କମର୍ସିଆଲ ଗାଡ଼ି ବିକ୍ରିରେ ଟାଟା ମୋଟର୍ସକୁ ପଛରେ ପକାଇଲା ମହିନ୍ଦ୍ରା

Published By : Prameya-News7 Bureau | September 12, 2020 IST

ନୂଆଦିଲ୍ଲୀ ୧୨/୦୯: ଅଗଷ୍ଟରେ ଦେଶରେ ପାସେଞ୍ଜର ଗାଡି ବିକ୍ରି ଭଲ ଥିଲା। ଏବେ କିନ୍ତୁ ​କମର୍ସିଆଲ ଗାଡ଼ି ବିକ୍ରି ବଢ଼ୁଥିବା ଦେଖାଯାଉଛି। ଗତବର୍ଷ ତୁଳନାରେ ଚଳିତ ଅଗଷ୍ଟ ସୁଦ୍ଧା କମର୍ସିଆଲ ଗାଡ଼ି ବିକ୍ରି ୫୭.୩୯ ପ୍ରତିଶତ ହ୍ରାସ ପାଇଛି। ଅଗଷ୍ଟ ୨୦୨​‌୦ରେ ଦେଶରେ ୨୬,୫୩୬ ୟୁନିଟ୍ ବିକ୍ରି ହୋଇଛି। ତେବେ ଗତବର୍ଷ ଅଗଷ୍ଟରେ ୬୨,୨୭୦ ୟୁନିଟ୍ ବିକ୍ରି ହୋଇଥିଲା। ଯଦିଓ ଗତବର୍ଷ ତୁଳନାରେ ଭଲ ବିକ୍ରି ହୋଇ ନାହିଁ, କିନ୍ତୁ ଚଳିତ ଜୁଲାଇ ତୁଳନାରେ ଭଲ ବିକ୍ରି ହୋଇଛି। ଅବଶ୍ୟ ସବୁ ପ୍ରକାର କମ୍ପାନି ବିକ୍ରି ହ୍ରାସ ପାଇଛି।

ମହିନ୍ଦ୍ରା ଅଗଷ୍ଟରେ ୧୦,୭୯୫ ୟୁନିଟ୍ ଗାଡ଼ି ବିକ୍ରି କରିଛି। ଗତବର୍ଷ କମ୍ପାନି ୧୪,୬୮୪ ୟୁନିଟ୍ ବିକ୍ରି କରିଥିଲା। କମ୍ପାନିର ମାର୍କେଟ ସେୟାର ବୃଦ୍ଧି ପାଇ ୨୩ ପ୍ରତିଶତରୁ ୪୦ ପ୍ରତିଶତ ହୋଇଛି। ତେବେ ଟାଟା ମୋଟର୍ସ କମ୍ପାନିର ବିକ୍ରି ବହୁତ କମିଛି। କମ୍ପାନି ୭୧୧୫ ୟୁନିଟ୍ ବିକ୍ରି କରି ଅଗଷ୍ଟରେ ଦ୍ବିତୀୟ ସ୍ଥାନରେ ରହିଛି। ଗତବର୍ଷ ଅଗଷ୍ଟରେ କମ୍ପାନି ୨୬,୫୮୬ ୟୁନିଟ୍ ବିକ୍ରି କରିଥିଲା। ଯାହା ଗତବର୍ଷ ତୁଳନାରେ ରହିଛି ୭୩.୨୪ ପ୍ରତିଶତ କମ୍।

ଟାଟା ମୋଟର୍ସ ଗତବର୍ଷ ଅର୍ଥାତ୍ ୨୦୧୯ରେ ଥିଲା ପ୍ରଥମ ସ୍ଥାନରେ। କମର୍ସିଆଲ ଗାଡିରେ ଭାରତୀୟ କମ୍ପାନି ଟାଟା ମୋଟର୍ସ ଓ ମହିନ୍ଦ୍ରା ରାଜ କରେ। ଭାରତୀୟ ବଜାରରେ ଏମାନଙ୍କ ମାର୍କେଟ ସେୟାର ୬୭ ପ୍ରତିଶତରୁ ଅଧିକ। ବିକ୍ରିର ତୃତୀୟ ସ୍ଥାନରେ ରହିଛି ଅଶୋକ ଲିଲ୍ୟାଣ୍ଡ। କମ୍ପାନିର ସମୁଦାୟ ୨୮୩୪ ୟୁନିଟ୍ ବିକ୍ରି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.