ନିର୍ବାଚନ ଆୟୋଗଙ୍କ ପ୍ରଚାର ବ୍ୟାନ୍ ବିରୋଧରେ ମମତାଙ୍କ ଧାରଣା: ଧାରଣାସ୍ଥଳରେ କରୁଛନ୍ତି ପେଣ୍ଟିଙ୍ଗ୍

Published By : Prameya-News7 Bureau | April 13, 2021 IST

କୋଲକାତା ୧୪/୦୪ : ନିର୍ବାଚନ ଆୟୋଗଙ୍କ ବ୍ୟାନ ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧାରଣା ଆରମ୍ଭ କରିଛନ୍ତି। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ ସାଙ୍କେତିକ ଭାବେ ବିରୋଧ କରିବାକୁ ମମତା ବାନାର୍ଜୀ ଏକ କଳା ରଙ୍ଗର ଚାଦର ମଧ୍ୟ ପକାଇଛନ୍ତି। ଧାରଣାରେ ମମତା କଳା ରଙ୍ଗର ମାସ୍କ ପିନ୍ଧିଛନ୍ତି। ଧାରଣା ଦେବାକୁ ମମତା ନିର୍ଦ୍ଧାରିତ ସମୟ ପୂର୍ବରୁ କୋଲକାତା ଗାନ୍ଧୀ ମୂର୍ତ୍ତି ନିକଟରେ ପହଞ୍ଚି ଯାଇଥିଲେ। ଧାରଣାସ୍ଥଳରେ ମଧ୍ୟ ମମତା ହ୍ୱିଲ ଚେୟାରରେ ବସିଛନ୍ତି। ତାଙ୍କ ସାମ୍ନାରେ ଟେବୁଲ ରଖାଯାଇଛି।

ସୂଚନାଯୋଗ୍ୟ ଯେ, ବିବାଦୀୟ ବୟାନ ଦେଇଥିବା କାରଣରୁ ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନ ପ୍ରଚାର ୨୪ ଘଣ୍ଟା ପାଇଁ ରୋକ ଲଗାଇଛନ୍ତି। ସୋମବାର ସନ୍ଧ୍ୟା ୮ଟା ରୁ ମଙ୍ଗଳବାର ସନ୍ଧ୍ୟା ୮ଟା ଯାଏଁ ମମତାଙ୍କ ନିର୍ବାଚନ ପ୍ରଚାର ବ୍ୟାନ କରାଯାଇଛି। ନିର୍ବାଚନ ଆୟୋଗ ତରଫରୁ ମମତା ବିବାଦୀୟ ବୟାନ ଦେଇଥିବା ଅଭିଯୋଗରେ ଏହିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିଜେପି ମମତାଙ୍କ ବୟାନ ବିରୋଧରେ ଆୟୋଗରେ ଅଭିଯୋଗ କରିଥିଲା। ବିଜେପି କହିଥିଲା ଯେ ମମାତା ସମ୍ପ୍ରଦାୟିକତା ଆଧାରରେ ଭୋଟ ମାଗୁଛନ୍ତି।

{"id":437741,"sizeSlug":"large","linkDestination":"none"}

ବିଜେପି ନେତା ମୁଖତାର ଅବ୍ବାସ ନକବୀ ମମତାଙ୍କ ବୟାନ ବିରୋଧରେ ନିର୍ବାଚନ ଆୟୋଗରେ ଫେରାଦ ହୋଇଥିଲେ। ଅଭିଯୋଗ ପରେ ଆୟୋଗ ନୋଟିସ ଜାରି କରି ଜବାବ ମାଗିଥିଲେ। ଆଦେଶରେ ନିର୍ବାଚନ ଆୟୋଗ କହିଥିଲେ ଯେ, "ଆୟୋଗ ରାଜ୍ୟରେ ଆଇନ ବ୍ୟବସ୍ଥାର ଗମ୍ଭୀର ସମସ୍ୟା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ବୟାନକୁ ନିନ୍ଦା କରୁଛି। ମମତା ବାନାର୍ଜୀଙ୍କୁ ଚେତାବନୀ ଦେଇ ପରାମର୍ଶ ଦିଆଯାଉଛି ଯେ ସେ ଆଦର୍ଶ ଆଚାର ସଂହିତା ଉଲଙ୍ଘନ ନ କରି ସାର୍ବଜନିକ କାର୍ଯ୍ୟକ୍ରମ ସମୟରେ ଏହିଭଳି ବିବାଦୀୟ ବୟାନ ନ ଦିଅନ୍ତୁ।"

ନିର୍ବାଚନ ଆୟୋଗର ନିଷ୍ପତ୍ତି ପରେ ମମତା ଟ୍ୱିଟ କରିଥିଲେ ଯେ ନିର୍ବାଚନ ଆୟୋଗର ଅଲୋକତାନ୍ତ୍ରିକ ଓ ଅସାମ୍ବିଧାନିକ ନିଷ୍ପତ୍ତି ବିରୋଧରେ ମଙ୍ଗଳବାର ୧୨ଟା କୋଲକାତା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେବେ। ନିର୍ବାଚନ ଆୟୋଗକୁ ଟାର୍ଗେଟ କରି ଟିଏମସିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଯଶବନ୍ତ ସିହ୍ନା କହିଛନ୍ତି ଯେ ଗଣତନ୍ତ୍ରର ସମସ୍ତ ସଂସ୍ଥା ସହ ବୁଝାମଣା କରାଯାଇଛି। ନିର୍ବାଚନ ଆୟୋଗର ନିରପେକ୍ଷତା ଉପରେ ଆଗରୁ ସନ୍ଦେହ ଥିଲା। ଏବେ ସ୍ପଷ୍ଟ ହୋଇଛି ଯେ ନିର୍ବାଚନ ଆୟୋଗ ମୋଦି/ଶାହଙ୍କ ଇସାରାରେ ଓ ତାଙ୍କ ଆଦେଶରେ କାର୍ଯ୍ୟ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.