ନଦୀରେ କାଠ ଗୋଟାଇବା ବେଳେ ଓଲଟିଲା ଡଙ୍ଗା, ଭାସିଗଲେ ୧୦, ଉଦ୍ଧାରକାର୍ଯ୍ୟ ଜାରି

Published By : Prameya-News7 Bureau | October 20, 2021 IST

ଲକ୍ଷ୍ନୌ ୨୦/୧୦: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲ୍ଲାରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଘାଘରା ନଦୀରେ  ଏକ ଡଙ୍ଗା ଓଲଟି ପଡ଼ିବାରୁ ୧୦ ଜଣ ଭାସି ଯାଇଛନ୍ତି। ସେମାନେ ଏକ ଟାପୁରେ ଫସି ରହିଥିବା ସୂଚନା ମିଳିଛି। ସେମାନଙ୍କୁ ବଞ୍ଚାଇବାକୁ ଉଦ୍ଧାରକାରୀ ଦଳ ପଠାଯାଇଥିଲା । କିନ୍ତୁ ସେମାନେ ଅସଫଳ ହୋଇଛନ୍ତି । ଏବେ ଉଦ୍ଧାରକାର୍ଯ୍ୟ ପାଇଁ ହେଲିକପ୍ଟର ଆସିଥିବା ବେଳେ ଏନଡିଆରଏଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି।

ମିଳିଥିବା ସୂଚନା ଅନୁସାରେ ଘଟଣାଟି ଧୌରହରା ତହସିଲ୍‌ ଅନ୍ତର୍ଗତ ମିର୍ଜାପୁର ଗାଁ ନିକଟରେ ଘଟିଛି। ବୁଧବାର ସକାଳେ ଘାଘରା ନଦୀରେ ଏକ ଡଙ୍ଗା ଓଲଟିପଡ଼ିଥିଲା। ଡଙ୍ଗାରେ ଥିବା ୧୦ ଜଣ ନଦୀର ସ୍ରୋତରେ ଭାସିଯାଇଥିଲେ । ଏବେ ସେମାନେ ଏକ ଟାପୁରେ ଲାଗିଥିବା ବେଳେ ଘଟଣାସ୍ଥଳରେ ଜିଲ୍ଲାପାଳ ଏବଂ ଏସପି ପହଞ୍ଚିଛନ୍ତି।

ଆଜି ସକାଳେ ବନ୍ୟା ଜଳରେ ଭାସିଆସିଥିବା କାଠ ଗୋଟାଇବାକୁ ମିର୍ଜାପୁରର ୧୦ ଜଣ ଡଙ୍ଗା ଯୋଗେ ଘାଘରା​‌ ନଦୀକୁ ଯାଇଥିଲେ।  କିନ୍ତୁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟିପଡ଼ିବାରୁ ଏତେ ବଡ଼ ଦୁର୍ଘଟଣା ଘଟିଛି। ଏବେ ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଥିବା ବେଳେ ଉଦ୍ଧାରକାର୍ଯ୍ୟରେ ହେଲିକପ୍ଟର ଲାଗିଥିବା ମଧ୍ୟ ଜଣାପଡ଼ିଛି।

ଅନ୍ୟପଟେ ପୂର୍ବରୁ ଗାଁରେ ଉପସ୍ଥିତ ଏଡିଏମ ରେଣୁଙ୍କ ମତରେ ଏବେ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ତଥାପି ଆମେ ଆଲର୍ଟ ରହିଛୁ। ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.