ଭଡା ପାଇଁ ବିମାନ ଜବତ, ଜବରଦସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଗଲା : ପାକିସ୍ତାନ ବିରୋଧରେ ବନ୍ଧୁ ମାଲେସିଆ ନେଲା ଏମିତି ଆକ୍ସନ

Published By : Prameya-News7 Bureau | January 15, 2021 IST

ଇସଲାମାବାଦ,୧୫/୦୧: କିଛି ଘର ମାଲିକଙ୍କୁ ଭଡା ନମିଳିଲେ ସେମାନେ ଭଡାଟିଆଙ୍କୁ ଘରୁ ବାହାର କରିଦିଅନ୍ତି । କୌଣସି ଜିନିଷ ଧାରରେ ନେଇଥିଲେ କିଛି କିଛି ସ୍ଥାନରେ ଟଙ୍କା ମଧ୍ୟ ଦେବାକୁ ପଡେ । ଯଦି ଦୋକାନ କିମ୍ବା ଜମି ଲିଜରେ ନିଆଯାଏ ଏଥିପାଇଁ ମଧ୍ୟ ଅର୍ଥ ପ୍ରଦାନ କରିବାକୁ ହୋଇଥାଏ । ଯଦି ଅର୍ଥ ପଇଠରେ କେହି ଖିଲାପ କରନ୍ତି ତାହେଲେ ସମ୍ପତ୍ତିର ମାଲିକ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି । କିଛି ସ୍ଥାନରେ ଦେଇଥିବା ସମ୍ପତ୍ତିକୁ ଜବତ ମଧ୍ୟ କରିବାର ନଜିର ରହିଛି । ଏପରି ସମାନ ଘଟଣା ସାମ୍ନାକୁ ଆସିଛି ପାକିସ୍ତାନ ଓ ମାଲେସିଆ ମଧ୍ୟରେ । ମାଲେସିଆ ପାକିସ୍ତାନର ଏକ ବିମାନକୁ ଅର୍ଥ ପଇଠ ନକରିଥିବାରୁ ଜବତ କରିନେଇଛି ।

ପାକିସ୍ତାନ ଏବେ ଘୋର୍ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏବେ ପାକ୍‌କୁ ମିତ୍ର ଦେଶ ମାଲେସିଆ ଏକ ବଡ ଝଟକା ଦେଇଛି । ପାକିସ୍ତାନୀ ସରକାରୀ ବିମାନ କମ୍ପାନୀ ପାକ୍ ଇଣ୍ଟରନ୍ୟାଶନାଲ୍ ଏୟାରଲାଇନ୍ସର ବୋଇଂ ୭୭୭ ଯାତ୍ରୀ ବିମାନକୁ ମାଲେସିଆ ଜବତ କରିଛି ।

ପାକ୍ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ବିମାନକୁ ଲିଜରେ ନିଆଯାଇଥିଲା । ପାକ୍ କିନ୍ତୁ ଅର୍ଥ ଦେଉନଥିଲା । ତେଣୁ କ୍ୱାଲାଲମପୁର ବିମାନ ବନ୍ଦରରେ ଏହାକୁ ଜବତ କରାଯାଇଛି । ଏହି ସମୟରେ ଯାଚ୍ରୀ ଓ କର୍ମଚାରୀ ଥିଲେ ମଧ୍ୟ ସମସ୍ତଙ୍କୁ ଓହ୍ଲାଇ ଦିଆଯାଇଥିଲା ।

ଡେଲି ଟାଇମ୍ସର ରିପୋର୍ଟ ଅନୁସାରେ, ପିଆଇଏର ମୋଟ୍ ୧୨ଟି ବୋଇଂ ୭୭୭ ବିମାନ ରହିଛି । ଏହାକୁ ବିଭିନ୍ନ କମ୍ପାନୀଠାରୁ ଲିଜରେ ନିଆଯାଇଛି । ମାଲେସିଆ ଯେଉଁ ବିମାନ ଜବତ କରିଛି ତାହା ମଧ୍ୟ ଲିଜରେ ଥିଲା । କିନ୍ତୁ ପାକିସ୍ତାନ ଅର୍ଥ ପଇଠ କରିବାରେ ବିଫଳ ହୋଇଥିଲା । ଏହାପୂର୍ବରୁ ସାଉଦି ଆରବ ପାକିସ୍ତାନଠୁ ୩ ଆରବ ଡଲାର ଫେରସ୍ତ ମାଗିଥିଲା । ଇମରାନ ଖାନ ସରକାର ଚୀନରୁ ଲୋନ୍ ଆଣି ସାଉଦିର ଋଣ ଭରଣା କରିଥିଲେ ।

ପାକିସ୍ତାନର ବିମାନକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସୁଛି । ଗତବର୍ଷ ପିଆଇଏର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପିଆଇଏର ୪୦ ପ୍ରତିଶତ ପାଇଲଟ୍ ନକଲି ବୋଲି ମଧ୍ୟ ସୂଚନା ମିଳିଥିଲା । ପିଆଇଏ କର୍ମଚାରୀ ଅନେକ ତସ୍କରୀରେ ଧରା ମଧ୍ୟ ପଡିଛନ୍ତି ।

ଏକ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ, ପାକିସ୍ତାନର ୮୬୦ ପାଇଲଟଙ୍କ ମଧ୍ୟରୁ ୨୬୨ ଜଣ ପାଇଲଟ ପରୀକ୍ଷାରେ କପି କରିଥିଲେ । ଏହାସହ ଏମାନଙ୍କ ପାଖରେ ନକଲି ସାର୍ଟିଫିକେଟ୍ ମଧ୍ୟ ରହିଛି। ଏହାପରେ ଅନେକ ଦେଶ ପାକିସ୍ତାନ ବିମାନ ଉପରେ ରୋକ୍ ଲଗାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.