Thursday, July 18, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦିଲ୍ଲୀରେ ମେକ୍ ଇନ୍ ଓଡିଶା ରୋଡ୍ ସୋ’ ; ନିବେଶକଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ

ଭୁବନେଶ୍ବର ୧୨|୯: ଓଡିଶାରେ ଆସନ୍ତା ନଭେମ୍ବର ମାସରେ ଓଡିଶାରେ ହେବାକୁଥିବା ‘ମେକ୍ ଇନ୍ ଓଡିଶା’ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ଆଜି ଶିଳ୍ପପତିମାନଙ୍କୁ ଆହ୍ବାନ ଦେଇଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ ରୋଡ୍ ସୋ’ ରେ ନବୀନ ଯୋଗ ଦେଇ ଏହି ଆହ୍ବାନ ଦେଇଛନ୍ତି। ନବୀନ କହିଛନ୍ତି ଯେ, ମେକ୍ ଇନ୍ ଓଡିଶାରେ ଯୋଗ ଦେଲେ ଶିଳ୍ପ ପାଇଁ ଓଡିଶାରେ କେତେ ସୁଯୋଗ ଓ ସମ୍ଭାବନା ରହିଛି ତାହା ଜାଣିପାରିବେ ।

ରାଜ୍ୟରେ ଶିଲ୍ପ କ୍ଷେତ୍ରରେ ପୁଞ୍ଜି ନିବେଶକୁ ଅଧିକ ଗୁରୁତ୍ବ ଦିଆଯାଉଛି । ରାଜ୍ୟରେ ଖଣିଜ ଦ୍ରବ୍ୟର ସୁବିନିଯୋଗ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି । ଅଧିକରୁ ଅଧିକ ପୁଞ୍ଜି ନିବେଶ ପାଇଁ ମେକ୍ ଇନ୍ ଓଡିଶା କନକ୍ଲେଭ କରାଯାଉଛି ବୋଲି ନବୀନ କହିଛନ୍ତି । ଭିତ୍ତିଭୂମୀ ବିକାଶ କ୍ଷେତ୍ରରେ ଓଡିଶା ସରକାର ଅଗ୍ରାଧିକାର ଦେଉଛନ୍ତି । ରାଜ୍ୟରେ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଅଗ୍ରଗତି ହୋଇଛି । ସରକାର ଟିମ୍ ଓ୍ବାର୍କ, ଟେକ୍ନୋଲଜି ଓ ଟ୍ରାନ୍ସପରେନ୍ସି ଉପରେ ଗୁରୁତ୍ବ ଦେଉଛନ୍ତି । ୧୮ବର୍ଷ ଧରି ସରକାର ଭିତ୍ତିଭୂମୀ ତିଆରି କରିଛନ୍ତି । ସଡକ ସଂଯୋଗୀକରଣରେ ବି ରାଜ୍ୟ ଆଗରେ ରହିଛି । ସେହିଭଳି ରାଜ୍ୟରେ ଆଲୁମିନିୟମ୍ ଶିଳ୍ପ ବୃଦ୍ଧି ପାଇଛି ।

ଏଥିସହ ଆଜି ଇନଭେଷ୍ଟ ଓଡିଶା ଓ୍ବେବସାଇଟକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ରୋଡ୍ ସୋ’ରେ ୩ଶହରୁ ଉର୍ଦ୍ଧ୍ବ କମ୍ପାନୀର ପ୍ରତିନିଧି ଯୋଗଦେଇଛନ୍ତି । ବିଶେଷକରି ଫୁଡ୍ ପ୍ରୋସେସିଙ୍ଗ, ପ୍ଲାଷ୍ଟିକ, ବୟନଶିଳ୍ପ, ମାନୁଫ୍ୟାକ୍ଚରିଂ, ପେଟ୍ରୋକେମିକାଲ ଆଦି ଶିଳ୍ପରେ ପୁଞ୍ଜି ନିବେଶକଙ୍କୁ ଆକୃଷ୍ଟ କରିବାକୁ ଏଭଳି ଆୟୋଜନ ହେଉଛି । ରାଜ୍ୟରେ ଏକ ପ୍ରଗତିଶୀଳ ଶାସନ ବ୍ୟବସ୍ଥା ଚାଲିଥିବାରୁ ପୂର୍ବ ଭାରତରେ ଓଡ଼ିଶା ଏବେ ଏକ ନିର୍ମାଣ କେନ୍ଦ୍ର ଭାବେ ଉଭା ହୋଇଛି। ଜାତୀୟ ହାରଠାରୁ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ଅଧିକ ରହିଛି। ରାଜ୍ୟରେ ବ୍ୟବସାୟ ଅନୁକୂଳ ନୀତି ସହିତ ବିଶ୍ବଶ୍ରେଣୀର ଭିତ୍ତିଭୂମି ଉପଲବ୍ଧ ହେଉଥିବାରୁ ବିଶ୍ବର ବିଭିନ୍ନ ଭାଗର ନିବେଶକମାନେ ଓଡ଼ିଶା ସମ୍ପର୍କରେ ଅନୁକୂଳ ମତାମତ ଦେଉଛନ୍ତି। ନିବେଶ ପ୍ରସ୍ତାବକୁ ମଞ୍ଜୁରି ଦେବାଲାଗି ରାଜ୍ୟରେ ସିଙ୍ଗଲ ଓ୍ଵିଣ୍ଡୋ ପୋର୍ଟାଲ କରାଯାଇଛି। ଏଥିସହିତ ତ୍ତତ୍ସର୍ଗୀକୃତ ଏବଂ କ୍ଷେତ୍ରଭିତ୍ତିକ କ୍ଲଷ୍ଟର ମଧ୍ୟ ସ୍ଥାପନ କରାଯାଇଛି।

ଏହା ପୂର୍ବରୁ ମୁମ୍ବାଇରେ ମଧ୍ୟ ରୋଡ୍ ସୋ କରିଥିଲେ ନବୀନ । ଏଇ ମାସ ଶେଷ ସପ୍ତାହରେ ଚେନ୍ନାଇରେ ବି ରୋଡ୍ ସୋ’ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ‘ମେକ୍ ଇନ୍ ଓଡିଶା’ କନକ୍ଲେଭ୍ କୁ ସକସେସ୍ କରିବା ଏବଂ ଓଡିଶାକୁ ଅଧିକ ପୁଞ୍ଜି ଆକର୍ଷଣ କରିବାକୁ ଚୀନ, ଜାପାନ, ଦକ୍ଷିଣ କୋରିଆ ଆଦି ଦେଶରେ ବି ରୋଡ୍ ସୋ’ ଆୟୋଜନ କରିସାରିଛି ଶିଳ୍ପ ବିଭାଗ । ଆସନ୍ତା ନଭେମ୍ବର ୧୧ରୁ ୧୫ ଯାଏଁ ଭୁବନେଶ୍ବରଠାରେ ଅନୁଷ୍ଠିତ ହେବ ଦ୍ବିତୀୟ ପର୍ଯ୍ୟାୟ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ।

366 Views

   ସମ୍ବନ୍ଧିତ ଖବର