ମାଳ ପିନ୍ଧାଇଦେଲେ ବାହାଘର ହୁଏନି, ବିଧିବିଧାନ ସହ ହୋମ ଅଗ୍ନିକୁ ସାକ୍ଷୀ ରଖି ୭ ଘେରା ଜରୁରୀ : ପ୍ରେମ ବିବାହର ଫାର୍ସକୁ ଛାଟ ମାରିଲେ ହାଇକୋର୍ଟ

Published By : Prameya-News7 Bureau | September 16, 2021 IST

ଭୋପାଳ, ୧୬।୦୯ :    ପ୍ରେମ ବିବାହକୁ ନେଇ ମଧ୍ୟ ପ୍ରଦେଶ ହାଇକୋର୍ଟ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି । କେବଳ ଫୁଲ ମାଳ ପିନ୍ଧାଇଦେଲେ ବିବାହ ହୋଇଯିବ ନାହିଁ ବୋଲି କୋର୍ଟ କହିଛନ୍ତି.।

ସୂଚନାନୁସାରେ, ମୁରେନାରେ ଏକ ପ୍ରେମୀଯୁଗଳ ଆର୍ଯ୍ୟ ସମାଜରେ ବିବାହ କରିଥିଲେ । ଗତ ଅଗଷ୍ଟ ୧୬ରେ ଉଭୟ ପ୍ରେମ ବିବାହ କରିଥିଲେ । ଆର୍ଯ୍ୟ ସମାଜ ସେମାନଙ୍କୁ ବିବାହ ପ୍ରମାଣ ପତ୍ର ପ୍ରଦାନ କରିଥିଲା ।  କିନ୍ତୁ ପରିବାର ଲୋକେ ଏହାକୁ ଗ୍ରହଣ କରିନଥିଲେ । ଏହାପରେ ଦମ୍ପତ୍ତି ହାଇକୋର୍ଟଙ୍କୁ ସୁରକ୍ଷା ମାଗିଥିଲେ ।

ପ୍ରେମୀ ଯୁଗଳ ନିଜ ଆବେଦନରେ ଦର୍ଶାଇଥିଲେ ଯେ, ସେମାନଙ୍କୁ ଧମକ ମିଳୁଛି । ପ୍ରେମ ବିବାହ କରିଥିବାରୁ ପରିବାର ଲୋକେ ମିଛ ଅଭିଯୋଗ କରୁଛନ୍ତି । ଯାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଅନୁଚିତ । ବିବାହ ସମ୍ପର୍କକୁ ମଜବୁତ ପାଇଁ ସେମାନଙ୍କ ସୁରକ୍ଷା ଜରୁରୀ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା ।

ମାମଲାର ଶୁଣାଣି କରି ଗ୍ୱାଲିଅର ଖଣ୍ଡପୀଠ ପ୍ରେମୀଯୁଗଳଙ୍କ  ଆବେଦନକୁ ଖାରଜ କରି  କହିଛନ୍ତି ଯେ, ବିବାହ ପାଇଁ ୭ ଫେରା ନେବାକୁ ହୁଏ ।  କୋର୍ଟ ଆହୁରି କହିଥିଲେ ଯେ, ସେମାନେ ବିବାହ କରିଥିବା ନେଇ କୌଣସି ବଳିଷ୍ଠ ପ୍ରମାଣ ନାହିଁ । ଏପରିକି ସେମାନଙ୍କୁ ଧମକ ମିଳୁଥିବା ବା ସେମାନେ ପୋଲିସ ପାଖକୁ ଯାଇଥିବା ନେଇ ପ୍ରମାଣ ନାହିଁ । ତେଣୁ ଆବେଦନ ଶୁଣାଣି ଅଯୋଗ୍ୟ ବୋଲି ଖଣ୍ଡପୀଠ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.