ମାଲକାନଗିରି ସୀମାନ୍ତରେ ସିଆରପିଏଫ କ୍ୟାମ୍ପକୁ ବିରୋଧ, ୨୦ ଦିନ ହେଲା ଆନ୍ଦୋଳନ କରୁଛନ୍ତି ଶହ ଶହ ଲୋକ

Published By : Prameya-News7 Bureau | June 04, 2021 IST

ମାଲକାନଗିରି,୦୪/୦୬:   ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ସିଲଗେର ଠାରେ ପ୍ରତିଷ୍ଠା ହୋଇଥିବା ସିଆରପିଏଫ କ୍ୟାମ୍ପକୁ ବିରୋଧ କରି ଗତ ୨୦ଦିନ ହେଲାଣି ଆନ୍ଦୋଳନ ଚଳାଇଛନ୍ତି ଶହ ଶହ ସ୍ଥାନୀୟ ଲୋକେ । ଖରାବର୍ଷାରେ ମଧ୍ୟ ସେମାନେ ଧାରଣାସ୍ଥଳରେ ବସି ରହିଛନ୍ତି । ଛତିଶଗଡ଼ର ନେତା ମନ୍ତ୍ରୀ, ଏମିତିକି ବସ୍ତର ଆଇଜି ନିଜେ ଯାଇ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି ।

ଗୋଟେପଟେ ସରକାରଙ୍କ ମାଓମୁକ୍ତ ଅଭିଯାନ, ଅନ୍ୟପଟେ ଜଳ, ଜମି, ଜଙ୍ଗଲ  ପାଇଁ ଆଦିବାସୀଙ୍କ ଆନ୍ଦୋଳନ । ଗଲା ୨୦ଦିନ ହେଲା ଛତିଶଗଡ଼ ବିଜାପୁର ସିଲଗେରରେ ନିଜ ଅଧିକାର ପାଇଁ ଆନ୍ଦୋଳନ ଚଳାଇଛନ୍ତି ଶହ ଶହ ଆଦିବାସୀ । ସିଲଗେରରେ ପ୍ରତିଷ୍ଠା ହୋଇଥିବା ସିଆରପିଏଫ କ୍ୟାମ୍ପକୁ ସେମାନେ ବିରୋଧ କରୁଛନ୍ତି । କାରଣ ସେମାନଙ୍କ ଆଶଙ୍କା ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ଲଢ଼େଇରେ ନୀରିହ ଆଦିବାସୀ ହିଁ ବଳି ପଡ଼ୁଛନ୍ତି । ଜଳ, ଜମି, ଜଙ୍ଗଲକୁ ନେଇ ବଞ୍ଚୁଥିବା ଆଦିବାସୀଙ୍କ ଅଧିକାର କାଳେ କିଏ ଛଡ଼ାଇନେବ ତାକୁ ନେଇ ସେମାନେ ଚିନ୍ତିତ ହୋଇପଡ଼ିଛନ୍ତି । ହେଲେ ନକ୍ସଲଙ୍କ ଦାଉରୁ ସେମାନଙ୍କୁ  ସୁରକ୍ଷା ଦେବା ସ୍ଥାନୀୟ ଅଂଚଳରେ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲକ୍ଷ୍ୟ ନେଇ ସରକାର ସିଲଗେର ଅଂଚଳରେ ସିଆରପିଏଫ୍‌ କ୍ୟାମ୍ପ ପ୍ରତିଷ୍ଠା କରିଛନ୍ତି, ସେକଥାକୁ ସେମାନେ ଗ୍ରହଣ କରିବାକୁ ନାରାଜ୍‌ । ତେବେ ଆନ୍ଦୋଳନକାରୀଙ୍କ ସହ ଛତିଶଗଡ଼ର ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବସ୍ତର ଆଇଜିଙ୍କ ପର୍ଯ୍ୟନ୍ତ ସମସ୍ତେ ଯାଇ ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ନିଜ ଜିଦ୍‌ରେ ଅଟଳ ଅଛନ୍ତି ।

ଗଲା ୧୬ ତାରିଖରେ ବିଜାପୁରରେ ଜବାନ୍‌ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୩ଜଣ ମାଓବାଦୀ ପ୍ରାଣ ହରାଇଥିଲେ । ତେବେ ପ୍ରାଣ ହରାଇଥିବା ବ୍ୟକ୍ତି ମାଓବାଦୀ ନୁହନ୍ତି ସ୍ଥାନୀୟ ଅଧିବାସୀ ବୋଲି ଦାବି କରୁଛନ୍ତି ଆନ୍ଦୋଳନକାରୀ । ଏହି ଘଟଣାକୁ ବିରୋଧ କରି ବିଜାପୁର ଓ ସୁକମା ଜିଲ୍ଲାର ଶହ ଶହ ଲୋକେ ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ଘଟଣାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏକ ଦଳର ବରିଷ୍ଠ ନେତାଙ୍କୁ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରିବା ସହ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବାର ବ୍ୟବସ୍ଥା କରିଥିବା କୁହାଯାଇଛି ।

ସରକାର ଚାହୁଁଛନ୍ତି ଦୁର୍ଗମ ଅଂଚଳରୁ ମାଓ ଗତିବିଧି ବନ୍ଦ ହେଉ । ସେଠାରେ ରହୁଥିବା ଲୋକଙ୍କ ପାଖରେ  ମୌଳିକ ସୁବିଧା ସୁଯୋଗ ପହଞ୍ଚୁ । ସେଠାକାର ବିକାଶ ହେଉ । ହେଲେ ଆନ୍ଦୋଳନରତ ଆଦିବାସୀ କିନ୍ତୁ ଏହାକୁ ମାନିବାକୁ ନାରାଜ । ତେବେ ମାଓ ବିରୋଧୀ  ନୀରିହ ଆଦିବାସୀଙ୍କୁ ଢ଼ାଲ କରି ଏଭଳି ଆନ୍ଦୋଳନ ଚଳାଇଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.