ମୋଦିଙ୍କ ଜୟପୁର ସଭାର ମୁଖ୍ୟ ରାଜନୈତିକ ଆକର୍ଷଣ ଥିଲେ ବିଜୟ ମହାପାତ୍ର ଏବଂ ବୈଜୟନ୍ତ ପଣ୍ଡା
29/03/2019 at 7:25 PM

ଜୟପୁର ୨୯|୩: ଏଥର ନିର୍ବାଚନ ପ୍ରଚାର ପାଇଁ ମୋଦିଙ୍କ ଓଡିଶା ଗସ୍ତ ବହୁଦୃଷ୍ଟିରୁ ଘଟଣା ବହୁଳ । ନୂଆକରି ଦଳରେ ସାମିଲ ହୋଇଥିବା ଜୟ ପଣ୍ଡା ଏବଂ ପୁଣିଥରେ ମନବୁଝାଇ ଦଳକୁ ଫେରିଥିବା ବିଜୟ ମହାପାତ୍ରଙ୍କ ସହ ଗୋଟିଏ ମଞ୍ଚରେ ଧର୍ମେନ୍ଦ୍ର ପ୍ରଧାନ ଓ ମୋଦିଙ୍କ ସହ ଡାଏସ ସେୟାର କରିବା ଦୃଶ୍ୟ ବହୁତ କିଛି କଥା କହିଛି । ସେମାନଙ୍କ ଭିତରେ ଯେଉଁ କେମିଷ୍ଟ୍ରି ଦେଖିବାକୁ ମିଳିଛି ସେଥିରୁ ବିଜେପି ନେତାଏ କର୍ମିଙ୍କ ଜୋସ୍ ବଢାଇବାକୁ ଭରପୁର ଚେଷ୍ଟା କରିଛନ୍ତି ଏହା ନିଃସନ୍ଦେହ ।….
ନିର୍ବାଚନକୁ ଜିତିବାକୁ ଏକ ହୋଇଛି ବିଜେପି। ଜୟପୁର ସମାବେଶରେ ସମସ୍ତଙ୍କ ନଜରଥିଲା ଦଳରେ ନୂଆକରି ମିଶିଥିବା ବିଜୟ ମହାପାତ୍ର ଓ ବୈଜୟନ୍ତ ପଣ୍ଡାଙ୍କ ଉପରେ। ସେଦିନର କଥା ଖୁବ ଚର୍ଚ୍ଚାର ଥିଲା ଏପ୍ରିଲ ୨୦୧୭ ଯେତେବେଳେ ମୋଦି ଓଡ଼ିଶା ଗସ୍ତରେ ଆସିଥିଲେ ବିମାନବନ୍ଦରରେ ସ୍ବାଗତ କରିବା ପାଇଁ ଠିଆ ହୋଇଥିଲେ ବିଜେପି ନେତାଏ। କିନ୍ତୁ ବିଜୟ ମହାପାତ୍ରଙ୍କ ହାତରୁ ଫୁଲତୋଡ଼ା ଗ୍ରହଣ କରିନଥିଲେ ମୋଦି। ଯାହାକୁ ନେଇ ରାଜନୈତିକ ମହଲରେ ଖୁବ ଚର୍ଚ୍ଚା ହୋଇଥିଲା ।

କିନ୍ତୁ ଆଜି ଜୟପୁରରେ ଦେଖିବାକୁ ମିଳିଥିଲା ବିପରୀତ ଦୃଶ୍ୟ। ମୋଦି ଯେଭଳି ଜୟ-ବିଜୟଙ୍କ ସହ କରମର୍ଦନ କରୁଥିଲେ ତା ଉପରେ ହିଁ ନଜର ରଖିଥିଲେ ବିଜେପି କର୍ମୀ । ଲାଗୁଥିଲା ବିଜୟ ଓ ଧର୍ମେନ୍ଦ୍ରଙ୍କ ଭିତରେ ଯେଉଁ ଭୁଲ ବୁଝାମଣା ହୋଇଥିଲା ତାହା ଯେମିତି ଆଉ ନାହିଁ । ସଭା ମଞ୍ଚରେ କୋରାପୁଟ ଓ ନବରଙ୍ଗପୁର ଲୋକସଭା ପ୍ରାର୍ଥିଙ୍କ ସମେତ ୧୪ ବିଧାନସଭା ପ୍ରାର୍ଥିଙ୍କ ଯୋଗଦାନ ଚିତ୍ର କହୁଥିଲା ଯେ ବିଜେପି ଦକ୍ଷିଣରୁ ହାଓା ବୁହାଇବାକୁ ଚାହୁଁଛି । ମୋଦିଙ୍କ ଦୁଇ ପାର୍ଶରେ ବସିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ପଣ୍ଡା ।

ପରିସ୍ଥିତି ଅନୁସାରେ କିଭଳି ରାଜନୈତିକ ଗୋଟି ଚାଳନା କରାଯାଏ ସେଥିରେ ତ ପୁରାପୁରି ମାହିର ମୋଦି । ସେ ତାଙ୍କ ଭାଷଣ ଆରମ୍ଭ କଲେ ଜୟ ଜଗନ୍ନାଥରୁ ଆଉ ସାରିଲେ ବି ଜୟ ଜଗନ୍ନାଥରେ । ଏସବୁ ଭିତରେ ଦକ୍ଷିଣ ଓଡିଶାର ଆସ୍ଥା ଓ ବିଶ୍ବାସ ସାବର ଶ୍ରୀକ୍ଷେତ୍ର ଓ ଗୁପ୍ତେଶ୍ବରଙ୍କ କଥା ଉଠାଇବାକୁ ଭୁଲିନଥିଲେ ମୋଦି। ଦକ୍ଷିଣ ଓଡିଶାର ଗର୍ବ ପଦ୍ମଶ୍ରୀ କମଳା ପୁଜାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୋଦି । କିଭଳି ସେ ବର୍ଷବର୍ଷ ଧରି ଧାନ ବିହନ ସଂରକ୍ଷଣ କରିବା କାମରେ ଲାଗିଛନ୍ତି ଏବଂ କେନ୍ଦ୍ର ସରକାର କିଭଳି ତାଙ୍କୁ ପଦ୍ମଶ୍ରୀ ଉପାଧି ଦେଇଛନ୍ତି ସେ କଥା ବି ଉଠାଇଥିଲେ । ସୁଯୋଗକୁ ଆଜି ଓଡିଶାର ବରପୁତ୍ର ଲକ୍ଷ୍ମଣ ନାୟକଙ୍କ ଫାଶି ଦିବସ ଥିବାରୁ ମୋଦି ଓଡିଆ ଜାତିର ଗୌରବ ଗାଥା ଜୋଡିଥିଲେ ତାଙ୍କ ଭାଷଣରେ ।
ଅବିଭକ୍ତ କୋରାପୁଟ ଜିଲ୍ଲାରେ ମୋଦି ମେଗା ସୋ କରିଥିଲେ। ଦଳର ବିଭାଜିତ ନେତା ବି ଏକାଠି ହୋଇଛନ୍ତି କିନ୍ତୁ ଏହା ଭୋଟ ବଢ଼ାଉଛି କି ନାହିଁ ତାହା ଫଳାଫଳ କହିବ।