ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ସ୍ବାମୀ କହୁଛନ୍ତି ଆତ୍ମହତ୍ୟା, ବାପ ଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ
17/01/2021 at 4:27 PM

ରାଇରଙ୍ଗପୁର ୧୭/୦୧: ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସ୍ୱାମୀ, ସ୍ତ୍ରୀ ଆତ୍ମହତ୍ୟା କରିଥିବା କହୁଥିବା ବେଳେ ବାପଘର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ମଝିଗାଁରେ। ମୃତ ମହିଳା ହେଲେ ସୀତା ମହାକୁଡ଼। ସୀତାଙ୍କ ବାପଘର ଯୋଶୀପୁର ଥାନା ଠାକୁରଗୁଡାରେ।
ସୂଚନା ମୁତାବକ ସୀତା ଦୁଇବର୍ଷ ତଳେ ବିଶୋଇ ଥାନା ମଝିଗାଁରେ ବିବାହ କରିଥିଲେ। ମୃତ୍ୟୁ ବେଳକୁ ସେ ସାତ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ସ୍ୱାମୀ ତାଙ୍କୁ ସବୁବେଳେ ମାରପିଟ କରୁଥିବା ଅଭିଯୋଗ କରି ଆସୁଥିଲେ ସୀତା। ଦୁଇଦିନ ତଳେ ବାପଘରକୁ ଫୋନ ମାଧ୍ୟମରେ ମାଡ଼ ସହି ହେଉନି ବୋଲି ସେ ଅଭିଯୋଗ କରିଥିଲେ।
କିନ୍ତୁ ସ୍ୱାମୀ ଅଭିଳାଷ ମହାକୁଡ଼ ତାଙ୍କ ସ୍ତ୍ରୀ ଘରେ କବାଟ ଲଗାଇ ଆତ୍ମହତ୍ୟା କରିଥିବା ଓ ସେ ଘରର ଆଜବେଷ୍ଟସ ଭାଙ୍ଗି ସ୍ତ୍ରୀଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିବା ପୋଲିସ ଆଗରେ କହିଛନ୍ତି। ପୋଲିସ ଅଭିଳାଷଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ବେଳେ ବାରିପଦାରୁ ସାଇଣ୍ଟିଫିକ ଦଳ ଆସୁଥିବା ନେଇ ସୂଚନା ମିଳିଛି।