କେନ୍ଦ୍ର ଗୃହମନ୍ତ୍ରାଳୟ ମିଡିଆ ୱିଙ୍ଗରେ ବ୍ୟାପକ ଅଦଳବଦଳ, ନୀତିନ ବାକଣକର ହେଲେ ନୂଆ ମୁଖପାତ୍ର
5/06/2020 at 7:23 PM

ନୂଆଦିଲ୍ଲୀ ୫।୬: କେନ୍ଦ୍ର ଗୃହମନ୍ତ୍ରାଳୟ ମିଡିଆ ୱିଙ୍ଗରେ ଶୁକ୍ରବାର ବଡଧରଣର ଅଦଳବଦଳ ହୋଇଛି। ଫଳରେ ଗୃହମନ୍ତ୍ରାଳୟଙ୍କ ମିଡିଆ ସମ୍ପର୍କିତ କାର୍ଯ୍ୟ କରୁଥିବା ପୁରା ଟିମ୍ ବଦଳି ଯାଇଛି। ଭାରତୀୟ ସୂଚନା ସେବା (ଆଇଆଇଏସ୍) ଅଧିକାରୀ ନୀତିନ ବାକଣକରଙ୍କ ନେତୃତ୍ୱରେ ନୂଆ ଟିମ୍କୁ ଏହି ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏଠାରେ ଅବସ୍ଥାପିତ ବସୁଧା ଗୁପ୍ତା ପିଆଇବିଙ୍କ ଫ୍ୟାକ୍ଟ ଚେକ୍ ୟୁନିଟ୍ରେ ମହାନିର୍ଦ୍ଦେଶକ ଅବସ୍ଥାପିତ ହୋଇଛନ୍ତି।

ବାକଣକର ଏହା ପୂର୍ବରୁ ଜଣେ ମହାନିର୍ଦ୍ଦେଶକ ସ୍ତରର ଅଧିକାରୀ ହୋଇଥିବା ବେଳେ ପିଆଇବିର ବ୍ୟୁରୋ ଅଫ ଆଉଟ୍ ରିଚ୍ ଏଣ୍ଡ କମ୍ୟୁନିକେସନରେ ଅବସ୍ଥାପିତ ଥିଲେ। ତେବେ ଗୃହମନ୍ତ୍ରାଳୟଙ୍କ ମିଡିଆ ୱିଙ୍ଗରେ ଏଭଳି ପରିବର୍ତ୍ତନର କାରଣ ସମ୍ପର୍କରେ ଜଣାପଡି ନାହିଁ। ବାକଣକର ୧୯୮୯ ବ୍ୟାଚ୍ର ଆଇଆଇଏସ୍ ଅଧିକାରୀ ଓ ପୂର୍ବରୁ ସିବିଆଇ ମୁଖପାତ୍ର ଭାବେ ମଧ୍ୟ ଅବସ୍ଥାପିତ ଥିଲେ। ଏତଦବ୍ୟତୀତ ଡା.ଏ.ପି.ଜେ. ଅବ୍ଦୁଲ କାଲାମ ଓ ପ୍ରତିଭା ପାଟିଲ ରାଷ୍ଟ୍ରପତି ଥିବା ବେଳେ ବାକଣକର ପ୍ରେସ ସଚିବ ଭାବେ ମଧ୍ୟ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି।

ପୂର୍ବରୁ ସେ ପ୍ରତିରକ୍ଷା ମନ୍ତ୍ରାଳୟରେ ମଧ୍ୟ ସେବା ଦେଇସାରିଛନ୍ତି। ପିଆଇବିଙ୍କ ଅନ୍ୟ ଏକ ଆଦେଶ ଅନୁସାରେ ଆଇଆଇଏସ୍ ରାଜ କୁମାରଙ୍କୁ ଗୃହମନ୍ତ୍ରାଳୟ ମିଡିଆ ୱିଙ୍ଗରେ ଅତିରିକ୍ତ ମହାନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି। ସେହିପରି ପ୍ରବୀଣ କବିଙ୍କୁ ମଧ୍ୟ ଗୃହମନ୍ତ୍ରାଳୟ ମିଡିଆ ୱିଙ୍ଗରେ ଉପନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି। ସେ ପୂର୍ବରୁ ମଧ୍ୟ ଏହି ବିଭାଗରେ କାର୍ଯ୍ୟକରିସାରିଛନ୍ତି।