ମାଲକାନଗିରି ଶିଖାପାଲ୍ଲି ସେବାଶ୍ରମର ଅନ୍ତେବାସୀ ଆତଙ୍କିତ

Published By : Prameya-News7 Bureau | August 07, 2018 IST

ଏଠିକାର ଜଣେ ଛାତ୍ରୀଙ୍କର ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ହୋଇଥିଲା । ମୃତ ଛାତ୍ରୀଙ୍କୁ ନିର୍ଯାତନା ଦିଆ ଯାଇଥିବା ଅଭିଯୋଗରେ ପ୍ରଧାନଶିକ୍ଷକଙ୍କୁ ଗିରଫ ବି କରାଯାଇଛି । ହେଲେ ପରିବାର ଲୋକ ସନ୍ତୁଷ୍ଟ ହୋଇ ନାହାନ୍ତି । ନ୍ୟାୟ ମାଗିଛନ୍ତି । ପୁରା ଘଟଣା ଉପରୁ ପରଦା ଉଠାଇବାକୁ ଦାବି କରିଛନ୍ତି | ମାଲକାନଗିରି ଶିଖାପାଲ୍ଲି ସେବାଶ୍ରମ ଛାତ୍ରୀ ମୃତ୍ୟୁ ମାମଲା ଗୁଡେଇ ତୁଡେଇ ହୋଇ ଯାଇଛି । ମୃତ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ସେବାଶ୍ରମର ପ୍ରଧାନଶିକ୍ଷକଙ୍କୁ ଗିରଫ କରାଯାଇଛି । ଛାତ୍ରୀଙ୍କ ସୁଇସାଇଡ୍ ନୋଟ ପୋଲିସ ପ୍ରମାଣ ଭାବରେ ପାଇଛି । ହେଲେ ମୃତ ଛାତ୍ରୀଙ୍କ ପରିବାର ସନ୍ଦେହଜନକ ମୃତ୍ୟୁ ଉପରେ ପ୍ରଶ୍ନ ଉଠାଇଛନ୍ତି ।ରାଜ୍ୟ ସରକାର ମୃତ ଛାତ୍ରୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି । ଏହା ସହ ପରିବାରର ଜଣଙ୍କୁ ପୋଲିସ ବିଭାଗରେ ଚାକିରି ଦେବ ବୋଲି ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଛି । ହେଲେ ପରିବାର ଲୋକେ ଏସବୁ ବଦଳରେ ନ୍ୟାୟ ମାଗିଛନ୍ତି । ସୁଇସାଇଡ୍ ନୋଟ ମୃତ ଛାତ୍ରୀଙ୍କର ନୁହେଁ ଏବଂ ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ଠିକ ନୁହେଁ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକ । ମାମଲାର ସାନି ତଦନ୍ତ ପାଇଁ ପରିବାର ଲୋକେ ଜିଲ୍ଲାପାଳ ଓ ଏସ.ପି.ଙ୍କ ନିକଟରେ ଦାବି କରିଛନ୍ତି ।ସେବାଶ୍ରମର ୫ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶ୍ବନାଥ ଲେଙ୍କା, ହଷ୍ଟେଲ ସୁପରିଟେଣ୍ଡେଣ୍ଟ ରେଣୁବାଳା ମଲ୍ଲିକ, ଜୁନିୟର ମାଟ୍ରନ ସେଫାଳି କିର୍ତ୍ତନିଆଙ୍କୁ ଚାକିରିରୁ ନିଳମ୍ବିତ କରାଯାଇଥିବା ବେଳେ ଠିକା ଜଗୁଆଳି ପ୍ରଦୀପ ସୁନାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ସେବାଶ୍ରମର ଅନ୍ୟ ସମସ୍ତ କର୍ମଚାରୀ ଅନ୍ୟତ୍ର ବଦଳି କରାଯାଇଛି । ତେବେ ଏତିକିରେ ସନ୍ତୁଷ୍ଟ ହୋଇ ନାହାନ୍ତି ଗ୍ରାମବାସୀ । ହଷ୍ଟେଲ ୱାଡେନଙ୍କୁ ଗିରଫ କରିବାକୁ ଦାବି ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.