ମାଲେସିଆରେ କମୁନି ସଂକ୍ରମଣ, ସାରା ଦେଶରେ ଲକଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | May 29, 2021 IST

କ୍ୱାଲାଲାମପୁର, ୨୯/୫ :  ମାଲେସିଆରେ ପ୍ରତିଦିନ ଅଧିକରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି  । କରୋନାକୁ  ଏଠାରେ ବ୍ରେକ୍ ଲାଗୁନି । ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ମୁହିଦ୍ଦୀନ୍ ୟାସିନ୍ ଲକଡାଉନ୍ ଘୋଷଣା କରିଛନ୍ତି । ଜୁନ ୧ରୁ ୧୪ ତାରିଖ ଯାଏଁ ଲକଡାଉନ୍ କଟକଣା ବଳବତ୍ତର ରହିବ ।

ଲକଡାଉନ୍ ସମୟରେ ସମସ୍ତ ଅଫିସ, ସ୍କୁଲ, କଲେଜ ଆଦି ବନ୍ଦ ରହିବ । କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ । ତେବେ କିଛି ଫାକ୍ଟ୍ରି ଓ ଅର୍ଥନୈତିକ ସେବାକୁ କଟକଣାରୁ ବାଦ୍ ଦିଆଯାଇଛି । ଏନେଇ ସିହ୍ନୁଆ ନ୍ୟୁଜ ଏଜେନ୍ସି  ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦେଇଛି । ମାଲେସିଆ ସରକାରଙ୍କ ତରଫରୁ ଜାରି ବୟାନରେ କୁହାଯାଇଛି ଯେ, ବୃଦ୍ଧି ପାଉଥିବା ମାମଲାକୁ ନଜରେର ରଖି ଲକଡାଉନ୍ ଲାଗୁ ହୋଇଛି । ଦେଶରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ହସ୍ପିଟାଲ ଓ ବେଡ୍ ସଂଖ୍ୟା ସୀମିତ ପରିମାଣରେ ରହିଛି । ଲକଡାଉନ୍ ବେଳେ ସାରା ଦେଶରେ ଥିବା ହସ୍ପିଟାଲର ଭିତ୍ତିଭୂମିକୁ ସୁଦୃଢ କରାଯିବ । ଲକଡାଉନରେ ପ୍ରଭାବିତ ହେଉଥିବା ଲୋକଙ୍କୁ ସହାୟତା ପ୍ରଦାନ କରାଯିବ । ଏହି ସମୟରେ ଭାକସିନେସନକୁ ଜୋରଦାର୍ ମଧ୍ୟ କରାଯିବ ବୋଲି ସରକାର କହିଛନ୍ତି ।

ମାଲେସିଆ ସରକାର ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ସଂକ୍ରମଣ କମେ ତାହାଲେ କିଛି ଆର୍ଥିକ ଗତିବିଧିକୁ ଅନୁମତି ପ୍ରଦାନ କରାଯିବ । ସୂଚନାଯୋଗ୍ୟ, ମାଲେସିଆରେ ଶୁକ୍ରବାର ୮୯୨୦ଟି ନୂଆ କେସ୍ ସାମ୍ନାକୁ ଆସିଥିବା ବେଳେ ୬୧ ଜଣ ପ୍ରାଣ ହରାଇଥିଲେ । ଏଠାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୪୯୫୧୪ ଛୁଇଁଥିବା ବେଳେ ୨୫୫୨ଙ୍କ ଜୀବନ ନେଇଛି କରୋନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.