ଥାନାଧିକାରୀଙ୍କ ମହାନତା, ମାଲକାନଗିରିରେ ଫସିଥିବା ମହାରାଷ୍ଟ୍ରର ବୁଲାବିକାଳିଙ୍କୁ ବଢାଇଲେ ସହାୟତାର ହାତ

Published By : Prameya-News7 Bureau | May 19, 2020 IST

ମାଲକାନଗିରି, ୧୯|୦୫:  କରୋନା ମହାମାରୀ ପାଇଁ ସାର ଦେଶରେ ଲକଡାଉନ୍ ଜାରି ରହିଛି । ଫଳରେ ଦେଶରେ ବିଭିନ୍ନ ସ୍ଥାନରେ ହଜାର ହଜାର ଶ୍ରମିକ ଫସି ରହିଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ହଜାର ହଜାର ପ୍ରବାସୀ ଓଡିଆ ଶ୍ରମିକ ଫସି ରହିଥିବା ବେଳେ ଓଡିଶାରେ ମଧ୍ୟ ବାହାର ରାଜ୍ୟର ଅନେକ ଶ୍ରମିକ ଫସି ରହିଛନ୍ତି । ସେହିପରି ମହାରାଷ୍ଟ୍ରରୁ ଆସି ତିନୋଟି ପରିବାରର ୧୨ ଜଣ ମୋବାଇଲ ଚାର୍ଜର, ଇଅରଫୋନ ଆଦି ଇଲେକ୍ଟ୍ରୋନିକ୍ସ୍ ସାମଗ୍ରୀ ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିଲେ । କିନ୍ତୁ ସେମାନେ ଗତ କିଛି ଦିନ ଧରି କୋରାପୁଟ ଜିଲ୍ଲା ପାଡୁଆ ଅଞ୍ଚଳରେ ଫସି ରହିଥିଲେ । ସେଠାକାର ସରପଞ୍ଚ ତାଙ୍କୁ ମାଲକାନଗିରି ଜିଲ୍ଲାକୁ ପଠାଇ ଦେଇଥିଲେ ।

ତେବେ ସେମାନେ ମାଲକାନଗିରି ସହରରେ ବୁଲୁଥିବା ବେଳେ କିଛି ସାମାଜିକକର୍ମୀ ଏନେଇ ସ୍ଥାନୀୟ ଥାନାରେ ଜଣାଇଥିଲେ । ସଙ୍ଗେସଙ୍ଗେ ଥାନାଧିକାରୀ ରାମପ୍ରସାଦ ନାଗ ପହଁଚି ଅସହାୟ ଅବସ୍ଥାରେ ବୁଲୁଥିବା ୧୨ଜଣଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ । ଏହାପରେ ସେମାନଙ୍କୁ ଶୁଖିଲା ଖାଦ୍ୟ ପୁଡିଆ, ବିସ୍କୁଟ, ମାସ୍କ, ସାନିଟାଇଜର ଆଦି ପ୍ରଦାନ କରିବା ସହ ଲକଡାଉନ୍ ନିୟମ ବାବଦରେ ପରାମର୍ଶ ମଧ୍ୟ ଦେଇଥିଲେ । ଏହି ୧୨ଜଣଙ୍କ ମଧ୍ୟରେ ୩ଜଣ ପୁରୁଷ, ୪ ମହିଳା, ୫ ଛୋଟ ପିଲା ରହିଛନ୍ତି ।

ଏହି ଜନସଚେତନତା କାର୍ଯ୍ୟକ୍ରମରେ ଥାନାଧିକାରୀ ଶ୍ରୀ ନାଗଙ୍କ ବ୍ୟତୀତ ସବ ଇନ୍ସପେକ୍ଟର ସୁନିଲ ସ୍ୱାଇଁ, ରୁଦ୍ରମାଧବ ମୁଦୁଲି ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ଆଶ୍ରୟ ଦେବା ସହ ଅଧିକାରୀମାନେ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା ମଧ୍ୟ କରିଥିଲେ । ଛତିଶଗଡ ରାୟପୁରରେ ସୋନଙ୍କ ସାଥୀ ଅଟକି ଥିବାରୁ ସେମାନଙ୍କୁ ଟ୍ରେନ୍ ଯୋଗେ ପଠାଇବାର ବ୍ୟବସ୍ଥା କରିଛନ୍ତି ମାଲକାନଗିରି ଥାନାଧିକାରୀ । ଏପରିକି ରାସ୍ତାରେ ଖାଇବା ପାଇଁ ସେମାନଙ୍କୁ ଖାଦ୍ୟପୁଡିଆ, ମାସ୍କ, ପାଣିବୋତଲ ଆଦି ପ୍ରଦାନ କରିଛନ୍ତି । ମହାରାଷ୍ଟ୍ରର ଏହି ବୁଲାବିକାଳୀମାନେ ଥାନାଧିକାରୀଙ୍କୁ ଏଥିପାଇଁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.