ମୀନାଙ୍କୁ ଝୁରୁଛି ମାଲକାନଗିରି, ଜିଲ୍ଲାବାସୀ ଦେଲେ ଅଶ୍ରୁଳ ବିଦାୟ

Published By : Prameya-News7 Bureau | August 22, 2019 IST

ମାଲକାନଗିରି ୨୨|୮: ମୀନାଙ୍କୁ ଝୁରୁଛି ମାଲକାନଗିରି । ଏସପି ଜଗମୋହନ ମୀନାଙ୍କ ବଦଳି ପରେ ତାଙ୍କୁ ଭାବବିହ୍ବଳ ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି ସହକର୍ମୀ, ଯବାନଙ୍କ ସହ ମାଲକାନଗିରିବାସୀ । ଖୁବ୍‌ କମ୍‌ ଦିନରେ ମାଲକାନଗିରି ଜିଲ୍ଲାରେ ଆଦିବାସୀ ଲୋକଙ୍କ ମନକୁ ଜିଣି ତାଙ୍କ ପ୍ରିୟ ଭାଜନ ହୋଇପାରିଥିବା ଏହି ଆଇପିଏସ୍‌ ଅଫିସରଙ୍କୁ ଏବେ ଝୁରୁଛି ମାଲକାନଗିରି ।

ଅନ୍ୟକୁ ନିଜର କରିବାର କଳା ବୋଧହୁଏ ତାଙ୍କୁ ଏତେ ଲୋକପ୍ରିୟ କରିପାରିଥିଲା । ମାତ୍ର ୨ବର୍ଷର କାର୍ଯ୍ୟକାଳ ଭିତରେ ମାଲକାନଗିରିବାସୀଙ୍କ ନିକଟତର ହୋଇପାରିଥିବା ଏହି ଆଇପିଏସ ଅଫିସର ଜଗମୋହନ ମୀନା । ସେଇଥିପାଇଁ ତ ଆଜି ତାଙ୍କୁ ଲୋକେ କାନ୍ଧରେ ବସାଇଛନ୍ତି । ନିକଟରେ ମାଲକାନଗିରିରୁ ଅନୁଗୋଳ ଜିଲ୍ଲାକୁ ବଦଳି ହୋଇଥିବା ଏସପି ମିନାଙ୍କୁ ଠିକ୍‌ ଏମିତି କିଛି ଢ଼ଙ୍ଗରେ ଭାବ ବିହ୍ବଳ ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି ସହକର୍ମୀ, ଯବାନଙ୍କ ସହ ମାଲକାନଗିରିବାସୀ । ପତ୍ନୀ ଓ କୁନି ପୁଅ ସହ ଜଗମୋହନ ମିନା ଆଜି ଯେତେବେଳେ ନିଜ କ୍ବାର୍ଟରରୁ ବାହାରିଥିଲେ ସେତେବେଳେ ବାହାରେ ଅପେକ୍ଷା କରିଥିବା ଶତାଧିକ ଲୋକ ତାଙ୍କୁ ଏଭଳି ଭାବେ ଫୁଲମାଳ ପକାଇ କାନ୍ଧରେ ବସାଇ ନାଚଗୀତ ମାଧ୍ୟମରେ ଦେଇଥିଲେ ଭାବବିହ୍ବଳ ବିଦାୟ ସମ୍ବର୍ଦ୍ଧନା । ନିଜର  ସ୍ବଳ୍ପ ସମୟର କାର୍ଯ୍ୟକାଳ ଭିତରେ ଏହି ଆଇପିଏସ୍‌ ଅଫିସର ଜଣକ ମାଲକାନଗିରି ଜିଲ୍ଲାରେ ନକ୍ସଲ ଦମନ ଅପରେସନ ଠାରୁ ଆରମ୍ଭ କରି ବନ୍ୟା ଓ ବିପତ୍ତି ବେଳେ ସାଧାରଣ ଲୋକଙ୍କ ପାଖରେ ଠିଆ ହେବା ପର୍ଯ୍ୟନ୍ତ ସବୁଥିରେ ବେଶ୍‌ ସଫଳ ହୋଇଛନ୍ତି ଅଫିସର ମୀନା  । ଯାହା ତାଙ୍କ ପାଇଁ ଲୋକପ୍ରିୟତାର ମାପକାଠି ହୋଇପାରିଛି । ଆମ ଦେଶରେ ଏମିତି ଚିତ୍ର ଖୁବ୍‌ କମ୍‌ ଦେଖିବାକୁ ମିଳେ । ଯେଉଁଠି  ସରକାରୀ ଅଧିକାରୀଙ୍କୁ ଏମିତି ଅଶ୍ରୁଳ ବିଦାୟ ଦେଇଥାନ୍ତି ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.