କରୋନାଠାରୁ ୧୦ଗୁଣ ଅଧିକ ଭୟଙ୍କର ଭାଇରସ୍, ମାଲେସିଆରେ ସୃଷ୍ଟି କରିଛି ଆତଙ୍କ

Published By : Prameya-News7 Bureau | August 17, 2020 IST

କ୍ବାଲାଲମ୍ପପୁର ୧୭।୮: ମାଲେସିଆରେ କରୋନା ଭାଇରସ୍ ର ଏକ ନୂଆ ପ୍ରକାର ମିଳିଛି ଯାହା କରୋନାଠାରୁ ୧୦ ଗୁଣ ଅଧିକ ସଂକ୍ରାମକ । ଏହି ପ୍ରକାର ଭାଇରସ୍ ବିଶ୍ବର ଅନ୍ୟ କିଛି ଅଞ୍ଚଳରେ ମଧ୍ୟ ଦେଖାଯାଇଥିଲା ଯାହାର ନାଁ ଡି୬୧୪ଜି ଦିଆଯାଇଥିଲା ।

ବାସ୍ତବରେ ଏହି କରୋନା ଭାଇରସ୍ ୪୫ କେସ୍ ର ଏକ କ୍ଲଷ୍ଟରରୁ ୩ ଜଣଙ୍କଠାରେ ଦେଖିବାକୁ ମିଳିଛି । ଏହା ଜଣେ ଭାରତୀୟ ରେସ୍ତୋରାଁ ମାଲିକଙ୍କଠାରେ ପ୍ରଥମେ ଦେଖାଯାଇଥିଲା । ତାଙ୍କୁ ହୋମ୍ କ୍ବାରେଣ୍ଟାଇନ୍ ନିୟମ ଉଲଂଘନ କରିବା ଅଭିଯୋଗରେ ମାଲେସିଆ ସରକାର ୫ ମାସ ଜେଲ୍ ଦଣ୍ଡ ସହ ଜରିମନା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ମାଲେସିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଡି୬୧୪ଜି ପ୍ରକାରର ଏକ ଭୟଙ୍କର ଭାଇରସ୍ ସଂପର୍କରେ ତଥ୍ୟ ହାସଲ କରିଛି । ଏକ ଫେସବୁକ୍ ପୋଷ୍ଟ ମାଧ୍ୟମରେ ସ୍ବାସ୍ଥ୍ୟ ମହାନିର୍ଦ୍ଦେଶକ ଡାକ୍ତର ନୁର ହିଶାମ ଅବଦୁଲ୍ଲା ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଡି୬୧୪ଜିର ମ୍ୟୁଟେସନ ପ୍ରଥମ ଥର ଜୁଲାଇ ୨୦୨୦ରେ ମିଳିଥିଲା । ଏହି ଭାଇରସ୍ ଏତେ ଭୟଙ୍କର ଥିଲା ଯେ, କରୋନା ଭାଇରସକୁ ନେଇ ସାରା ବିଶ୍ବରେ ଚାଲିଥିବା ରିସର୍ଚ୍ଚ ଅକାମୀ ସାବ୍ୟସ୍ତ ହୋଇପାରେ । କେତେକ ଷ୍ଟଡିରୁ ଏହା ଜଣାପଡିଛି ଯେ, ଏହି ଭାଇରସ୍ ଉପରେ କୌଣସି ବି ଟୀକାର ପ୍ରଭାବ ପଡୁନାହିଁ ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏହା କୁହାଯାଇଛି ଯେ, ଏଭଳି କୌଣସି ପ୍ରମାଣ ମିଳିନାହିଁ କି କରୋନା ଭାଇରସ୍ ର ଏହି ଷ୍ଟ୍ରେନ୍ ଏହାଠାରୁ ଅଧିକ ଗମ୍ଭୀର ରୋଗ ବ୍ୟାପିବାରେ ସହାୟକ ସାବ୍ୟସ୍ତ ହୋଇପାରିବ । ବାସ୍ତବରେ ୟୁରୋପ ଏବଂ ଆମେରିକାରେ ମଧ୍ୟ କରୋନା ଭାଇରସର କେତେକ ଭିନ୍ନ ଷ୍ଟ୍ରେନ୍ ମିଳିଛି ।

ମାଲେସିଆର ସ୍ବାସ୍ଥ୍ୟ ବିଭାଗ କହିଛି ଯେ, ଏହାକୁ ଭାଇରସ୍ ର ସୁପର ସ୍ପ୍ରେଡର କୁହାଯାଇପାରେ । ଏହା ବ୍ୟକ୍ତିଙ୍କଠାରେ ୧୦ ଗୁଣ ଅଧିକ ବେଗରେ କରୋନା ଭାଇରସ୍ ସଂକ୍ରମିତ କରିବାର କ୍ଷମତା ରଖିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.