଚିନ୍ତା କରିବା ନିମନ୍ତେ ଯଥେଷ୍ଠ ସମୟ ମଧ୍ୟ ରହିଛି। ଏଣୁ ତୃଣମୂଳ କଂଗ୍ରେସ ନେତୃତ୍ୱ ଦେଶର ରାଜନୀତିର ଏକ ମଜଭୁତ ବିକଳ୍ପ ସୃଷ୍ଟି କରିପାରିବ ବୋଲି ପୁରା ଆଶାବାଦୀ ଅଛି। ତେବେ ଏପରି ଏକ ମେଣ୍ଟ ଗଠନ ଲାଗି ସବୁ ରାଜନୈତିକ ଦଳଙ୍କୁ ସେମାନଙ୍କ ମଧ୍ୟରେ ଥିବା ପାରସ୍ପରିକ ବିଭେଦ ଭୁଲି ସାର୍ବଜନିକ ସ୍ୱାର୍ଥ ଲାଗି କାର୍ଯ୍ୟ କରିବା ନିମନ୍ତେ ରାଜି କରାଇବା ବର୍ତ୍ତମାନ ସମୟର ସବୁଠାରୁ ବଡ ଆହ୍ୱାନ ।

ତେବେ ମମତାଙ୍କ ନେତୃତ୍ୱାଧୀନ ପାର୍ଟି ନିକଟରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଅଛନ୍ତି। ଯିଏ ଆଗାମୀ ସମୟ ଲାଗି ସବୁଠୁ ଲାଭଜନକ ସାବ୍ୟସ୍ତ ହୋଇପାରନ୍ତି। ନିକଟରେ ପ୍ରଶାନ୍ତ କିଶୋର ମହାରାଷ୍ଟ୍ରରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଶରଦ ପାୱାରଙ୍କୁ ଭେଟିଥିବା ବେଳେ ସାମାନ୍ୟ ଅନ୍ତରାଳରେ ଦିଲ୍ଲୀରେ ପ୍ରିୟଙ୍କା ଭଦ୍ରା ଓ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଭେଟିଥିଲେ। ଏଥିରୁ ବିଭିନ୍ନ ପାର୍ଟିର ନେତାଙ୍କ ସହ ପ୍ରଶାନ୍ତ କିଶୋରଙ୍କ ତାଳମେଳକୁ ନେଇ ତୃଣମୂଳ ସେହି ସବୁ ଦଳଙ୍କୁ ଗୋଟିଏ ଟେବୁଲକୁ ନେଇ ଆସି ପାରନ୍ତି ବୋଲି ଏବେ ଅନୁମାନ କରାଯାଉଛି।

{"id":486701,"sizeSlug":"large","linkDestination":"none"}

ଏହାଛଡା ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ କାଳରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଏହି ନିର୍ବାଚନକୁ ‘ମୋଦି ବନାମ ମମତା’ ଭାବେ ଦେଶର ଗଣମାଧ୍ୟମରେ ବେଶ ସଫଳ ଉପସ୍ଥାପନ କରିଥିଲେ। ଏଥିରେ ରାଜ୍ୟରେ ବିଜେପିର ପରାଜୟ ମମତାଙ୍କୁ ମୋଦିଙ୍କ ବିପକ୍ଷରେ ମଜଭୁତ ରାଷ୍ଟ୍ରନେତ୍ରୀ ଭାବେ ଉଭା କରିଛି। ଯାହା ୨୦୧୪ ମସିହାରୁ ଚଳି ଆସିଥିବା ବିଜୟ ରଥକୁ ୨୦୨୪ ନିର୍ବାଚନରେ ରୋକିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.