ରାଜ୍ୟପାଳଙ୍କ ଉପରେ ଦୁର୍ନୀତିଗ୍ରସ୍ତ ହେବାର ଆରୋପ ଲଗାଇଲେ ମମତା: ଧନଖଡଙ୍କ ଜବାବ-'କୌଣସି ଚାର୍ଜସିଟରେ ମୋ ନାଁ ନାହିଁ'

Published By : Prameya-News7 Bureau | June 28, 2021 IST

କୋଲକାତା ୨୮/୦୬ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନଖଡ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରୁଥାନ୍ତି। ସୋମବାର ଦିନ ଉଭୟଙ୍କ ମଧ୍ୟରେ ବିବାଦ ବଢି ଯାଇଥିଲା। ମମତା ଜୈନ ମାମଲାରେ ଜଗଦୀପ ଧନଖଡଙ୍କୁ ଟାର୍ଗେଟ କରି ତାଙ୍କୁ ଦୁର୍ନୀତିଗ୍ରସ୍ତ କହିଥିଲେ। ମମତା ରାଜ୍ୟପାଳଙ୍କୁ ପ୍ରଶ୍ନ କରିଥିଲେ କେନ୍ଦ୍ର ସରକାର ଏମିତି ରାଜ୍ୟପାଳଙ୍କୁ କାହିଁକି ମଞ୍ଜୁରୀ ଦିଅନ୍ତି।

ମମତାଙ୍କ ଗମ୍ଭୀର ଆରୋପକୁ ନେଇ ରାଜ୍ୟପାଳ ମଧ୍ୟ ତାଙ୍କୁ କଡା ଜବାବ ଦେଇଛନ୍ତି। ସେ କହିଛନ୍ତି 'କୌଣସି ଚାର୍ଜସିଟରେ ମୋର ନାଁ ନାହିଁ। ଜୈନ ହାୱାଲା ମାମଲାରେ କାହା ଉପରେ ଆରୋପ ସ୍ପଷ୍ଟ ହୋଇନାହିଁ। ଏହା ସମ୍ପୂର୍ଣ ଭିତ୍ତିହୀନ। ମମତା ମିଛ ସୂଚନା ଦେଉଛନ୍ତି। ମମତା ମୋ ଉପରେ ଲଗାଇଥିବା ଆରୋପ ମିଛ। ମୋର କୌଣସି ହାୱାଲା ମାମଲା ସହ ସମ୍ବନ୍ଧ ନାହିଁ।' ସେ କହିଛନ୍ତି ଯେ କୌଣସି ସ୍ଥିତିରେ ମୁଣ୍ଡ ନୂଆଇଁବେ ନାହିଁ। ପଶ୍ଚିମବଙ୍ଗ ଜନତାଙ୍କ ସେବା ପାଇଁ ମୁଁ ଯାହା କରି ପାରିବି ତାହା ନିଶ୍ଚୟ କରିବି।'

ସୋମବାର ଦିନ ମମତା କହିଛନ୍ତି ଯେ, ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ହଟାଇବା ପାଇଁ ସେ ୩ଟି ଚିଠି ଲେଖିଛନ୍ତି। ସେ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି। ୧୯୯୬ ରେ ତାଙ୍କ ନାଁ ସାମ୍ନାକୁ ଆସିଥିଲା। ହାୱାଲା ଜୈନ ମାମଲାରେ ତାଙ୍କ ନାଁ ଚାର୍ଜସିଟରେ ଥିଲା। କିନ୍ତୁ ସେ କୋର୍ଟ ଯାଇ ସବୁ ମାମଲା ରଫାଦଫା କରିଦେଇଥିଲେ। କିନ୍ତୁ ଏହି ମାମଲାରେ ପୁଣି ପିଆଇଏଲ ଦାଖଲ ହୋଇଛି।

ସୂଚନାଯୋଗ୍ୟ ଯେ, ମମତା ଓ ଧନଖଡଙ୍କ ମଧ୍ୟରେ ଆରମ୍ଭରୁ ହିଁ ମତଭେଦ ରହିଛି। ରାଜ୍ୟପାଳ ପଶ୍ଚିମବଙ୍ଗ ଆଇନ ବ୍ୟବସ୍ଥାକୁ ନେଇ ମମତା ସରକାରଙ୍କୁ ଘେରିଛନ୍ତି। ତୃଣମୂଳ କଂଗ୍ରେସ ମଧ୍ୟ ରାଜ୍ୟପାଳଙ୍କ ଉପରେ ଆରୋପ ଲଗାଇବାରେ ପଛାଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.