'ଭବିଷ୍ୟତର ଷ୍ଟାର କ୍ରିକେଟର ହେଉଛନ୍ତି ଶୁଭମନ୍ ଗିଲ୍', ଭାରତୀୟ ଯୁବ ଖେଳାଳିଙ୍କୁ ପ୍ରଶଂସା କଲେ ଅଷ୍ଟ୍ରେଲିଆର ଏହି ମହାନ ଖେଳାଳି

Published By : Prameya-News7 Bureau | January 30, 2021 IST

ନୂଆଦିଲ୍ଲୀ,୩୦/୦୧:  ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ମାଇକେଲ୍ ହସୀ ଭାରତୀୟ ଦଳର ଯୁବ ଓପନର ଶୁଭମନ ଗିଲଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ଗିଲ୍ ଭବିଷ୍ୟତରେ ଜଣେ ବଡ ଷ୍ଟାର୍ ହେବେ ବୋଲି ହସୀ କହିଛନ୍ତି ।

ବ୍ରିସବେନ୍ ଟେଷ୍ଟରେ ଗିଲ୍ ଆକର୍ଷଣୀୟ ଇନିଂସ ଖେଳିଥିଲେ । ଫଳରେ ଭାରତ ଐତିହାସିକ ବିଜୟ ହାସଲ କରିଥିଲା । ଗିଲଙ୍କ ଇନିଂସ ହସୀଙ୍କୁ ଖୁବ୍ ପ୍ରଭାବିତ କରିଛି ।  ବ୍ରିସବେନ ଟେଷ୍ଟର ଦ୍ୱିତୀୟ ପାଳିରେ ଗିଲ୍ ଆକର୍ଷଣୀୟ ୯୧ ରନ୍ କରିଥିଲେ । ସେ ତିନୋଟି ଟେଷ୍ଟ୍ ଖେଳି ୫୧.୮୦ ଆଭରେଜରେ ୨୫୯ ରନ୍ କରିଥିଲେ । ଏଥିରେ ଦୁଇଟି ଅର୍ଧଶତକ ସାମିଲ ଥିଲା ।

ହସୀ କହିଛନ୍ତି ଯେ, ଭାରତର କିଛି ଖେଳାଳି ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ । ଗିଲ୍ ଧୂଆଧାର ବ୍ୟାଟିଂ କରିଥିଲେ । ସେ ଭବିଷ୍ୟତରେ ଜଣେ ବଡ ଖେଳାଳି ହୋଇପାରିବେ । ତାଙ୍କ ବ୍ୟାଟିଂ ସମସ୍ତଙ୍କୁ ପ୍ରଭାବିତ କରିଛି ।

ହସୀ ଆହୁରି କହିଛନ୍ତି ଯେ, ପନ୍ତ ଅବିଶ୍ୱସନୀୟ ପାଳି ଖେଳିଥିଲେ । ଆଡିଲେଡ୍ ଟେଷ୍ଟ ପରେ ଭାରତର ଆତ୍ମବିଶ୍ୱାସ କମି ନଥିଲା । ଦଳ ଲଢେଇକୁ ଜୋରଦାର୍ କରିଥିଲା ।କୋହଲି ଭାରତ ଫେରିବା ପରେ ଦଳ ଆହୁରି ସମସ୍ୟାରେ ପଡିବ ବୋଲି ଆଶଙ୍କା ରହିଥିଲା । କିନ୍ତୁ ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଦଳ ଯେପରି ଖେଳିଲା ତାହା ପ୍ରଶଂସାଯୋଗ୍ୟ ।

ସୂଚନାଯୋଗ୍ୟ, ଭାରତ ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁ ଟିମ୍‌କୁ ପରାସ୍ତ କରିଥିଲା । ଭାରତ ୨-୧ରେ ସିରିଜ୍ ହାତେଇବା ସହ ବର୍ଡର ଗାଭାସ୍କର ଟ୍ରଫିକୁ ହାତେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.