ପାକିସ୍ତାନକୁ ସମର୍ଥନ କରି ହରଡଘଣାରେ ମାଲେସିଆ ଓ ତୁର୍କୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଲେ ଏହି କଡା ପଦକ୍ଷେପ
22/10/2019 at 5:08 PM

ନୂଆଦିଲ୍ଲୀ୨୨|୧୦: ବିଶ୍ବର ଦ୍ବିତୀୟ ବୃହତ୍ତମ ଗଣତନ୍ତ୍ର ତଥା ବିଶ୍ବର ଷଷ୍ଠ ଅର୍ଥନୀତି ।ବିକାଶ ଦିଗରେ ଅଗ୍ରସର ଭାରତ ଏବେ ସାରା ବିଶ୍ବର ନଜରରେ । ଯେଉଁଥି ପାଇଁ ଆମେରିକା ଓ ଚୀନ ପରି ରାଷ୍ଟ୍ର ବ୍ୟବସାୟ ବୃଦ୍ଧି ଲକ୍ଷ୍ୟରେ ସମ୍ପର୍କକୁ ମଜଭୁତ କରିଛନ୍ତି । ମହାଶକ୍ତିମାନେ ଯେତେବେଳେ ଭାରତ ସପକ୍ଷରେ ବାହାରିଛନ୍ତି ।ସେତେବେଳେ ତୁର୍କୀ ଓ ମାଲେସିଆର ଦୋମୁହାଁ ନୀତିକୁ କେମିତି ବା ଅଣଦେଖା କରିହୁଅନ୍ତା । ତେଣୁ କେବଳ ଶତ୍ରୁ ନୁହେଁ ଶତ୍ରୁର ସାଥୀକୁ ବି ପାନେ ଦେବା ମୁଡ଼ରେ ଭାରତ…

ତୁର୍କୀ ଓ ମାଲେସିଆକୁ ମହଙ୍ଗା ପଡ଼ିଲା ପାକିସ୍ତାନର ସମର୍ଥନ । ଅସ୍ତ୍ରବିରତି ଉଲଂଘନର ଜବାବ ଯେମିତି ପାକିସ୍ତାନକୁ ମିଳିଛି। ଠିକ୍ ସେମିତି ତୁର୍କୀ ଓ ମାଲେସିଆକୁ ସବକ୍ ଶିଖାଇଛନ୍ତି ସରକାର । ପ୍ରଥମେ ୩୭୦ ଉଚ୍ଛେଦକୁ ନେଇ ପାକିସ୍ତାନକୁ ସମର୍ଥନ ଓ ପରେ FATF ବୈଠକରେ ପାକିସ୍ତାନ ସପକ୍ଷରେ ଉଭୟ ତୁର୍କୀ ଓ ମାଲେସିଆ ବାହାରିବା ପରେ କଠୋର ହୋଇଛନ୍ତି ସରକାର ।ପ୍ରଥମେ ବାଣିଜ୍ୟିକ ସମ୍ପର୍କ କାଟିବାକୁ ସରକାର ନିଷ୍ପତି ନେଇଥିବା ବେଳେ ଏବେ ଦ୍ବିପାକ୍ଷିକ ସମ୍ପର୍କ ଛିନ୍ନ କରିବାକୁ ନିଷ୍ପତି ନେଇଛନ୍ତି ସରକାର ।

କଶ୍ମୀର ପ୍ରସଙ୍ଗରେ ଜାତିସଂଘର ସାଧାରଣ ଅଧିବେଶନରେ ଭାରତକୁ ସମାଲୋଚନା କରିବା ପରେ ତୁର୍କୀ ଏବଂ ମାଲେସିଆରୁ ଭାରତ ଆମଦାନି ହ୍ରାସ କରିଛି । ମାଲେସିଆରୁ ଭାରତ ପାମ୍ ଅଏଲ ଆମଦାନିକୁ ସୀମିତ ରଖିବା ସହିତ ଅନ୍ୟାନ୍ୟ ସାମଗ୍ରୀର ଆମାଦନି ଉପରେ ମଧ୍ୟ କଟକଣା ଲାଗୁ କରିବା ଉପରେ ବିଚାର କରୁଛି। ଇଣ୍ଡୋନେସିଆ, ଆର୍ଜେଣ୍ଟିନା ଏବଂ ୟୁକ୍ରେନରୁ ଭାରତ ପାମ୍ ଅଏଲ୍ ଆମଦାନି କରି ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦଙ୍କୁ କଡା ଜବାବ ଦେବାକୁ ଚିନ୍ତା କରୁଛନ୍ତି । ପୂର୍ବରୁ ଜାକିର ନାଏକ ମାମଲାକୁ ନେଇ ଦୋମୁହାଁ ନୀତି ଆପଣାଇଥିବା ମାଲେସିଆକୁ ଏବେ ମହଙ୍ଗା ପଡ଼ିବାକୁ ଯାଉଛି ଭାରତ ସହିତ ଶତ୍ରୁତା ।

ଜାତିସଂଘର ସାଧାରଣ ଅଧିବେଶନ କଥା ନଲିଭୁଣୁ ପୁଣି ଏକ ଧୃଷ୍ଟତା କରିଛନ୍ତି ଉଭୟ ତୁର୍କୀ ଓ ମାଲେସିଆ। ଏଫଏଟିଏଫ ବୈଠକରେ ମଧ୍ୟ ଏହି ଦୁଇଦେଶ ପାକିସ୍ତାନର ସମର୍ଥନ କରି ଗୋଡ଼ରେ କୁରାଡ଼ି ମାରିଛନ୍ତି । ଯେଉଁଥି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଚଳିତ ବର୍ଷ ଡିସେମ୍ବରରେ ହେବାକୁ ଥିବା ତୁର୍କୀ ଗସ୍ତକୁ ବାତିଲ କରିଦେଇଛନ୍ତି । ସିରିଆ ଉପରେ ତୁର୍କୀର ଆକ୍ରମଣକୁ ଭାରତ ଖୋଲାଖୋଲି ବିରୋଧ କରିଛି । ସେହିପରି ତୁର୍କୀର କମ୍ପାନି ଆନାଡୋଲୁ ସିପୟାର୍ଡକୁ ଭାରତୀୟ ନୌସେନା ପାଇଁ ଦିଆଯିବାକୁ ଥିବା କଣ୍ଟ୍ରାକ୍ଟରୁ ବାଦ ଦିଆଯାଇଛି ।

ଆମେରିକା-ଚୀନ ଟ୍ରେଡ ୱାରକୁ ଦୃଷ୍ଟିରେ ରଖି ଯେତେବେଳେ ଶତ୍ରୁତା ଭୁଲି ମିତ୍ରତା କରିବାକୁ ଚୀନ ଚିନ୍ତା କରୁଛି ସେତେ ବେଳେ ତୁର୍କୀ ଓ ମାଲେସିଆର ଏହା ଧୃଷ୍ଟତା ନୁହେଁତ ଆଉ କ’ଣ ? ସିରିଆ ଉପରେ ତୁର୍କୀର ଆକ୍ରମଣ ନେଇ ଆମେରିକାର ଖପ୍ପା ଥିବା ବେଳେ ଭାରତ ସହ ଶତ୍ରୁତା ସେମାନଙ୍କୁ ମହଙ୍ଗା ପଡ଼ିବ ନିଶ୍ଚିତ…
