ସମାପ୍ତ ହେବ ୪ ବର୍ଷର ଅପେକ୍ଷା, କୌଣସି ମୁହୂର୍ତ୍ତରେ ଭାରତ ପହଞ୍ଚିପାରନ୍ତି ବିଜୟ ମାଲ୍ୟା

Published By : Prameya-News7 Bureau | June 03, 2020 IST

ନୂଆଦିଲ୍ଲୀ ୦୩।୦୬: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା କୌଣସି ବି ସମୟରେ ଭାରତ ପହଞ୍ଚିପାରନ୍ତି। ମୁମ୍ବାଇରେ ମାଲ୍ୟାଙ୍କ ବିରୋଧରେ ଅନେକ ପ୍ରକାରର ସଙ୍ଗୀନ ମାମଲା ରୁଜୁ ହୋଇଛି। ତେଣୁ ମାଲ୍ୟାଙ୍କୁ ଲଣ୍ଡନରୁ ସିଧାସଳଖ ମୁମ୍ବାଇ ଅଣାଯିବ। ତଦନ୍ତକାରୀ ଏଜେନ୍ସିର ସୂତ୍ର ମୁତାବକ, ମାଲ୍ୟାକୁ ନେଇ କି ଆସୁଥିବା ବିମାନ ବୁଧବାର ରାତିରେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିପାରେ। ଯଦି ସେ ରାତିରେ ବିମାନ ବନ୍ଦରରେ ପହଞ୍ଚନ୍ତି ତେବେ ତାଙ୍କୁ ସିଧାସଳଖ ସିବିଆ ଅଫିସରେ ରଖାଯିବ।  ପରେ ତାଙ୍କୁ କୋର୍ଟରେ ହାଜର କରାଯିବ।

ସୂଚନା ଅନୁଯାୟୀ ୟୁକେ କୋର୍ଟ ମେ ୧୪ରେ ମାଲ୍ୟାଙ୍କ ଭାରତ ପ୍ରତ୍ୟର୍ପଣ ଉପରେ ମୋହର ମାରିଥିଲେ। ନିୟମ ଅନୁଯାୟୀ ଭାରତ ସରକାରଙ୍କୁ ମାଲ୍ୟାଙ୍କୁ ମେ ୧୪ ତାରିଖରୁ ୨୮ ଦିନ ଭିତରେ ୟୁକେରୁ ଭାରତ ଆଣିବାର ଅଛି। ଏମିତିରେ ୨୦ ଦିନ ବିତି ସାରିଛି। ଅନ୍ୟପକ୍ଷେ ପ୍ରତ୍ୟର୍ପଣର ସମସ୍ତ ଆଇନଗତ ପ୍ରକ୍ରିୟା ପୂରା ହୋଇ ସାରିଛି। ତେଣୁ ଆଶା କରାଯାଉଛି ମାଲ୍ୟା କୌଣସି ବି ସମୟରେ ଭାରତରେ ପହଞ୍ଚି ପାରନ୍ତି।

ରିମାଣ୍ଡ ମାଗିବେ ଇଡି ଓ ସିବିଆଇ

ମାଲ୍ୟା ମୁମ୍ଵାଇରେ ପହଞ୍ଚିବା ମାତ୍ରେ ମେଡିକାଲ୍ ଟିମ୍ ତାଙ୍କର ସ୍ଵାସ୍ଥ୍ୟବସ୍ଥା ଯାଞ୍ଚ କରିବେ। ସୂତ୍ର ଅନୁଯାୟୀ ସିବିଆଇ ଓ ଇଡିର କିଛି ଅଧିକାରୀ ବିମାନରେ ମାଲ୍ୟାଙ୍କ ସହ ରହିବେ। ଯଦି ମାଲ୍ୟା ଗୁରୁବାର ଦିନ  ବେଳେ ପହଞ୍ଚିଛନ୍ତି ତେବେ ତାଙ୍କୁ ବିମାନ ବନ୍ଦରରୁ ସିଧାସଳଖ କୋର୍ଟ ନିଆଯିବ। ସୂତ୍ର ଅନୁଯାୟୀ କୋର୍ଟରେ ସିବିଆଇ ଓ ଇଡି ଉଭୟ ଏଜେନ୍ସି ମାଲ୍ୟାଙ୍କ ରିମାଣ୍ଡ ଦାବି କରିବେ।

ଆର୍ଥର ରୋଡ୍‌  ଜେଲ୍ ପ୍ରସ୍ତୁତ                                                      

ଉଲ୍ଲେଖନୀୟ ୟୁକେର ଅଦାଲତ  ୨୦୧୮ ଅଗଷ୍ଟରେ ମାଲ୍ୟାଙ୍କ ଆବେଦନ ଉପରେ ଶୁଣାଣି ସମୟରେ ଭାରତୀୟ ତଦନ୍ତକାରୀ ସଂସ୍ଥାଠୁ ସେହି ଜେଲ୍‌ର ବିସ୍ତୃତ ସୂଚନା ମାଗିଥିଲେ, ଯେଉଁଠି ପ୍ରତ୍ୟର୍ପଣ ପରେ ମାଲ୍ୟାଙ୍କୁ ରଖାଯିବ। ସେହି ସମୟରେ ଏଜେନ୍ସି ମୁମ୍ଵାଇ ସ୍ଥିତ ଆର୍ଥର ରୋଡ୍‌ ଜେଲ୍‌ର ଏକ ସେଲ୍‌ର  ଭିଡିଓ ୟୁକେ କୋର୍ଟରେ ଉପସ୍ଥାପନ କରିଥିଲେ। ମାଲ୍ୟାଙ୍କ ପ୍ରତ୍ୟର୍ପଣ ପରେ ତାଙ୍କୁ ମୁମ୍ଵାଇର ଆର୍ଥର ରୋଡ୍ ଜେଲ୍‌ରେ ରଖାଯିବ। ଏଜେନ୍ସି ସେହି  ସମୟରେ ୟୁକେ କୋର୍ଟରେ ଆଶ୍ଵସନା ଦେଇଥିଲେ, ଦୁଇ ମହଲା ବିଶିଷ୍ଟ ଆର୍ଥର ରୋଡ୍‌ ଜେଲ୍‌ ପରିସର ଭିତରେ କଡାକଡି ସୁରକ୍ଷା ବ୍ୟବସ୍ଥାରେ ଥିବା ବ୍ୟାରେକ୍‌ରେ ମାଲ୍ୟାଙ୍କୁ ରଖାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.