୨୬ ଜାନୁୟାରୀ ରାତିରୁ ମୁମ୍ବାଇରେ Mall & multiplex ୨୪ଘଣ୍ଟା ଖୋଲା , ସୃଷ୍ଟି ହେବ ୫ଲକ୍ଷ ନୂଆ ରୋଜଗାର
26/01/2020 at 9:15 PM

ମୁମ୍ବାଇ ୨୬।୧ : ଆର୍ଥିକ ରାଜଧାନୀ ମୁମ୍ବାଇରେ ରବିବାର ମଧ୍ୟରାତ୍ର ପରେ ବି ଖୋଲା ରହିବ ସମସ୍ତ ମଲ ଓ ମଲ୍ଟିପ୍ଲେକ୍ସ। ତେବେ ଦିନ ଭଳି ରାତିରେ ମୁମ୍ବାଇ ଅନିଦ୍ରା ରହିବା କିଛି ନୂଆ କଥା ନୁହେଁ। ଅତୀତରେ ବି ମୁମ୍ବାଇରେ କାରବାର ଲାଗି ଦିନ ଓ ରାତି ସମାନ ଥିଲା। ତେବେ ୨୮ ବର୍ଷ ପୂର୍ବେ ବିଳମ୍ବିତ ରାତ୍ରିରେ ବେପାର ବଣିଜ ଉପରେ ସରକାର ରୋକ ଲଗାଇଥିଲେ। ହେଲେ ଏବେ ପରୀକ୍ଷାମୂଳକ ଭାବେ ପୁଣି ୨୪ଘଣ୍ଟିଆ କରିବାକୁ ଉଦ୍ୟମ କରିଛନ୍ତି।

ରାତିରେ ମଲ ଓ ମଲ୍ଟିପ୍ଲେକ୍ସ ଖୋଲା ରହିବା ଯୋଗୁ ଆଗାମୀ ୩ ବର୍ଷରେ ମୁମ୍ବାଇ ଅଧିକ ୫ଲକ୍ଷ ନିୟୁକ୍ତି ସୃଷ୍ଟି କରିପାରିବ ବୋଲି ମହାରାଷ୍ଟ୍ର ସରକାର ଆଶାବ୍ୟକ୍ତ କରିଛନ୍ତି। ୫ଲକ୍ଷ ଲୋକଙ୍କୁ ରୋଜଗାର ମିଳିବା ସହ ଏହି ସମୟରେ କାମ କରିବା ଲାଗି ଆଗ୍ରହୀ ଲୋକେ ମାସିକ ୧୦ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରିପାରିବେ ବୋଲି କୁହାଯାଇଛି।

ତେବେ ଫେଡେରେସନ ଅଫ ରିଟେଲ ଟ୍ରେଡର୍ସ ୱେଲଫେୟାର ଆସୋସିଏସନର ବୀରେନ ଶାହଙ୍କ ଅନୁସାରେ ପରୀକ୍ଷା ମୂଳକ ଭାବେ ପୁଣି ଥରେ ଆରମ୍ଭ କରାଯାଉଥିବା ମୁମ୍ବାଇ ନାଇଟ୍ ଲାଇଫରୁ ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ଫୁଡ କୋର୍ଟ, ଜୁସ୍ ସେଣ୍ଟର ଓ ମଲ୍ଟିପ୍ଲେକ୍ସ ହିଁ ଲାଭବାନ ହେବେ। ଅନ୍ୟପକ୍ଷରେ ମହାରାଷ୍ଟ୍ର କୌଶଳ ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ନବାବ ମଲ୍ଲିକଙ୍କ ଅନୁସାରେ ସରକାରଙ୍କ ଏହି ପରୀକ୍ଷା ସଫଳ ହେଲେ ମୁମ୍ବାଇରେ ନୂଆ ରୋଜଗାରର ୨୦ ପ୍ରତିଶତ ଅବସର ସୃଷ୍ଟି ହେବ। ମଲ୍ଲିକ ୨୦୦୫ ମସିହାରେ ରାଜ୍ୟ ସରକାରରେ ମନ୍ତ୍ରୀ ଥିଲେ। ସେବେଠାରୁ ମୁମ୍ବାଇରେ ବ୍ୟବସାୟୀକ ପ୍ରତିଷ୍ଠାନ ଓ ହୋଟେଲ ୨୪ ଘଣ୍ଟିଆ କରିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ।

ତେବେ ପରେ ଯୁବ ସେନା ଅଧ୍ୟକ୍ଷ ଭାବେ ଆଦିତ୍ୟ ଠାକରେ ଏହି ପ୍ରସ୍ତାବ ଉପରେ ତାଙ୍କର ଉଦ୍ୟମ ଆରମ୍ଭ କରିଥିଲେ। ଏବେ ଆଦିତ୍ୟ ମହାରାଷ୍ଟ୍ର ସରକାରରେ ପର୍ଯ୍ୟଟନ ମନ୍ତ୍ରୀ ଅଛନ୍ତି। ଏ ନେଇ ତାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନରିମେନ ପଏଣ୍ଟ, କାଲାଘୋଡା ଓ ବିକେସୀ ଭଳି କିଛି ମନୋନୀତ ସ୍ଥାନମାନଙ୍କରେ ୨୪ ଘଣ୍ଟିଆ କାରବାର ଲାଗି ସର୍ତ୍ତମୂଳକ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ମୁମ୍ବାଇ ମୋଟ ଜନସଂଖ୍ୟାର ୫ ପ୍ରତିଶତ ଅର୍ଥାତ ପ୍ରାୟ ୬ ଲକ୍ଷ ଲୋକେ ନାଇଟ୍ ଲାଇଫକୁ ପସନ୍ଦ କରିଥାନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ବଡଘରର ଲୋକେ। ଏବେ ମୁମ୍ବାଇରେ ନାଇଟ୍ ସିଫ୍ଟ ଲାଗି ଅନୁମତି ପାଇଥିବା କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୫ ଲକ୍ଷ ଭଳି। ଏଣୁ ପୁଣି ୨୪ ଘଣ୍ଟିଆ କାରବାର ବ୍ୟବସାୟୀକ କ୍ଷତିର କାରଣ ହେବନି ବୋଲି ପର୍ଯ୍ୟଟନ ମନ୍ତ୍ରାଳୟ କହିଛନ୍ତି। ସେହିପରି ମୁମ୍ବାଇରେ ନାଇଟ୍ ଲାଇଫ ସୁରକ୍ଷିତ ହେଲେ ପର୍ଯ୍ୟଟକଙ୍କ ସଂଖ୍ୟାରେ ମଧ୍ୟ ଅଭିବୃଦ୍ଧି ହେବ ବୋଲି କୁହାଯାଇଛି।