ଗ୍ରେନେଡ୍ ବିସ୍ଫୋରଣରେ ଦୁଇ ହାତ ହରାଇଥିଲେ ମାଲଭିକା, ଏବେ ଦିବ୍ୟାଙ୍ଗଙ୍କୁ ଦେଉଛନ୍ତି ସେମାନଙ୍କର ଅଧିକାର
8/03/2020 at 3:55 PM

ନୂଆଦିଲ୍ଲୀ ୦୮।୦୩- ମାତ୍ର ୧୩ ବର୍ଷ ବୟସରେ ଏକ ଗ୍ରେନେଡ ବିସ୍ଫୋରଣରେ ନିଜର ଦୁଇ ହାତ ହରାଇଥିବା ମାଲଭିକା ଅୟରଙ୍କୁ ରବିବାର ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନାରୀ ଶକ୍ତି ସମ୍ମାନରେ ସମ୍ମାନିତ କରିଛନ୍ତି। ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟୁଇଟର ଆକାଉଣ୍ଟରେ ମାଲଭିକା ନିଜର ପ୍ରେରଣା ଦାୟକ କାହାଣୀ ପୋଷ୍ଟ କରିଛନ୍ତି।
ମାଲଭିକା ସଂପ୍ରତି ଜଣେ ପ୍ରେରଣାଦାୟୀ ବକ୍ତା, ଦିବ୍ୟାଙ୍ଗ ଲୋକଙ୍କ ଅଧିକାର ପାଇଁ ଲଢେଇ କରୁଥିବା କାର୍ଯ୍ୟକର୍ତ୍ତା, ସାମାଜିକ କର୍ମୀରେ ପିଏଚଡି ସହିତ ଫେସିଆଲ ମୋଡେଲ ଭାବେ ପରିଚିତ। ମାଲଭିକା କହିଛନ୍ତି, ଯେବେ ସେ ୧୩ ବର୍ଷ ବୟସର ହୋଇଥିଲେ, ତେବେ ରାଜସ୍ଥାନର ବିକାନେର ବମ ଧମାକାରେ ନିଜର ଦୁଇ ହାତ ହରାଇଥିଲେ। ଏହି ଘଟଣାରେ ଦୁଇ ହାତ ହରାଇବା ସହିତ ତାଙ୍କର ଦୁଇ ଗୋଡ ଗୁରୁତର ଭାବେ ଆହତ ହୋଇଥିଲା। ସେହି ସମୟରେ ମୁଁ କିଛି ବୁଝି ପାରୁନଥିଲି କଣ କରିବି। ସେହି ସମୟରେ ଶିକ୍ଷା ମୋର ଆତ୍ମ ବିଶ୍ଵାସ ଫେରାଇ ଆଣିବାରେ ବେଶ୍ ସହାୟକ ହୋଇଥିଲା।
ମାଲଭିକା କହିଛନ୍ତି, ସେ ଦଶମ ପରୀକ୍ଷା ଲାଗି ଏକ ଘରୋଇ କୋଚିଂ ସେଣ୍ଟରରେ ପଢିଥିଲେ। ପରୀକ୍ଷାରେ ଜଣେ ଲେଖକଙ୍କ ସହାୟତା ନେଇଥିଲେ ଏବଂ ତିନି ମାସର ପ୍ରସ୍ତୁତିରେ ୯୭ ପ୍ରତିଶତ ମାର୍କ ରଖିଥିଲେ। ଏହା ପରଠୁ ସେ ଆଉ କେବେ ବି ପଛକୁ ଫେରି ଦେଖି ନାହାନ୍ତି କି ନିଜ ଉପରେ ଦୟା କରି ନାହାନ୍ତି।
ମାଲଭିକା କହିଛନ୍ତି, ଯେବେ ବିସ୍ଫୋରଣରେ ମୋର ଦୁଇ ହାତ ନଷ୍ଟ ହୋଇଗଲା ତେବେ ଡାକ୍ତର ମୋର ଜୀବନ ବଞ୍ଚାଇବାକୁ ପୂରା ଉଦ୍ୟମ କରିଥିଲେ। ମୋର ଚିକିତ୍ସା ସମୟରେ କିଛି ସର୍ଜିକାଲ ତ୍ରୁଟି ମଧ୍ୟ ହୋଇଥିଲା। ସର୍ଜିକାଲ ତ୍ରୁଟିର ଅର୍ଥ, ତାଙ୍କ ହାତର ଅଧା ଛିଣ୍ଡା ହାଡ ମାଂସରେ ଘୋଡେଇ ହୋଇ ନରହି ବାହାରକୁ ରହି ଯାଇଥିଲା। ଏଥିରେ ସମସ୍ୟା ଏହା ଥିଲା ଯେ, ଟିକେ ବି ଆଘାତ ଲାଗିଲେ ବହୁତ ଜୋରରେ ଯନ୍ତ୍ରଣା ହେଉଥିଲା। ମାତ୍ର ଡାକ୍ତରଙ୍କ ଏହି ତ୍ରୁଟି ତାଙ୍କ ଲାଗି ଭଲ ସାବ୍ୟସ୍ତ ହୋଇଛି। ଏବେ ହାତର ହାଡ ତାଙ୍କ ଲାଗି ଆଙ୍ଗୁଠି ପରି କାମ କରୁଛି। ଏହି ହାଡ ସାହାଯ୍ୟରେ ସେ ନିଜର ପିଏଚଡି ଥେସିସ୍ ଟାଇପ କରିଛନ୍ତି।

ମାଲଭିକା କହିଛନ୍ତି, ଏହି ହାଡ ଜରିଆରେ ସେ ଆରାମରେ ଟାଇପ୍ କରି ପାରୁଛନ୍ତି। ମୋର ପ୍ରତ୍ୟେକ ପଦକ୍ଷେପ ଆହ୍ଵାନରେ ଭରା ଥିବା ସେ କହିଛନ୍ତି। ମୁଁ ଦିବ୍ୟାଙ୍ଗଙ୍କ ପ୍ରତି ଭେଦଭାବ ଦୂର କରିବା ଦିଗରେ କାର୍ଯ୍ୟ କରୁଛି। ଏହା ସହିତ ଦିବ୍ୟାଙ୍ଗଙ୍କୁ ସାର୍ବଜନୀନ ସ୍ଥଳରେ ସୁଗମ ପ୍ରବେଶ କରାଇବା ଲାଗି କାମ କରୁଛି। ସେ କହିଛନ୍ତି ଯେ, ମୋତେ ମୋର ସ୍କୁଲ, ମୋର କାର୍ଯ୍ୟସ୍ଥଳୀ ଓ ସମାଜ ଆପଣେଇ ନେଇଛି। ଯଦି କୌଣସି ବ୍ୟକ୍ତିଙ୍କୁ ସମାଜ ସଂପୂର୍ଣ୍ଣ ଭାବେ ଆପଣେଇ ନିଏ ତେବେ ଉକ୍ତ ବ୍ୟକ୍ତି ଜୀବନରେ ସବୁ କିଛି ହାସଲ କରିପାରିବ।