ଟ୍ରମ୍ପ କହିଲେ "କରୋନା ଭାଇରସକୁ ମାତ ଦେବାରେ ଭଗବାନଙ୍କ ବରଦାନ ପ୍ରମାଣିତ ହେବ ଏହି ଔଷଧ"

Published By : Prameya-News7 Bureau | March 24, 2020 IST

ୱାସିଂଟନ ୨୪/୦୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କରୋନାକୁ ମାତ ଦେବାରେ ଏଣ୍ଟିମ୍ୟାଲେରିଆ ଔଷଧ ଭଗବାନଙ୍କ ଆଶୀର୍ବାଦ ଭାବେ କାମ କରିବ | ଏଣ୍ଟିମ୍ୟାଲେରିଆ ଔଷଧ ଜରିଆରେ କରୋନା ଭାଇରସ ଚିକିତ୍ସା ପାଇଁ ଯାଞ୍ଚ ଚାଲିଛି | ବୈଜ୍ଞାନିକଙ୍କ କହିବାନୁଯାୟୀ, ଯାଞ୍ଚ ବିନା ଏହି ଔଷଧ ଉପରେ ଭରସା କରିବ ବିପଦଜନକ ହୋଇପାରେ | କିନ୍ତୁ ଟ୍ରମ୍ପ କହୁଛନ୍ତି ଯେ ଏଣ୍ଟିମ୍ୟାଲେରିଆ ଔଷଧ କରୋନା ଚିକିତ୍ସା ପାଇଁ ଭଗବାନଙ୍କ ବରଦାନ ସଦୃଶ୍ୟ କାମ କରିବ |

ଗତ ସପ୍ତାହରେ ଟ୍ରମ୍ପ କହିଥିଲେ, ତାଙ୍କ ପ୍ରଶାସନ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଓ କ୍ଲୋରୋକ୍ୱିନ କରୋନାର ଚିକିତ୍ସା ପାଇଁ ଯାଞ୍ଚ କରୁଛି | ଫ୍ରାନ୍ସ ଓ ଚୀନରେ କରାଯାଇଥିବା ପ୍ରାରମ୍ଭିକ ଷ୍ଟଡିରେ କୁହାଯାଇଥିଲା ଯେ, କରୋନା ଭାଇରସ ଚିକିତ୍ସା ପାଇଁ ଏହି ଔଷଧ କାମ କରୁଛି | କିନ୍ତୁ ଟ୍ରମ୍ପଙ୍କ ଡାକ୍ତର ଏହି କଥାରେ ସହମତ ନଥିଲେ | ଆମେରିକାର ପ୍ରସିଦ୍ଧ ସଂକ୍ରମଣ ରୋଗ ବିଶେଷଜ୍ଞ ଡାକ୍ତର ଏଂଥନୀ ଫୋୖସି କହିଛନ୍ତି ଯେ, ଯାଞ୍ଚ ନ କରି ଅଧିକ ମାତ୍ରାରେ କ୍ଲୋରୋକ୍ୱିନ ବ୍ୟବହାର କରିବାରେ ସାବଧାନତା ଅବଲମ୍ବନ କରିବ ଉଚିତ | କାରଣ ଏହା ଉପରେ ଏପର୍ଯ୍ୟନ୍ତ ଅଧିକ ଗବେଷଣା କରାଯାଇନାହିଁ |

ସୋମବାର ହ୍ୱାଇଟ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ଡାକ୍ତର ଏଂଥନୀ ଫୋୖସିଙ୍କ କଥାରେ ଗୁରୁତ୍ୱ ଦେଇନଥିଲେ | ସେ କହିଥିଲେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଓ Z-Pak ମିଳିତ ଭାବେ କରୋନା ସଂକ୍ରମଣ ଚିକିତ୍ସା ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ | ଏହାର ବ୍ୟବହାର ପରେ ଆଶ୍ଚର୍ଯ୍ୟଜନକ ପରିଣାମ ସାମ୍ନାକୁ ଆସିପାରେ ବୋଲି ଟ୍ରମ୍ପ କହିଛନ୍ତି | ଯଦି ଏହା ପ୍ରମାଣିତ ହୁଏ ତାହେଲେ ଏକ ବଡ ପରିବର୍ତ୍ତନ ଆଣିବାରେ ସକ୍ଷମ ହେବ | ଏହି ଔଷଧରେ ସୁସ୍ଥ ହୋଇଥିବା କିଛି ରୋଗୀଙ୍କ ଉଦାହରଣ ମଧ୍ୟ ଦେଇଥିଲେ ଟ୍ରମ୍ପ |

ଟ୍ରମ୍ପଙ୍କ ଏହି ଯୁକ୍ତି ପରେ ଆମେରିକାର ବୈଜ୍ଞାନିକମାନେ ଟ୍ରମ୍ପଙ୍କ ସମ୍ପର୍କରେ ଆଲୋଚନା କରୁଛନ୍ତି | ଏହାହିଁ ଔଷଧ ଯୋଗୁଁ ରୋଗୀଙ୍କ ଅସୁବିଧା ଆହୁରି ବଢିବାର ସମ୍ଭାବନା ରହିଛି ଓ ବାସ୍ତବିକ ଚିକିତ୍ସା ପାଇଁ ଅସୁବିଧା ହେବ ବୋଲି ବୈଜ୍ଞାନିକ କହିଛନ୍ତି |

ଆମେରିକା ଉପରାଷ୍ଟ୍ରପତି ମାଇକ ପେନ୍ସ କହିଛନ୍ତି, ଚଳିତ ସପ୍ତାହରୁ କରୋନା ସଂକ୍ରମଣ ଯାଞ୍ଚ କିଟ ଉପଲବ୍ଧ କରାଯିବ ଯାହା ଦ୍ୱାରା ଜଣେ ନିଜେ ଯାଞ୍ଚ କରିପାରିବ | ଏହାଦ୍ୱାରା ଆମେରିକାର ସ୍ୱାସ୍ଥ୍ୟ ସେବା ଉପରେ କମ ଚାପ ପଡିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.