ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ବାମୀ କହିଲେ, ‘ଆତ୍ମହତ୍ୟା’, ବାପଘର ଲୋକେ କହିଲେ, ‘ହତ୍ୟା’
24/12/2020 at 3:39 PM

କେନ୍ଦୁଝର୨୪/୧୨: ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ। ସ୍ବାମୀ କହିଲେ, ସେ ଆତ୍ମହତ୍ୟା କରିଛନ୍ତି। ସେପଟେ ମୃତ ମହିଳାଙ୍କ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ଯୋଡା ପୌରାଞ୍ଚଳର ୩ ନମ୍ବର ଓ୍ବାର୍ଡ ଆଜାଦବସ୍ତି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ହେଲେ ଅଭିଷେକ ଶର୍ମାଙ୍କ ଧର୍ମପତ୍ନୀ ସୀମଲ ଶର୍ମା। ଯୁକ୍ତ ୨ର ଛାତ୍ରୀ ସୀମଲ ଗତକାଲି ଅନଲାଇନ୍ କ୍ଲାସ୍ ଶେଷ କରିବା ପରେ ନିଜ ଓଢ଼ଣୀ ସାହାଯ୍ୟରେ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସ୍ବାମୀ କହିଛନ୍ତି।
ଏହି ଘଟଣା ସଂପର୍କରେ ଜାଣିବା ପରେ ସ୍ବାମୀ ଅଭିଷେକ ଯୋଡା ଥାନାକୁ ଖବର ଦେଇଥିଲେ। ପରବର୍ତ୍ତୀ ସମୟରେ ମୃତ ମହିଳାଙ୍କ ବାପଘରକୁ ଖବର ଦିଆଯାଇଥିଲା।ଏହା ପରେ ସ୍ବାମୀ ଅଭିଷେକ ଝାଡ଼ଖଣ୍ଡ ରାଞ୍ଚିର ହଟିଆସ୍ଥିତ ନିଜ ଶ୍ବଶୁର ଘରକୁ ଖବର ଦେଇଥିଲେ। ସ୍ତ୍ରୀ କାହିଁକି ଆତ୍ମହତ୍ୟା କରିଛନ୍ତି, ସେ ସଂପର୍କରେ ସ୍ବାମୀ ଅଭିଷେକ ଜାଣିନଥିବା କହିଛନ୍ତି। ସେପଟେ ଘଟଣାର ଖବର ପାଇଁ ସୀମଲଙ୍କ ପରିବାର ଲୋକେ ଆଜି ଯୋଡ଼ା ପହଁଚିଛନ୍ତି। ଏହା ଆତ୍ମହତ୍ୟା ନୂହେଁ ବରଂ ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ସୀମଲଙ୍କ ବାପା ଅନୀଲ ଶର୍ମା ଅଭିଯୋଗ ଆଣିଛନ୍ତି।
ଏ ନେଇ ସେ ଯୋଡ଼। ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତ ବର୍ଷ ସପ୍ଟେମ୍ବର ମାସରେ ଅଭିଷେକ ସହ ତାଙ୍କ ଝିଅକୁ ବିବାହ କରିଥିଲେ। ତେବେ ବିବାହ ପରେ ଅନ୍ୟ ଏକ ଝିଅ ସହ ଅଭିଷେକଙ୍କ ସଂପର୍କ ଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ସଂପର୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ତେବେ ସୀମଲ ଆତ୍ମହତ୍ୟା କରି ନାହିଁ ବରଂ ସ୍ବାମୀଙ୍କ ସମେତ ଶାଶୁଘର ଲୋକେ ମିଳିମିଶି ତାଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।